ଭୁବନେଶ୍ୱର : ଦିବ୍ୟାଙ୍ଗମାନଙ୍କର ପୁନର୍ବାସ ଓ ଥଇଥାନ ନିମନ୍ତେ ପରିଚିତ କଟକର ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ଏସଭି-ନିରତାର)ର ୫୦ ତମ ପ୍ରତିଷ୍ଠା ଦିବସ ଆଜି ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି । ‘ଏସଭି-ନିରତାର’ର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଜୀବନରେ କିପରି ଶିକ୍ଷା, ଥଇଥାନ, ନିଯୁକ୍ତି ଏବଂ ଓକିଲାତି ମାଧ୍ୟମରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି, ଉତ୍ସବରେ ଏହାର ଅର୍ଦ୍ଧଶତାବ୍ଦୀର ଉଲ୍କେଖନୀୟ ଯାତ୍ରାରେ ଦୃଢ଼ ସମର୍ପଣର ଭାବ ସହ ସେବା ସଂପର୍କରେ ଆଲୋକପାତ କରାଯାଇଥିଲା ।
ଆୟୋଜିତ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ମୁଖ୍ୟ ଅତିଥି, ସାମାଜିକ ନ୍ୟାୟ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ ରାଉତରାୟ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ଅତିଥି ଏବଂ ଏସଭିନିରତାର ର ନିର୍ଦ୍ଦେଶକଡା. ପତିତପାବନ ମହାନ୍ତି ଏବଂ ସଂସ୍ଥାନର ଉପନିର୍ଦ୍ଦେଶକମାନଙ୍କ ଉପସ୍ଥିତିରେ ଶ୍ରୀ ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଥିଲା |
ମୁଖ୍ୟ ଅତିଥି ତଥା ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଆହୁଜା ସଂସ୍ଥାନର ୫୦ ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ଦିବ୍ୟାଙ୍ଗମାନଙ୍କ ସେବା କ୍ଷେତ୍ରରେ ଅନୁଷ୍ଠାନର ଉଲ୍ଲେଖନୀୟ ଅବଦାନ ପାଇଁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଅନୁଷ୍ଠାନ ଭିନ୍ନକ୍ଷମାନଙ୍କ ପାଇଁ ଆଶାର କିରଣ ହୋଇଛି ଏବଂ ସେମାନଙ୍କର ପରିବର୍ତ୍ତନର ଉତ୍ ପ୍ରେରକ ଭାବରେ ପୁନର୍ବାସ ଇତିହାସରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।
ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରାଉତରାୟ ସଂସ୍ଥାନର ଗୌରବମୟ ଇତିହାସକୁ ଉପସ୍ଥାପନା କରିବା ସହ ଏହାର ମର୍ଯ୍ୟଦାକୁ ସର୍ବଦା ଅକ୍ଷୁର୍ଣ୍ଣ ରଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ନିର୍ଦ୍ଦେଶକ ଡାକ୍ତର ମହାନ୍ତିଅନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିବା ବେଳେ ବୈଷୟିକ ଉପନିର୍ଦ୍ଦେଶକ ଡାକ୍ତର କିଶୋର ଚନ୍ଦ୍ର ମହାପାତ୍ର ଏହି ଅନୁଷ୍ଠାନକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବା ଉପରେ ସୁଚିନ୍ତିତ ମତ ରଖିଥିଲେ । ଶେଷରେ ପ୍ରଶାସନିକ ଉପନିର୍ଦ୍ଦେଶକ ଇଂ ସତ୍ୟଜିତ୍ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା | କାର୍ଯ୍ୟକ୍ରମକୁ ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ଶ୍ରୀ ସଞ୍ଜିବ ସେଠୀ, ଡାକ୍ତର ନରେନ୍ଦ୍ର କୁମାର ବେହେରା, ଡାକ୍ତର ମୋନାଲିସା ପଟ୍ଟନାୟକ,ଡାକ୍ତର ପ୍ରଜ୍ଞା ସିଂ, ଶ୍ରୀ ରଶ୍ମିରଞ୍ଜନ ସ୍ୱାଇଁ, ଶ୍ରୀମତୀ ରଶ୍ମିତା ଦାସ ପ୍ରମୁଖ ପରିଚାଳନା କରିଥିଲେ ।
ପ୍ରକାଶ ଥାଉକି, ଏସଭିନିରତାର ସମଗ୍ର ଜନମାନସରେ ଓଲଟପୁର ହସ୍ପିଟାଲ ନାମରେ ବହୁଳ ଭାବରେ ପରିଚିତ। ୧୯୭୫ ମସିହାରେ ଗତିବାଧିତ ଦିବ୍ୟାଙ୍ଗମାନଙ୍କ ଚିକିତ୍ସା ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ଏହି ଅନୁଷ୍ଠାନଟି ଆଜିର ସମୟରେ ସୀମିତ ସେବାରେ ବାନ୍ଧି ନହୋଇ ଅତି ବ୍ୟାପକ ଭାବେ ପୂର୍ଣ୍ଣ ବିକଶିତ ପ୍ରୋସ୍ଥେଟିକ ଓ ଅର୍ଥୋଟିକ ବିଭାଗ, ଫିଜିଓଥେରାପି ବିଭାଗ, ଅକ୍ୟୁପେସନାଲ ଥେରାପି ବିଭାଗ, ସ୍ପିଚ ଲାଙ୍ଗୁଏଜ ପାଥୋଲୋଜି ବିଭାଗ, ଫିଜିକାଲ ମେଡିସିନ ଆଣ୍ଡ ରିହାବିଲିଟେସନ ବିଭାଗ,ଭୋକେସନାଲ୍ ଏବଂ ସ୍କିଲ୍ ଡେଭଲପମେଣ୍ଟ ଟ୍ରେନିଙ୍ଗ ବିଭାଗ ଦ୍ୱାରା ୨୧ ପ୍ରକାର ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ପୁର୍ନବାସ ସେବା ପ୍ରଦାନ କରୁଛି ।