ଭୁବନେଶ୍ୱର : ଓଡ଼ିଶାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ‘ସ୍କଚ୍ ଆୱାର୍ଡ଼’ରେ ସମ୍ମାନିତ ହୋଇଛି । ଦିଲ୍ଲୀର ଲୋଧି ରୋଡ଼୍ସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରଠାରେ ଅନୁଷ୍ଠିତ ୯୯ତମ ସ୍କଚ୍ ସମିଟ୍ରେ ବିଭାଗ ପକ୍ଷରୁ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ସନ୍ତୋଷ କୁମାର ପ୍ରଧାନ ଏବଂ ଆଇଟି କନ୍ସଲଣ୍ଟାଣ୍ଟ ବିନିତ ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ନିଶାଦ୍ରବ୍ୟ ସେବନକାରୀ ଓ ମାନସିକ ରୋଗୀଙ୍କ ପୁନର୍ବାସ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସ୍ୱୀକୃତି ସ୍ୱରୂପ ସାମାଜିକ ନ୍ୟାୟ ଓ ସୁରକ୍ଷା କ୍ଷେତ୍ରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ୨୦୨୪ ବର୍ଷ ନିମନ୍ତେ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଛି ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏହି ସମ୍ମାନ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଏହି ସମ୍ମାନ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଏବଂ ଏହା ବିଭାଗକୁ ଅଧିକ ନିଷ୍ଠା ଓ ଦାୟିତ୍ୱର ସହ କାର୍ଯ୍ୟ କରିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି ।