Home General ଏସଆରସି ମାଗିଲେ କ୍ଷୟକ୍ଷତି ରିପୋର୍ଟ

ଏସଆରସି ମାଗିଲେ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର: ବାତ୍ୟା ‘ମିଚାଉଙ୍ଗ’ରେ ଫସଲ କ୍ଷୟକ୍ଷତି ନେଇ ୨୦୨୩ ଡିସେମ୍ବର ୧୨ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏସଆରସି ଶ୍ରୀ ସାହୁ କହିଛନ୍ତି ଯେ ବାତ୍ୟା ମିଚାଉଙ୍ଗ ପ୍ରଭାବରେ ଗତ କିଛି ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ବ୍ୟାପକ ବର୍ଷା ହୋଇଥିବାରୁ ଠିଆ ହୋଇଥିବା ଖରିଫ ଫସଲ ଓ ଉଦ୍ୟାନ କୃଷି ଫସଲ କ୍ଷତିଗ୍ରସ୍ତ ହୋଇଥାଇପାରେ।

କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ଦୂର କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ନିୟମ ଅନୁଯାୟୀ ୩୩% କିମ୍ବା ତା’ଠାରୁ ଅଧିକ ଫସଲ ନଷ୍ଟ ହେଉଥିବା ଚାଷୀଙ୍କୁ କୃଷି ଇନପୁଟ୍ ସବ୍ ସିଡି (ଏଆଇଏସ୍) ଯୋଗାଇ ଦିଆଯିବ।

ରାଜସ୍ୱ ଓ ଡିଏମ୍ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଅଧିକାରୀଙ୍କ ଦ୍ୱାରା ଚକ୍ଷୁ ଆକଳନ ମାଧ୍ୟମରେ କ୍ଷେତ୍ରସ୍ତରୀୟ ଫସଲ କ୍ଷୟକ୍ଷତି ଆକଳନ କରି ୩୩% କିମ୍ବା ତା’ଠାରୁ ଅଧିକ ଫସଲ କ୍ଷୟକ୍ଷତି ଆକଳନ କରି ଡିସେମ୍ବର ୧୨ ତାରିଖ ସୁଦ୍ଧା ଫର୍ମାଟ୍ ଅନୁଯାୟୀ ୟୁଏଲବି/ବ୍ଲକ୍/ଜିପି/ଗ୍ରାମଭିତ୍ତିକ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଫସଲ କ୍ଷୟକ୍ଷତିର ଆକଳନ କରିବା ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କ ଜମି ସୂଚୀ/ଆରଓଆର ଭୁଲେଖଙ୍କଠାରୁ ଯାଞ୍ଚ କରାଯିବା ଦରକାର। ଜିଲ୍ଲାପାଳମାନେ ଫସଲ କ୍ଷୟକ୍ଷତି (ଆକଳନ ଅନୁଯାୟୀ ଫସଲ ନଷ୍ଟ ହୋଇଥିବା ଜମିର କୃଷକଭିତ୍ତିକ ପରିମାଣ) ଅନୁମୋଦନ ଦେବେ ଏବଂ ଏଆଇଏସ୍ ବଣ୍ଟନ ପାଇଁ ଅର୍ଥର ଆବଶ୍ୟକତାକୁ ଗ୍ରହଣୀୟ ଭାବେ ପ୍ରଦାନ କରିବେ ବୋଲି ଏସିଏସ୍ ଶ୍ରୀ ସାହୁ କହିଛନ୍ତି।

ଆକଳନ ସମୟରେ କ୍ଷତିଗ୍ରସ୍ତ ଫସଲ ଅଞ୍ଚଳର ଜିଓ ଟ୍ୟାଗ୍ ଓ ଟାଇମ୍ ଷ୍ଟାମ୍ପ ହୋଇଥିବା ଫଟୋ ଉଠାଇ କେସ୍ ରେକର୍ଡରେ ସଂରକ୍ଷିତ ରଖିବାକୁ ଏସଆରସି ଶ୍ରୀ ସାହୁ ଜିଲ୍ଲାପାଳମାନଙ୍କୁ କହିଛନ୍ତି।

ତଦାରଖ ଅଧିକାରୀ (ଉପଜିଲ୍ଲାପାଳ/ତହସିଲଦାର/ଅତିରିକ୍ତ ତହସିଲଦାର/ଡିଏଓ/ବିଏଓ) ମୂଲ୍ୟାୟନର ସଠିକତା ନିଶ୍ଚିତ କରିବା ପାଇଁ ପରୀକ୍ଷା ଯାଞ୍ଚ କରିବେ ଏବଂ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ଉପରେ ଏକ ସାର୍ଟିଫିକେଟ୍ ପଠାଇବେ।

ଚଳିତ ବର୍ଷ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଫସଲ ହାନି ହୋଇଥିବା ଫସଲ କ୍ଷୟକ୍ଷତିକୁ ବର୍ତ୍ତମାନର ଆକଳନରେ ଅନ୍ତର୍ଭୁକ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସାମୁଦ୍ରିକ ଝଡ଼ ‘ମିଚାଉଙ୍ଗ’ର ପ୍ରଭାବରେ ବୁଧବାର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ହୋଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ହାରାହାରି ବୃଷ୍ଟିପାତ ୬.୫ ମିଲିମିଟର ରେକର୍ଡ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ ସର୍ବାଧିକ ୧୦୬.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଗୁରୁବାର ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ।

ପ୍ରବଳ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ସମସ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି। ବୁଧବାର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ।