ଭୁବନେଶ୍ୱର : ପୁଲିସ୍ ସବଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଏବେ ସିବିଆଇ ଚଳାଇବା ସହିତ ମାମଲା ଆଇନ୍ ଅଦାଲତରେ ପହଞ୍ଚିଛି । ତେବେ ବାରମ୍ବାର ଏହି ପରୀକ୍ଷା ବାତିଲ ହେଉଥିବାରୁ ବର୍ଷ ବର୍ଷ ଧରି ପୁଲିସ୍ ସବଇନ୍ସପେକ୍ଟର ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ପ୍ରାର୍ଥୀମାନେ ସମସ୍ୟାରେ ପଡିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ପୁଲିସ୍ ସବଇନ୍ସପେକ୍ଟର ନିଯୁକ୍ତି ଲାଗି ପ୍ରାର୍ଥୀ ଚୟନ ଦାୟିତ୍ୱ ଓଡିଶା ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ଉପରେ ରହିଥାଏ । ପୂର୍ବରୁ ଏହା ଓଡିଶା ଷ୍ଟାଫ ସିଲେକ୍ସନ କମିଶନ କରୁଥିଲା । ଷ୍ଟାଫ୍ ସିଲେକ୍ସନ କମିଶନର ଚାପ ରହୁଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ଗଠନ କରିଥିଲେ ।
ନିୟମ ଅନୁଯାୟୀ ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ପ୍ରଶ୍ନପତ୍ର ଛପାଇବା କଥା । କିନ୍ତୁ ଏହି ଅତ୍ୟନ୍ତ ଗୋପନୀୟ କାମକୁ ବୋର୍ଡ ଏକ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିଥିଲେ । ତା’ପରେ ଆଉ କେତେକ ଘରୋଇସଂସ୍ଥା ମଧ୍ୟ ଏଥିରେ ପ୍ରବେଶ କରିଥିଲେ । ଫଳରେ ମୁଦ୍ରିତ ପ୍ରଶ୍ନପତ୍ରର ଗୋପନୀୟତା ରହିଲାନାହିଁ ବୋଲି ଅଭିଯୋଗ ହେଉଛି । ଏ ସଂକ୍ରାନ୍ତରେ ଇତି ମଧ୍ୟରେ ସିବିଆଇ ଅଭିଯୋଗଫର୍ଦ୍ଦ ଅଦାଲତରେ ଦାଖଲ କରିଛି ।
ଏହି ହେରଫେର ଜଣାପଡିବାପରେ କେତେକ ଆଶାୟୀ ପ୍ରାର୍ଥୀଙ୍କ ସମେତ ଦାୟିତ୍ୱ ନେଇଥିବା କିଛି ଘରୋଇ ସଂସ୍ଥାର କର୍ମକର୍ତ୍ତାଙ୍କୁ ପୁଲିସ୍ ଗିରଫ କରିଥିଲା । ଚାକିରି କରାଇ ଦେବାପାଇଁ ପ୍ରାର୍ଥୀମାନଙ୍କ ଠାରୁ କୁଆଡେ ମୋଟା ଅଙ୍କର ଟଙ୍କା ନିଆଯାଇଥିଲା । କିଛି ପ୍ରାର୍ଥୀଙ୍କୁ ଓଡିଶା ବାହାରକୁ ସ୍ୱତନ୍ତ୍ର ବସରେ ଏହି ଉଦ୍ଦେଶ୍ୟରେ ନିଆଯାଇଥିଲା । ତେବେ ଖବର ପାଇ ଓଡିଶା ପୁଲିସ୍ ବସ ଜବତ କରିବା ସହିତ କିଛି ପ୍ରାର୍ଥୀଙ୍କୁ ପ୍ରଥମେ ଗିରଫ କରିଥିଲା ଏବଂ ପରେ ପରେ ଏହି କେଳେଙ୍କାରୀ ଅଭିଯୋଗରେ ଆଉ କେତେକ ସଂସ୍ଥାର କର୍ମକର୍ତ୍ତା ଓ କର୍ମଚାରୀମାନଙ୍କୁ ଗିରଫ କରିଥିଲା । ପୂର୍ବରୁ ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ସିବିଆଇ ହାତରେ ଟେକି ଦିଆଯାଇଛି ।
ଏହି ମାମଲା କେବେ ଫଏସଲା ହେବ ତାହା ଜଣାନାହିଁ । ତେବେ ଓଡିଶା ପୁଲିସରେ ବହୁ ସଂଖ୍ୟକ ସବଇନ୍ସପେକ୍ଟର ସମେତ ଅନ୍ୟାନ୍ୟ ପଦ ପଦବୀ ଖାଲି ପଡିଥିବାରୁ ଆଇନ୍ଶୃଙ୍ଖଳା ରକ୍ଷା, ମାମଲା ପରିଚାଳନା ଓ ତଦନ୍ତ ଆଦି କାମରେ ଗୁରୁତର ସମସ୍ୟା ଉପୁଜୁଛି । ଅନ୍ୟ ପକ୍ଷରେ ଯେଉଁ ପ୍ରାର୍ଥୀମାନେ ବର୍ଷ ବର୍ଷ ଧରି ପୁଲିସ୍ ଏସଆଇ ଚାକିରି ଲାଗି ପ୍ରସ୍ତୁତି କରିଥିଲେ ସେମାନଙ୍କ ଭିତରୁ କେତେକଙ୍କର ବୟସ ଅତିକ୍ରାନ୍ତ ହେବାକୁ ଯାଉଛି ।
ଏ ପରିପ୍ରେକ୍ଷୀରେ ଯେଉଁମାନେ ପୂର୍ବରୁ ଆବେଦନ କରିଥିଲେ ସେମାନଙ୍କର ପ୍ରବେଶିକା ପରୀକ୍ଷା ଅଦାଲତଙ୍କ ହେପାଜତରେ ଏବଂ ପୁଲିସ୍ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତୁରନ୍ତ କରିବାପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ପୂର୍ବ ବିଜ୍ଞାପନକୁ ବାତିଲ କରି ନୂଆ ବିଜ୍ଞାପନ ପ୍ରକାଶ ପାଇଲେ ସର୍ବୋଚ୍ଚ ବୟସସୀମା ଅତିକ୍ରମ କରିବାକୁ ଯାଉଥିବା ଅନେକ ପ୍ରାର୍ଥୀ ହଇରାଣରେ ପଡିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ଯେଉଁମାନେ ଲାଞ୍ଚ ନେଇଛନ୍ତି ଓ ଲାଞ୍ଚ ଦେଇଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରେ କିଛି ଅସୁବିଧା ନାହିଁ । କିନ୍ତୁ ଏମାନଙ୍କ ଦୋଷତ୍ରୁଟି ଯୋଗୁଁ ମେଧାବୀ ଓ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଉପେକ୍ଷା କରିବା ବିନା ଦୋଷରେ ଦଣ୍ଡ ପରି ହେବ ବୋଲି ଅନେକ ପ୍ରାର୍ଥୀ କହୁଛନ୍ତି । ତେବେ ଏ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି । (ତଥ୍ୟ)

