ଭୁବନେଶ୍ୱର : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ ନିଶ୍ଚିତ ରୋଜଗାର ଯୋଜନା (ଏମ୍ଜିଏନ୍ଆରଇଜିଏସ୍) ଯୋଜନାରେ ରାଜ୍ୟରେ ଗୁଆ ଚାଷ କରାଯିବ । ନଡିଆ, କାଜୁ ଓ ପାମ୍ ଚାଷ ଭଳି ଏହି ଯୋଜନାରେ ଗୁଆ ଚାଷ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।
ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଉଦ୍ୟାନ ନିର୍ଦ୍ଦେଶାଳୟର ମତାମତ ଲୋଡାଯାଇଥିବାବେଳେ ନିର୍ଦ୍ଦେଶାଳୟ ପକ୍ଷରୁ ଲାଭଜନକ ଗୁଆ ଚାଷକୁ ସବୁଜ ସଙ୍କେତ ସହିତ ଏ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିଛି । ଉଦ୍ୟାନ ନିର୍ଦ୍ଦେଶାଳୟ ଦେଇଥିବା ସୂଚନାରୁ ଜଣାଯାଇଛି ଯେ ଗୋଟିଏ ହେକ୍ଟର ଜମିରେ ୧୩୭୦ଟି ଗୁଆଗଛ ଲଗାଯାଇ ପାରିବ । ପ୍ରଥମ ବର୍ଷରେ ୭୦୦ ଗୁଆଗଛ ଲଗାଇବା ବାବଦରେ ପ୍ରାୟ ଅଢେଇ ଲକ୍ଷ ଟଙ୍କା ବ୍ୟୟ ହେବ । ସେହିଭଳି ଦ୍ୱିତୀୟ ବର୍ଷରେ ୨୭୫ ଓ ତୃତୀୟ୍ର ବର୍ଷରେ ୩୦୦ ଗୁଆଗଛ ରୋପଣ ହେବ ।
ଗୁଆଚାଷ ପାଇଁ ଜମି ପ୍ରସ୍ତୁତି, ଗାତ ଖୋଳିବା, ଗଛ ଲଗାଇବା ପରେ ଏହାକୁ ଭର୍ତ୍ତି କରିବା, ଗଛରେ ପାଣି ଦେବା, ଜଳସେଚନ, ଔଷଧ ସିଞ୍ଚନ, ଗୁଆ ବଗିଚାରୁ ଅଳିଆ ଉଠାଇବା, ମାଟି ସମତୁଲ କରିବା ଆଦି କାମ ଏମଜିଏନ୍ଆରଇଜିଏସ୍ ଶ୍ରମିକାମାନଙ୍କ ଦ୍ୱାରା କରାଯାଇ ପାରିବ । କେଉଁ କାର୍ଯ୍ୟ ପାଇଁ କେତେ ଶ୍ରମିକ ଆବଶ୍ୟକ ଉଦ୍ୟାନ ନିର୍ଦ୍ଦେଶାଳୟ ସେ ସଂକ୍ରାନ୍ତରେ ଅବଗତ କରିଛି ।
ତେବେ ଗୁଆଚାଷ ପାଇଁ ଜମି ସମତୁଲ ଓ ଗାତଖୋଳା ଭଳି କାର୍ଯ୍ୟକୁ ଏମ୍ଜିଏନ୍ଆରଇଜିଏସ୍ ଯୋଜନାରେ ମାଟିକାମ ହିସାବରେ ଗଣାଯିବା ସହିତ ସେହି ଅନୁଯାୟୀ ପାରିଶ୍ରମିକ ପ୍ରଦାନ କରାଯିବା । ଗୁଆ ବଗିଚା ଦେଖାଶୁଣା କରିବାପାଇଁ ନିୟୋଜିତ ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ଦୈନିକ ୩୩୮ ଟଙ୍କା ହିସାବରେ ପାରିଶ୍ରମିକ ମିଳିବ ।
ତେବେ ଗୁଆଚାଷ ପାଇଁ ପ୍ରଥମ ବର୍ଷରେ ସମସ୍ତ ଖର୍ଚ୍ଚକୁ ହିସାବ କରି ଏହା ଅଢେଇ ଲକ୍ଷ ଟଙ୍କା ହେବବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ଦର୍ଶାଯାଇଛି । ଏଥିରେ ଶ୍ରମିକଙ୍କ ପାଉଣା ୬୦ ପ୍ରତିଶତ ଓ ଗୁଆଗଛ ଓ ଅନ୍ୟାନ୍ୟ ସାମଗ୍ରୀର ହାର ୪୦ ପ୍ରତିଶତ ରହିବ । ଗୋଟିଏ ଗୁଆଚାରାର ଦର ୨୧ ଟଙ୍କା ଦର୍ଶାଯାଇଛି ଏଥିରେ ଜିଆଖତ ଏବଂ ସହରାଞ୍ଚଳରେ ପ୍ରସ୍ତୁତ ଖତ ବ୍ୟବହାର ହେବ । ସେହିଭଳି ଦ୍ୱିତୀୟ ବର୍ଷରେ ୯୪ହଜାର ଓ ତୃତୀୟ ବର୍ଷରେ ପ୍ରାୟ ଲକ୍ଷେ ଟଙ୍କା ଖର୍ଚ୍ଚହେବ ।
ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ଗୁଆ ଚାଷକୁ ସେତେଟା ଗୁରୁତ୍ୱ ଦିଆଯାଉନଥିବାବେଳେ ଓଡିଶାରେ ବ୍ୟବହୃତ ଗୁଆ ସାଧାରଣତଃ ଆଣ୍ଡାମାନ ନିକୋବରରୁ ହିଁ ଆସିଥାଏ । ବର୍ତ୍ତମାନ ଗୁଆଚାଷକୁ ଏମ୍ଜିଏନ୍ଆରଇଜିଏସ୍ ଯୋଜନାରେ ସାମିଲ କରାଯିବା ପରେ ରାଜ୍ୟରେ ଗୁଆ ଉତ୍ପାଦନ ବୃଦ୍ଧି ପାଇବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । (ତଥ୍ୟ)