Home Industry ଏମ୍‍ଏସ୍‍ଏମ୍‍ଇ ପାଇଁ ୩ଗୁଣ ଅର୍ଥ ବରାଦ

ଏମ୍‍ଏସ୍‍ଏମ୍‍ଇ ପାଇଁ ୩ଗୁଣ ଅର୍ଥ ବରାଦ

ନୂଆଦିଲ୍ଲୀ : କର୍ମଯୋଗାଣକୁ ଅଧିକ ପ୍ରୋତ୍ସାହନ ଦେବାପାଇଁ କେନ୍ଦ୍ରୀୟ ବଜେଟ୍‍ରେ ଅଣୁ, କ୍ଷୁଦ୍ର ଓ ମଧ୍ୟ (ଏମ୍‍ଏସ୍‍ଏମ୍‍ଇ) କ୍ଷେତ୍ର ପାଇଁ ୩ଗୁଣ ଅଧିକ ଅର୍ଥ ବରାଦ ହୋଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ବଜେଟ୍‍ରେ ୧୦ହଜାର କୋଟି ଟଙ୍କା ଅଧିକ ବଢିଛି ।

୨୦୨୦-୨୧ ବର୍ଷରେ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ର ପାଇଁ ବଜେଟ୍‍ରେ ୫୬୬୬୪.୨୨ କୋଟି ଟଙ୍କା ବରାଦ ହୋଇଥିବାବେଳେ ଚଳିତ ବଜେଟ୍‍ରେ ଏହା ୧୫,୬୯୯.୬୫ କୋଟି ରହିଛି । ସେହିଭଳି ବଜେଟ୍‍ରେ ପିଏମ୍‍ଇଜିପି ପାଇଁ ୧୨,୪୯୯.୭୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୨୦୦୮-୦୯ ବର୍ଷରେ ପ୍ରଧାନ ମନ୍ତ୍ରୀ ରୋଜଗାର ଯୋଜନା (ପିଏମ୍‍ଆରୱାଇ) ଓ ଗ୍ରାମୀଣ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (ଆରଇଜିପି) ର ମିଶ୍ରଣ କରାଯାଇ ପିଏମ୍‍ଇଜିପି ସୃଷ୍ଟି ହୋଇଥିଲା ।

ପିଏମ୍‍ଇଜିପି ମାଧ୍ୟମରେ ଅଣୁ ଉଦ୍ୟୋଗ ଏବଂ ପାରମ୍ପରିକ କଳାକାରମାନଙ୍କ ଜରିଆରେ ଗାଁ ଗହଳରେ ବ୍ୟାପକ ନିଯୁକ୍ତି ସୁଯୋଗ ରହିଛି । ଏହି ଯୋଜନାରେ ଗାଁ ଗହଳରେ ସାଧାରଣ ବର୍ଗର ହିତାଧିକାରୀ ମାର୍ଜିନ ମନିର ୨୫ ପ୍ରତିଶତ ସବସିଡ୍‍ ପାଉଥିବାବେଳେ ସହରାଞ୍ଚଳରେ ଏହା ୧୫ ପ୍ରତିଶତ ରହିଛି । ସ୍ୱତନ୍ତ୍ର ହିତାଧିକାରୀ ଏବଂ ଅନୁସୂଚିତ ଜାତି, ଜନଜାତି ବର୍ଗଙ୍କ ପାଇଁ ଏହି ସବ୍‍ସିଡ୍‍ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ଯଥାକ୍ରମେ ୩୫ ଓ ୨୫ ପ୍ରତିଶତ ରହିଛି ।

ଅନ୍ୟାନ୍ୟ କ୍ରେଡିଟ ଗ୍ୟାରେଣ୍ଟି ସପୋର୍ଟ ଯୋଜନାରେ ମଧ୍ୟ ଅଧିକ ଅର୍ଥ ବ୍ୟବସ୍ଥା ହୋଇଛି । ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଗୁଡିକୁ ଅଧିକ ଅର୍ଥ ଦେବାର ବ୍ୟବସ୍ଥା କରାଯାଇଛି । ସର୍ବାଧିକ ଋଣ ପରିମାଣ ଏକ କୋଟିରୁ ୨କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିପାଇଁ ଥିବା କର୍ପସ ପାଣ୍ଠି ପରିମାଣକୁ ୨୫୦୦ କୋଟି ଟଙ୍କାରୁ ୭୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏମ୍‍ଏସ୍‍ଏମ୍‍ଇ ଉଦ୍ୟୋଗଗୁଡିକର ବର୍ଦ୍ଧିତ ଋଣ ଉପରେ ୨ ପ୍ରତିଶତ ସୁଧ ସହାୟତା ମିଳିବ ।

ତେବେ ସର୍ବାଧିକ ଏକ କୋଟି ଟଙ୍କାର ନୂତନ ଏବଂ ବର୍ଦ୍ଧିତ ଋଣ ଉପରେ ଏହି ସହାୟତା ମିଳିବାକୁ ଥିବାବେଳେ ଏଥିପାଇଁ ସଚଳ ଜିଏସ୍‍ଟିଏନ୍‍ ସହିତ ଉଦ୍ୟୋଗ ଆଧାର ନମ୍ବର ଥିବା ଜରୁରୀ । ଏହି ଯୋଜନାକୁ ସିଡ୍‍ବୀ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟକାରୀ କରିବ । ଏହାଦ୍ୱାରା ଉତ୍ପାଦନ ଓ ସେବା କ୍ଷେତ୍ରଗୁଡିକ ସେମାନଙ୍କ ଉତ୍ପାଦିକତା ବଢାଇବାର ଲକ୍ଷ୍ୟ ରହିଛି ।