Home Health ଏମ୍‍ସରେ ଅଭାବ ଡାକ୍ତର, ଅଣଡାକ୍ତର

ଏମ୍‍ସରେ ଅଭାବ ଡାକ୍ତର, ଅଣଡାକ୍ତର

ଭୁବନେଶ୍ୱର : ଭୁବନେଶ୍ୱର ଏମସରେ ଚିକିତ୍ସା ପାଇଁ ରାଜ୍ୟ ଭିତର ଓ ବାହାରର ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଏଠାରେ ଏବେ ବହୁ ବିଭାଗରେ ପ୍ରଫେସର ପଦବୀ ସମେତ ପ୍ରାୟ ୭୫ଟି ଡାକ୍ତର ପଦବୀ ଖାଲି ପଡିଛି । ଏଗୁଡିକ ପୂରଣ ପାଇଁ ବାରମ୍ବାର ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିବାବେଳେ ଏଥିପ୍ରତି କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବାରୁ କମ୍‍ ସଂଖ୍ୟକ ଡାକ୍ତରରେ ଏଠାରେ ସ୍ୱାସ୍ଥ୍ୟସେବା ବଜାୟ ରଖିବା କାଠିକରପାଠ ହୋଇପଡୁଛି ।

ସରକାରୀ ତଥ୍ୟ ମୁତାବକ ଭୁବନେଶ୍ୱର ଏମ୍‍ସରେ ଥିବା ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ଅନ୍ୟୁନ ୭୪ଟି ଖାଲି ପଡିଛି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପ୍ରଫେସର ପଦବୀ ଖାଲି ପଡିଥିବାରୁ ସହଯୋଗୀ ଓ ସହକାରୀ ପ୍ରଫେସରମାନେ କାମ ତୁଲାଉଥିଲେ ମଧ୍ୟ ସେମାନଙ୍କୁ ପଦୋନ୍ନତି ଦେବା କ୍ଷେତ୍ରରେ କର୍ତ୍ତୃପକ୍ଷ ଟାଳଟୂଳ ନୀତି ଅବଲମ୍ବନ କରୁଥିବାରୁ ଅନ୍ୟତ୍ର ଭଲ ସୁଯୋଗ ମିଳିଲେ ଏମ୍‍ସର ବହୁ ଭଲ ଡାକ୍ତର ଏଠାରୁ ଚାକିରି ଛାଡି ଚାଲି ଯାଉଛନ୍ତି ।

କେବଳ ଡାକ୍ତର ପଦବୀ ନୁହେଁ, ଭୁବନେଶ୍ୱର ଏମ୍‍ସରେ ଏବେ ଫର୍ମାସିଷ୍ଟ, ନର୍ସ, ସହାୟକଙ୍କ ସମେତ ପାଖପାଖି ୧୯୦୦ ଅଣଡାକ୍ତର ପଦବୀ ଖାଲି ପଡିଛି । ବହୁ କ୍ଷେତ୍ରରେ ଠିକା କର୍ମଚାରୀମାନଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ତୁରନ୍ତ ଏହି ସମସ୍ତ ପଦବୀ ପୂରଣ ଲାଗି ବିଭିନ୍ନ ମହଲରୁ ବାରମ୍ବାର ଦାବି ହୋଇଆସୁଛି ।

ଭୁବନେଶ୍ୱର ସ୍ଥିତ ଏମ୍‍ସ ଉପରେ କେବଳ ଓଡିଶା ନୁହେଁ, ପଶ୍ଚିମବଙ୍ଗ, ଛତିଶଗଡ, ଆନ୍ଧ୍ର, ତେଲେଙ୍ଗାନା ଭଳି ରାଜ୍ୟର ରୋଗୀମାନେ ନିର୍ଭର କରୁଛନ୍ତି । ଏହି ଚିକିତ୍ସାନୁଷ୍ଠାନରେ ଉନ୍ନତମାନର ଚିକିତ୍ସା ସ୍ୱଳ୍ପ ବ୍ୟୟରେ ହୋଇ ପାରୁଥିବାରୁ ପ୍ରତିଦିନ ବାହାର ରାଜ୍ୟରୁ ଶହ ଶହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଭୁବନେଶ୍ୱର ଏମ୍‍ସକୁ ଆସୁଛନ୍ତି । ଅବସ୍ଥା ଏଭଳି ହେଉଛି ଯେ ଓଡିଶାର ବହୁ ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ପାଇଁ ନିର୍ଦ୍ଦିଷ୍ଟ ଦିନରେ ଟିକଟ ମିଳିପାରୁ ନାହିଁ । ଡାକ୍ତରମାନେ ସୀମିତ ସଂଖ୍ୟକ ରୋଗୀ ବର୍ହିବିଭାଗରେ ଦେଖୁଥିବାରୁ ଅନ୍ୟ ରାଜ୍ୟର ରୋଗୀଙ୍କ ସଂଖ୍ୟା ବଢିବା ଫଳରେ ଓଡିଶାର ରୋଗୀ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି ।

ଯେଉଁ ସଂଖ୍ୟାରେ ଭୁବନେଶ୍ୱର ଏମ୍‍ସକୁ ରୋଗୀ ଆସୁଛନ୍ତି ସେହି ଅନୁପାତରେ ସାଧାରଣ ୱାର୍ଡ,ଆସିୟୁ ଓ କ୍ୟାବିନରେ ଶଯ୍ୟା ନଥିବାରୁ ତାହା ମଧ୍ୟ ବଡ ସମସ୍ୟା ସୃଷ୍ଟି କରୁଛି । ବହୁ ବିଭାଗରେ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସରମାନ ଖାଲି ପଡିଥିବାରୁ ଜୁନିଅର ଓ ସିନିଅର ରେସିଡେଣ୍ଟ ଡାକ୍ତରମାନଙ୍କ ଉପରେ ରୋଗୀମାନଙ୍କୁ ଭରସା କରିବାକୁ ହେଉଛି । ଖାଲି ପଡିଥିବା ଡାକ୍ତରୀ ଶିକ୍ଷକ ପଦବୀ ସବୁ ପୂରଣ ହୋଇପାରୁ ନଥିବାରୁ ଅଧ୍ୟାପନା, ଗବେଷଣା, ପରୀକ୍ଷା ପରିଚାଳନା ସହ ପ୍ରଶାସନ ଓ ରୋଗୀସେବା ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ଅନୁଭୂତ ହେଉଛି ।

ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି ଯେ କେବଳ ଭୁବନେଶ୍ୱର ନୁହେଁ ଦେଶର ବହୁ ଏମସରେ ଡାକ୍ତର ପଦବୀ ଖାଲି ରହିଛି । ଏ ପରିପ୍ରେକ୍ଷୀରେ ବାଲେଶ୍ୱରରେ ଖୋଲିଥିବା ଏମ୍‍ସର ଶାଖା କେନ୍ଦ୍ରରେ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଥି଼ବାବେଳେ ସୁନ୍ଦରଗଡରେ ଏମ୍‍ସର ଶାଖା ଖୋଲିବାପାଇଁ ବର୍ଷ ବର୍ଷ ଧରି ମଧ୍ୟ ଦାବି ହୋଇ ଆସୁଛି । ଏହାଛଡା ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ ଭୁବନେଶ୍ୱର ଏମ୍‍ସର ଶିଳାନ୍ୟାସ ହୋଇଥିବାବେଳେ ଏହି ସଂସ୍ଥାନରୁ ଇତି ମଧ୍ୟରେ ନେତାଜୀଙ୍କ ନାମ କୁଆଡେ ହଜି ଗଲାଣି । (ତଥ୍ୟ)