ଭୁବନେଶ୍ୱର : ଗାଁ ଗହଳର ଲୋକଙ୍କ ହାତକୁ କାମ ଯୋଗାଇବାପାଇଁ କାର୍ଯ୍ୟକାରୀ ହେଉଥିବା ମହାତ୍ମା ଗାନ୍ଧୀ ଏନଆରଇଜିଏସ୍ ଯୋଜନାରେ ଲୋକଙ୍କୁ ମିଳୁଥିବା କାର୍ଯ୍ୟଦିବସ ହାର ବଢିବାରେ ଲାଗିଛି । ଜାତୀୟସ୍ତରରେ ଗୋଟିଏ ପରିବାରକୁ ବର୍ଷକୁ ହାରାହାରି ୫୦ଦିନ କାମ ଯୋଗାଇ ଦିଆଯାଉଥିବାବେଳେ ଓଡିଶାରେ ଏହା ପ୍ରାୟ ୫୭ଦିନ ରହିଛି ।
୨୦୧୭-୧୮ ବର୍ଷରେ ଓଡିଶାରେ ଏମ୍ଜି ଏନ୍ଆରଇଜିଏସ୍ ଯୋଜନାରେ ସାମିଲ ହୋଇଥିବା ପରିବାରକୁ ବର୍ଷକୁ ହାରାହାରି ୪୦ ଦିନର କାମ ଯୋଗାଇ ଦିଆଯାଉଥିବାବେଳେ ୨୦୧୮-୧୯ ବର୍ଷରେ କିନ୍ତୁ ଏହା ହ୍ରାସ ପାଇ ହାରାହାରି ୩୮.୬୪ ଦିନ ରହିଥିଲା । ତେବେ ଏହା ପରଠାରୁ ପ୍ରତିବର୍ଷ ଯୋଗାଯାଉଥିବା କାର୍ଯ୍ୟଦିବସ ସଂଖ୍ୟା ବଢିବାରେ ଲାଗିଛି ।
୨୦୧୯-୨୦ ବର୍ଷରେ ଓଡିଶାରେ ବର୍ଷକୁ ହାରାହାରି ୪୮ଦିନର କାର୍ଯ୍ୟଦିବସ ଯୋଗାଯାଇଥିବାବେଳେ ଏହା ପରବର୍ଷ ତାହା ୫୫.୫୧ ଦିନରେ ପହଞ୍ଚିଥିଲା । ସେହିଭଳି ୨୦୨୧-୨୨ ବର୍ଷରେ ପ୍ରାୟ ୫୭ଦିନର କାର୍ଯ୍ୟ ଯୋଗାଇ ଦିଆଯାଇଥିଲା । ତେବେ ଏହି କେନ୍ଦ୍ରୀୟ ଯୋଜନାରେ ବର୍ଷକୁ ଶହେ ଦିନର କାମ ଯୋଗାଇବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ କୌଣସି ଗୋଟିଏ ହେଲେ ରାଜ୍ୟରେ ତାହା ସଫଳ ହୋଇନାହିଁ । କେବଳ ମିଜୋରାମରେ ୨୦୨୧-୨୨ ବର୍ଷରେ ବାର୍ଷିକ ହାରାହାରି ୯୪ଦିନର କାର୍ଯ୍ୟ ଯୋଗାଇ ଦିଆଯାଇଥିବାବେଳେ ତ୍ରିପୁରାରେ ଏହା ପ୍ରାୟ ୭୨ ଦିନ ରହିଛି ।
ତେବେ ପଡୋଶୀ ଆନ୍ଧ୍ରପ୍ରଦେଶ ଏମ୍ଜି ଏନ୍ଆରଇଜିଏସ୍ ଶ୍ରମିକମାନଙ୍କୁ ବର୍ଷକୁ ହାରାହାରି ୫୧.୬୪ ଦିନର କାମ ଯୋଗାଇ ଦେଇଥିବାବେଳେ ଛତିଶଗଡ ସରକାର ୫୯.୨୯ ଦିନର କାମ ଯୋଗାଇ ଦେଇଛନ୍ତି । ସେହିଭଳି ଝାଡଖଣ୍ଡରେ ଶ୍ରମିକମାନେ ୪୫.୨୭ ଦିନର କାମ ପାଇଥିବାବେଳେ ପଶ୍ଚିମବଙ୍ଗରେ ଏହା ପ୍ରାୟ ୪୮ ଦିନ ରହିଛି ।
ଏହି କେନ୍ଦ୍ରୀୟ ଯୋଜନାରେ ଶ୍ରମିକମାନଙ୍କୁ ମାଟିକାମ କରିବାକୁ ଦିଆଯାଉଥିବାର ଅଧିକାଂଶ ସ୍ଥାନରେ ଲୋକେ ଏଥିପାଇଁ ରାଜି ହେଉନାହାନ୍ତି । ସେହିଭଳି ବେସରକାରୀ ମଜୁରୀ ତୁଳନାରେ ଏଥିରେ କମ୍ ପାରିଶ୍ରମିକ ମିଳୁଥିବାରୁ କମ୍ ଅର୍ଥରେ ମାଟି ମୁଣ୍ଡାଇବାପାଇଁ ଶ୍ରମିକମାନେ ରାଜି ହେଉନାହାନ୍ତି । ଫଳରେ ଅନେକ ସମୟରେ ଶ୍ରମିକଙ୍କ ବଦଳରେ ମେସିନ ଦ୍ୱାରା ଏମଜି ଏନ୍ଆରଇଜିଏସ୍ କାର୍ଯ୍ୟ ହେଉଥିବାର ଅଭିଯୋଗ ଆସିବାରେ ଲାଗୁଛି ।
ତେବେ କୋଭିଡ ପରବର୍ତ୍ତୀ ସମୟରେ ରାଜ୍ୟରେ ଏହି କେନ୍ଦ୍ରୀୟ ଯୋଜନାରେ ଅଧିକରୁ ଅଧିକ ଶ୍ରମିକ କାମ କରୁଥିବାବଳେ ଲୋକଙ୍କ ହାତକୁ କାମ ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ଅମୃତ ସରୋବର ଭଳି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ପ୍ରତି ଜିଲ୍ଲାରେ ଅତି କମ୍ରେ ୭୫କରି ବୃହତ୍ ପୋଖରୀ ଖୋଳିବାର ଯୋଜନା ଥିବାରୁ ଏମ୍ଜି ଏନ୍ଆରଇଜିଏସ୍ରେ କାର୍ଯ୍ୟଦିବସ ଆହୁରି ଅଧିକ ବଢିବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । (ତଥ୍ୟ)