ଭୁବନେଶ୍ୱର : ମଦ ବିକ୍ରି ପାଇଁ ଓଡିଶା ରାଜ୍ୟ ମଦ ନିଗମ ରଖିଥିବା ମିନିମମ ଗ୍ୟାରେଣ୍ଟି କ୍ୱାଣ୍ଟିଟି (ଏମଜିକ୍ୟୁ) ବ୍ୟବସ୍ଥାକୁ ଉଚ୍ଛେଦ କରିବାପାଇଁ ଆଜି ବିଧାନସଭାରେ ଦାବି କରିଛନ୍ତି ବିଜେପି ବିଧାୟକ ଅମରେନ୍ଦ୍ର ଦାସ ।
ଶୂନ୍ୟକାଳରେ ଶ୍ରୀ ଦାସ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ମଦ ନିଗମର ଏମଜିକ୍ୟୁ ନିୟମ ଦ୍ୱାରା ମଦ ଦୋକାନୀମାନେ ବାଧ୍ୟହୋଇ ଅଧିକ ପରିମାଣରେ ମଦ ଉଠାଉଛନ୍ତି । ସମସ୍ତ ମଦ ବିକ୍ରି ହେଉନଥିବାରୁ ବଳି ପଡୁଥିବା ମଦକୁ କୋଚିଆମାନଙ୍କ ଦ୍ୱାରା ବିକ୍ରି ହେଉଛି । ସେମାନେ ଏହି ମଦକୁ ନେଇ ମଦ ଦୋକାନ ବାହାରେ ବିକ୍ରି ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି । ରାଜ୍ୟରେ ଚୋରା ମଦ କାରବାରର ଏହା ଏକ ପ୍ରମୁଖ କାରଣ ପାଲଟିଛି ।
ଶ୍ରୀ ଦାସ କହିଥିଲେ ଯେ ରାଜ୍ୟରେ ନାରୀ ନିର୍ଯ୍ୟାତନା, ଦୁର୍ଘଟଣା, ହତ୍ୟା ଧର୍ଷଣ ଆଦିର ମୂଳ କାରଣ ହେଉଛି ମଦ । ଚୋରା ମଦ କାରବାର ଯୋଗୁଁ ରାଜ୍ୟରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେଣୁ ପୂର୍ବ ସରକାର ମଦ ଦୋକାନଗୁଡିକ ପାଇଁ ଯେଉଁ ଏମଜିକ୍ୟୁ ବ୍ୟବସ୍ଥା କରିଛନ୍ତି ତାହାକୁ ତୁରନ୍ତ ଉଚ୍ଛେଦ କରନ୍ତୁ ।
ତେବେ ଆଜି ଶ୍ରୀ ଦାସ ଆଜି ଏ ସଂକାନ୍ତରେ ପଚାରିଥିବା ଏକ ତାରକା ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟରେ ସମସ୍ତ ମଦ ଦୋକାନରେ ଯେଉଁ ଏମଜିକ୍ୟୁ ରହିଛି ଏହା ଉଚ୍ଛେଦ ହେବାର କୌଣସି ପ୍ରସ୍ତାବ ସରକାରଙ୍କ ନିକଟରେ ନାହିଁ ।