Home News in Odia ଏବେ ବିଧାୟକଙ୍କୁ ଜଗିବାର ବେଳ

ଏବେ ବିଧାୟକଙ୍କୁ ଜଗିବାର ବେଳ

ଭୁବନେଶ୍ୱର : ରାଜ୍ୟସଭା ର୍ନିବାଚନରେ ଓଡିଶାରୁ ଚତୁର୍ଥ ଆସନଟି ଦଖଲ କରିବାପାଇଁ ଉଭୟ ଶାସକ ବିଜେପି ଏବଂ ବିଜେଡି-କଂଗ୍ରେସ ମେଣ୍ଟ ପକ୍ଷରୁ ଦାବି କରାଯାଉଥିବାବେଳେ ଏହି ତିନିଦଳ ପାଇଁ ପ୍ରମୁଖ ଆହ୍ୱାନ ହୋଇଛି ନିଜ ନିଜ ବିଧାୟକମାନଙ୍କୁ ଆୟତ୍ତରେ ରଖିବା ।

ଇତି ମଧ୍ୟରେ ବିଜେପିର ଚାଣକ୍ୟ ବୋଲି କୁହାଯାଉଥିବା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସି ପ୍ରଦେଶ ମୁଖ୍ୟ ଦପ୍ତରରେ ଦଳୀୟ ବିଧାୟକ, ଛାମୁଆ ନେତା ଏବଂ ପ୍ରାର୍ଥୀମାନଙ୍କୁ ଭେଟିଛନ୍ତି । ଏହି ବୈଠକରେ ବି ସ୍ୱାଧୀନ ପ୍ରାର୍ଥୀଭାବେ ବିଜେପି ସମର୍ଥନରେ ଲଢୁଥିବା ଦିଲ୍ଲୀପ ରାୟ ଉପସ୍ଥିତ ଥିଲେ । ତେବେ ବୈଠକ ପୂର୍ବରୁ ଓ ପରେ ଦଳର ନେତାମାନେ ଜୋର ଦେଇ କହୁଛନ୍ତି ଯେ ବିଜେପି ନିଶ୍ଚୟ ତିନିଟି ଆସନରେ ଜିଣିବ । ବିଶେଷକରି ବିଜେଡି ଓ କଂଗ୍ରେସ ନେତୃତ୍ୱ ଉପରେ ସେହି ଦଳର ବହୁ ବିଧାୟକ ଅସନ୍ତୁଷ୍ଟ ଥିବାରୁ ସେମାନେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିବେକାନୁମୋଦିତ ଭୋଟ ଦେବେ ବୋଲି ଦଳର ନେତାମାନେ ଆଶା ରଖିଛନ୍ତି ।

ଅନ୍ୟ ପକ୍ଷରେ ଓଡିଶାରେ ବିଜେପି କ୍ଷମତାକୁ ଆସିବାପରେ ଏଯାବତ୍‍ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରାନଯିବା, ଜିଲ୍ଲା ଯୋଜନା ବୋର୍ଡରେ ବିଧାୟକମାନଙ୍କୁ ଅଧ୍ୟକ୍ଷ କରାନଯିବା ଏବଂ ରାଜ୍ୟ ଯୋଜନା ବୋର୍ଡ ସମେତ ଅନ୍ୟାନ୍ୟ ନିଗମଗୁଡିକରେ ନିଯୁକ୍ତି ଦିଆଯାଉନଥିବା କାରଣରୁ ବିଜେପି ଭିତରେ ଯେଉଁ ପୁଞ୍ଜିଭୂତ ଅସନ୍ତୋଷ ରହିଛି ସେଥିରୁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ସମସ୍ତ ବିଧାୟକଙ୍କ ସମର୍ଥନ ପାଇନପାରନ୍ତି ବୋଲି ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଅରୁଣ ସାହୁ ଆଶଙ୍କାବ୍ୟକ୍ତ କରିଛନ୍ତି ।

ଇତି ମଧ୍ୟରେ କଂଗ୍ରେସ ତାହାର ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର କରିଥିବାବେଳେ ବିଜେଡି ମଧ୍ୟ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ଭଳି ନେତାମାନଙ୍କୁ ଦଳରୁ କାଢି ଦେଇଛି । ମୋକିମଙ୍କ ଝିଅ କଂଗ୍ରେସ ବିଧାୟିକା ଥିବାବେଳେ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ପୁଅ ବିଜେଡି ବିଧାୟକ ଅଛନ୍ତି । ଏମାନଙ୍କ ଛଡା ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କ ଭଳି ଆଉ ଦୁଇଜଣ ବିଧାୟକଙ୍କୁ ମଧ୍ୟ ବିଜେଡି ଦଳରୁ ନିଲମ୍ବନ କରିଛି ।

ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସର କେତେକ ନେତା ଦଳୀୟ ନେତୃତ୍ୱ ଓ ଆଭିମୁଖ୍ୟ ଘେନି ବାରମ୍ବାର ଖୋଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାଛଡା ଆଉ କେତେକ ମଧ୍ୟ ଅସନ୍ତୋଷର ବହ୍ନିରେ କୁହୁଳୁଛନ୍ତି । ଏଭଳି ସ୍ଥିତିରେ ବିଜେଡିର ଘୋଷିତ ସ୍ୱାଧୀନ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ଦେଇଛି ଏବଂ ନବୀନ ପଟ୍ଟନାୟକଙ୍କ ୨୪ବର୍ଷର ଶାସନକୁ ପ୍ରଦେଶ କଂଗ୍ରେସ ସଭାପତି ପ୍ରଶଂସା କରିବା ଘଟଣାକୁ ଦଳର ବହୁ ନେତା ହଜମ କରିପାରୁ ନାହାନ୍ତି ।

ଅନ୍ୟପକ୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଥରେ ଧର୍ମ ନିରପେକ୍ଷ କାର୍ଡ ଖେଳି ସ୍ୱାଧୀନ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କ ସପକ୍ଷରେ କଂଗ୍ରେସ ଭୋଟ ଆସିବ ବୋଲି ଆଶା ରଖିଛନ୍ତି । ଆଗାମୀ ଦିନରେ ବିଜେପିକୁ ପରାହତ କରବାପାଇଁ କଂଗ୍ରେସ ଓ ବିଜେଡି ମିଳିତ ଭାବେ ଲଢେଇ ଜାରି ରଖିବେବୋଲି କଂଗ୍ରେସ ପକ୍ଷରୁ କେତେକ ନେତା ପ୍ରତିକ୍ରିୟା ଦେଇଥିବାବେଳେ ନବୀନଙ୍କ ରାଜନୈତିକ ପରାମର୍ଶଦାତା ତଥା ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଦେଇଥିବା ଖୋଲା ବକ୍ତବ୍ୟରେ ବିଜେଡି ସହ କଂଗ୍ରେସ କରିଥିବା ବୁଝାମଣା କେବଳ ରାଜ୍ୟସଭା ନିର୍ବାଚନରେ ସୀମିତ ବୋଲି ଉଲ୍ଲେଖ କରିବାପରେ ନିଆଁରେ ଘିଅ ଢାଳିବା ଭଳି ଅବସ୍ଥା ହୋଇଛି ।

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ବୟାନରେ କଂଗ୍ରେସ-ବିଜେଡିର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ବିଜୟଲାଭ କରିବେ ବୋଲି ଆଶାବ୍ୟକ୍ତ କରିଥିବାବେଳେ ଏହି ନିର୍ବାଚନରେ ଅର୍ଥ ପ୍ରଭାବୋର କ୍ରସ ଭୋଟିଂ ହୋଇପାରେ ବୋଲି ମଧ୍ୟ ଆଶଙ୍କାବ୍ୟକ୍ତ କରିଛନ୍ତି । ଏଭଳି ସ୍ଥିତିରେ ଓଡିଶାର ରାଜନୀତି ରୋଚକ ମୋଡରେ ରହଛି । ବିଶେଷକରି ବିଭିନ୍ନ ଦଳର ମୁଣ୍ଡିଆଳମାନେ ସେମାନଙ୍କର ବିଧାୟକମାନଙ୍କୁ କେତେଦୂର ନିୟନ୍ତ୍ରଣରେ ରଖିପାରୁଛନ୍ତି ତାହା ରାଜ୍ୟସଭା ନିର୍ବାଚନ ଫଳାଫଳରୁ ଜଣାପଡିବ । (ତଥ୍ୟ)