ଭୁବନେଶ୍ୱର : ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ସହ ଭାରତୀୟ ଜନତା ପାର୍ଟିର ମେଣ୍ଟ ପ୍ରସଙ୍ଗରେ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଘନ ଘନ ବୈଠକ ଚାଲିଥିବାବେଳେ ଏଯାବତ୍ ମେଣ୍ଟ ହେବ କି ନାହିଁ ଏବଂ ଯଦି ମେଣ୍ଟ ହୁଏ ତେବେ କେଉଁ ଦଳ କେତେ ଆସନ ପାଇବେ ଓ କେଉଁ କେଉଁ ଆସନରୁ କେଉଁ ଦଳ ପ୍ରାର୍ଥୀ ଛିଡା କରାଇବେ ତାହାର ଚିତ୍ର ଅସ୍ପଷ୍ଟ ରହିଛି । ଏବେ ଏହି ଚର୍ଚ୍ଚାରେ ଆଉ ଏକ ନୂଆ ପ୍ରସଙ୍ଗ ଯୋଡି ହୋଇଛି । ତାହା ହେଲା ବିଜେଡି-ବିଜେପି ମେଣ୍ଟ କଲେ ରାଜ୍ୟ ସରକାରରେ ବିଜେପି ଓ କେନ୍ଦ୍ର ସରକାରରେ ବିଜେଡି ସାମିଲ ହେବ କି ନାହିଁ ।
୧୯୯୮ରୁ ୨୦୦୮ ପର୍ଯ୍ୟନ୍ତ ୧୦ ବର୍ଷ ଧରି ବିଜେଡି-ବିଜେପି ମେଣ୍ଟ ଥିଲା । ଏହି ସମୟରେ ବାଜପେୟୀଙ୍କ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ବିଜେଡି ସାମିଲ ଥିବାବେଳେ ୨୦୦୦ରୁ ୨୦୦୮ ପର୍ଯ୍ୟନ୍ତ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ରାଜ୍ୟ ସରକାରରେ ବଜେପିର ପ୍ରତିନିଧିତ୍ୱ ରହିଥିଲା ।
ତେବେ ଲକ୍ଷ୍ମଣା ନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯିବା ଘଟଣାରେ ବିଜେପି ବିଜେଡି ସହ ମେଣ୍ଟ ଛିନ୍ନ କରିଥିଲା । ମେଣ୍ଟ ସରକାରରୁ ବାହାରି ଆସିବା ପରେ ବିଜେପି ପୁଣି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେଡି ସହ ମେଣ୍ଟ କରିବାକୁ ନିଜ ଆଡୁ ଆଗ୍ରହ ପ୍ରକାଶ କରିଥିଲା । ଏଥିପାଇଁ ବିଜେପିର ବରିଷ୍ଠ ନେତା ଚନ୍ଦନ ମିତ୍ର ଓଡ଼ିଶା ଗସ୍ତରେ ଆସି ନବୀନ ପଟ୍ଟନାୟକଙ୍କ ସହ ଦୀର୍ଘର୍ ଆଲୋଚନା କରିଥିଲେ । ତେବେ ବିଜେପି ମେଣ୍ଟ ସରକାରରୁ ଓହରି ନବୀନ ପଟ୍ଟନାୟକଙ୍କ ସରକାରକୁ ବରଖାସ୍ତ କରିବା ଲାଗି ପୂର୍ବରୁ ଦାବି କରୁଥିବା ପରିପ୍ରେକ୍ଷୀରେ ୨୦୦୯ ନିର୍ବାଚନରେ ଏହି ଦୁଇ ଦଳ ମଧ୍ୟରେ ମେଣ୍ଟ ହୋଇପାରିନଥିଲା । ପରିଣାମ ସ୍ୱରୂପ ୨୦୦୯ ଓ ୨୦୧୪ର ନିର୍ବାଚନରେ ବିଜେଡି ରାଜ୍ୟରେ ସରକାର ଗଢିଥିବାବେଳେ କଂଗ୍ରେସ ଦ୍ୱିତୀୟ ଓ ବିଜେପି ତୃତୀୟ ସ୍ଥାନରେ ରହିଥିଲା । ୨୦୧୯ ନିର୍ବାଚନରେ ବିଜେଡିର ସ୍ଥିତି ଅତୁଟ ରହିଥିବାବେଳେ କଂଗ୍ରେସକୁ ପଛକୁ ପକାଇ ବିଜେପି ଦ୍ୱିତୀୟ ସ୍ଥାନକୁ ଆସିଥିଲା ।
ମେଣ୍ଟ ଭାଙ୍ଗିବାର ପ୍ରାୟ ୧୫ବର୍ଷ ପରେ ପୁଣି ଥରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଘେନି ବିଭିନ୍ନ ସ୍ତରରେ ଆଲୋଚନା ଚାଲିଛି । ଏମିତିକି ଏହି ନିର୍ବାଚନରେ ଗୋଟିଏ ସର୍ଭେ ରିପୋର୍ଟରେ ବିଜେଡି ୨୦ଟି ଲୋକସଭା ଆସନ ସହ ୧୨୬ଟି ବିଧାନସଭା ଆସନରୁ ଜିଣିବା ପାଇଁ କୁହାଯାଇଥିବାବେଳେ ଆଉ ଗୋଟିଏ ରିପୋର୍ଟରେ ବିଜେପି ୧୮ଟି ଲୋକସଭା ସହ ଶତାଧିକ ବିଧାନସଭା ଆସନ ଅକ୍ତିଆର କରିବ ବୋଲି ଦାବି କରିଛି । କଂଗ୍ରେସ ମଧ୍ୟ ଅଧାରୁ ଅଧିକ ଲୋକସଭା ଆସନ ସହିତ ବିଧାନସଭାରେ ତାହାର ସଦସ୍ୟ ସଂଖ୍ୟା ୯ରୁ ୯୦କୁ ବଢାଇବା ପାଇଁ ଆଶାବାଦୀ ।
ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି କେନ୍ଦ୍ରରେ ବିଜେପି ନେତୃତ୍ୱରେ ସରକାର ଯଦି ଗଢାଯାଏ ତେବେ କେନ୍ଦ୍ର ସରକାରରେ ବିଜେଡି ଓ ରାଜ୍ୟ ସରକାରରେ ବିଜେପି ସାମିଲ ହେବ କି ନାହିଁ ବୋଲି । ଏ ସଂକ୍ରାନ୍ତରେ ଉଭୟ ଦଳ ପକ୍ଷରୁ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ଦିଆଯାଉନାହିଁ । ତେବେ ଉଭୟ ଦଳର କିଛି ଆଶାୟୀ କିନ୍ତୁ ମନ୍ତ୍ରୀ ହେବା ଲୋଭରେ ଅଛନ୍ତି ।
ଯଦି ମେଣ୍ଟ ହୁଏ ତେବେ ବିଜେପି ଅଧିକ ସଂଖ୍ୟକ ଲୋକସଭା ଆସନ ଓ ବିଜେଡି ଅଧିକ ସଂଖ୍ୟକ ବିଧାନସଭା ଆସନରୁ ପ୍ରାର୍ଥୀ ଦେଇପାରେ । ତେବେ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ଥିବାବେଳେ ଉଭୟ ଲୋକସଭା ଓ ବିଧାନସଭା କ୍ଷେତ୍ରରେ ବିଜେଡି ଅଧିକ ସ୍ଥାନରୁ ପ୍ରାର୍ଥୀ ଦେଉଥିଲା ଏବଂ ବିଜେପି ଭାଗରେ କମ୍ ଆସନ ପଡୁଥିଲା । ଏମିତିକି ୨୦୦୦ର ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିକୁ ବିଜେଡି ଓଡ଼ିଶାରେ ଯେତେ ଆସନ ଛାଡିଥିଲା ୨୦୦୪ରେ ଏହି ସଂଖ୍ୟା ତାହାଠାରୁ ଢେର୍ କମ୍ ଥିଲା । ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ପୁନର୍ବାର ୨୦୦୯ରେ ବିଜେପି ମେଣ୍ଟ ପାଇଁ ଆଗ୍ରହ ପ୍ରକାଶ କରିବାବେଳେ ବିଜେଡି ପକ୍ଷରୁ ଆହୁରି କମ ଆସନ ଦେବାକୁ କୁହାଯିବାରେ ଆଉ ମେଣ୍ଟ ହୋଇପାରିନଥିଲା । ୨୦୨୪ରେ ମେଣ୍ଟର ସ୍ୱରୁପ କିଭଳି ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)