ଭୁବନେଶ୍ବର : ଖରାକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨ରୁ ରାଜ୍ୟରେ ହେବ ସକାଳୁଆ ସ୍କୁଲ । ତେବେ ସ୍କୁଲର ସମୟ ସାରଣୀ ପ୍ରକାଶ ପାଇନାହିଁ । ସ୍ଥିତିକୁ ଦେଖି ସପ୍ତାହେ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ମାର୍ଚ୍ଚ ୨୭ରେ ପରୀକ୍ଷା ସରିବା ପରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ହେବ। ସକାଳ ୭ରୁ କ୍ଲାସ ହେବ। ତାପମାତ୍ରା ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ। ଏ ନେଇ ବିଜ୍ଞପ୍ତି ପ୍ରକାଶ କରିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଥିସହ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜିଠୁ ଅଙ୍ଗନୱାଡି କେନ୍ଦ୍ର ସକାଳୁଆ ଆରମ୍ଭ ହୋଇଛି । ସକାଳ ୭ଟାରୁ ଦିନ ୯ଟା ଯାଏ ଖୋଲା ରହୁଛି ଅଙ୍ଗନବାଡ଼ି । ତାତି ବଢ଼ିଲେ ଛୁଟି ଘୋଷଣା କରିପାରିବେ ଜିଲ୍ଲାପାଳ । ଗ୍ରୀଷ୍ମପ୍ରବାହର ସ୍ଥିତି ଦେଖି ଶିଶୁଙ୍କ ପାଇଁ ଘରେ ପହଁଚିବ ଶୁଖିଲା ଖାଦ୍ୟ ।
ଚଳିତ ବର୍ଷ ଗ୍ରୀଷ୍ମ ଋତୁ ମାସେ ଆଗରୁ ଆରମ୍ଭ ହୋଇଯାଇଛି। ଧୀରେ ଧୀରେ ଜିଲ୍ଲା ଗୁଡିକର ଦିନ ତାପମାତ୍ରା ବଢୁଛି। ଦୁଇ ଦିନ ତଳେ ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର ଥିଲା। ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼ରେ ମଧ୍ୟ ଅସହାୟ ଗରମ ହେଲାଣି। ଉପକୂଳ ଜିଲ୍ଲାରେ ଆଦ୍ରତା ଅନୁଭବ ହେଲାଣି। ଏହାକୁ ଦୃଷ୍ଟିରେ ରଖି ପ୍ରାକ ପ୍ରସ୍ତୁତି ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗ ଓ ଜିଲ୍ଲାକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ଏଭିତରେ ତିନୋଟି ବୈଠକ ସରିଲାଣି। ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଅଧ୍ୟକ୍ଷତାରେ ଶେଷ ବୈଠକ ବସିଥିଲା ଯେଉଁଠି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଜଳ ସମ୍ପଦ, ଶକ୍ତି, ନଗର ଉନ୍ନୟନ, ମହିଳା ଓ ଶିଶୁ ବିଭାଗ ଅଧିକାରୀ, ଡିଜିପି, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଯେଉଁ ନିର୍ଦେଶାବଳି ଦେଇଛନ୍ତି ତାର ଅନୁପାଳନ ପାଇଁ ନିର୍ଦେଶ ଦିଆଯାଇଛି। ଯେଉଁ ଜିଲ୍ଲାରେ ପାଣି ପାଣିପାଗ ପରିବର୍ତ୍ତନ ହେଉଛି, ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି ନିଷ୍ପତ୍ତି ନେବାକୁ ଓ ଖର୍ଚ୍ଚ କରିବାକୁ। ପରେ ଭରଣା ହେବ।
ସେହିଭଳି ଶ୍ରମିକମାନେ ସକାଳ ୧୧ରୁ ୩ ଯାଏଁ କାମ ନ କରିବାକୁ ନିର୍ଦେଶ ଦିଆଯାଇଛି। ଯେଉଁ ମାଲିକ କାମ କରାଇବେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ଜଳଛତ୍ର ଖୋଲିବା ସହ ଟ୍ୟୁବୱଲ ଖନନ ପାଇଁ ୩୦୦ କୋଟି ଦିଆଯାଇଛି। ଅଘୋଷିତ ବିଜୁଳି କାଟ ହେବନି। ଘୋଷିତ ବିଜୁଳି କାଟ ବି ବେଶି ସମୟ ହେବନି। ବନ୍ୟା ବାତ୍ୟା ଭଳି ଗ୍ରୀଷ୍ମ ପ୍ରବାହରେ ବି ଜିରୋ କାଜୁଆଲିଟି ଲକ୍ଷ୍ୟ ରଖିଛନ୍ତି ସରକାର। ରାସ୍ତାରେ ବିଭିନ୍ନ ସ୍ଥାନରେ ଛାଇ ପାଇଁ ଛାମୁଡ଼ିଆ ଲାଗିବ ଓ ଜଳଛତ୍ର ଖୋଲାଯିବ। ଖରା ଦିନେ ଅଘୋଷିତ ପାୱାର କଟ୍ ନକରିବାକୁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଯଦିଓ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ଦିନରେ ତାପମାତ୍ରା କମିବ, ତେବେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ସରକାରୀ ସ୍ତରରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଯାହା ଏସଓପି ଜାରି କରାଯାଇଛି, ତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଆବଶ୍ୟକସ୍ଥଳେ ଏସଓପି ବାହାରେ ମଧ୍ୟ କାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ବିଗତ ଦିନରେ ସଚେତନତାମୂଳକ ପ୍ରଚାର ପ୍ରସାର ଜରିଆରେ ସଫଳତା ମିଳିଛି । ତେଣୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଟିଭି, ରେଡିଓ, ଖବରକାଗଜ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ସରକାର ପରାମର୍ଶ ଦେଇଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି।