Home Election ଏପ୍ରିଲ ପହିଲାରୁ ଏସଆଇଆର

ଏପ୍ରିଲ ପହିଲାରୁ ଏସଆଇଆର

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଏପ୍ରିଲ ପହିଲାରୁ ଆରମ୍ଭ ହେବ ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ. ଗୋପାଳନ। ରାଜ୍ୟରେ ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ ସରିଛି। ଏହି ୯୦ପ୍ରତିଶତ ଭୋଟର ତାଲିକାରେ ଯେଉଁମାନେ ଅଛନ୍ତି ସେମାନେ ଉଭୟ ୨୦୨୫ ଭୋଟର ତାଲିକା ଏବଂ ୨୦୦୨ରେ ମଧ୍ୟ ଅଛନ୍ତି। ଏଭଳି କ୍ଷେତ୍ରରେ ବିଏଲଓଙ୍କୁ ଜଣାଇବାକୁ କହିଛନ୍ତି ନିର୍ବାଚନ ଅଧିକାରୀ।

ବାକିଥିବା ୧୦ ପ୍ରତିଶତ ସହରାଞ୍ଚଳ ପାଇଁ ସମସ୍ୟା ସୃଷ୍ଟି କରିଛି। ବିଶେଷ କରି ଯେଉଁ ଭୋଟରମାନେ ୨୦୦୨ରେ ଗ୍ରାମାଞ୍ଚଳର ଭୋଟର ଥିଲେ ଏବଂ ୨୦୨୫ରେ ସହରାଞ୍ଚଳର ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି ସେମାନଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେରେ ସେ କହିଛନ୍ତି, ୨୦୨୫ ତାଲିକାରେ ଥିବା ୯୦ ପ୍ରତିଶତ ୨୦୦୨ ତାଲିକାରେ ବି ଅଛନ୍ତି। ଆଉ ୧୦ ପ୍ରତିଶତ ଆମ ପାଇଁ କଷ୍ଟକର। ଯଦି ୨୦୦୨ରେ ଆପଣଙ୍କ ନାଁ ନ ଥିଲା, ଆପଣଙ୍କ ବାପାମାଆଙ୍କୁ ଖୋଜାଯିବ। ୯୫ ପ୍ରତିଶତ ମ୍ୟାପିଂ ଆମର ଲକ୍ଷ୍ୟ, ଏଭଳି ହେଲେ ସମସ୍ତଙ୍କ ପାଇଁ ସୁବିଧା ହେବ ବୋଲ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ସବୁଠୁ ବଡ଼ କଥା ୨୦୦୨ ଭୋଟର ତାଲିକାକୁ ଏକ ମୂଳ ଆଧାର ଭାବେ ବ୍ୟବହାର କରି ୨୦୨୫ ଭୋଟର ତାଲିକା ସହିତ ମ୍ୟାପିଂ କରାଯିବ। ୨୦୦୨ ମସିହାରେ ଯେଉଁ ବୁଥ୍‌ରେ ମତଦାନ କରିଥିଲେ ତାର ବୁଥ୍ ନମ୍ବର କହିଲେ ବି ସଂଶୋଧନ ହେବ। କିନ୍ତୁ ଯଦି ଜଣକ ପାଖରେ କିଛି ବି ଲିଷ୍ଟ ନାହିଁ ତେବେ ତାକୁ ୧୧ ନମ୍ବର ବିଶିଷ୍ଟ ଫର୍ମ ଦିଆଯିବ। ତାକୁ ପୂରଣ କଲେ ବି ଚଳିବ। ଉଦ୍ଦେଶ୍ୟ ହେଉଛି ଯେମିତି ଭୋଟର ତାଲିକା ପୂରା ସ୍ବଚ୍ଛ ହେବା ଦରକାର। ଯଦି କାହାର ଦୁଇ ଆଡେ ଭୋଟର ତାଲିକାରେ ନାଁ ଥାଏ ତେବେ ସେ ଗୋଟିଏ ଜାଗାରେ ରଖି ପାରିବେ। ଦୁଇଟି ବା ଏକାଧିକ ଜାଗାରେ ରଖିଲେ ତାହା ଦଣ୍ଡନୀୟ ଅପରାଧ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ମ୍ୟାପିଂ ସମୟରେ ଭୋଟରଙ୍କ ନାମ, ସମ୍ପର୍କୀୟଙ୍କ ନାମ, ବୟସ/ଜନ୍ମତାରିଖ, ମତଦାନ କେନ୍ଦ୍ର, ଭାଗ ସଂଖ୍ୟା ଓ ଭୋଟରକାର୍ଡ ବିବରଣୀ ମିଳାଯିବ। ଏହି ପ୍ରକ୍ରିୟାରେ ବୁଥ ସ୍ତରୀୟ ଅଧିକାରୀମାନେ କ୍ଷେତ୍ର ସ୍ତରରେ ସହାୟତା କରିବେ ଏବଂ ଇସିଆଇ ନେଟ ପୋର୍ଟାଲ୍, ଭୋଟର ସେବା ପୋର୍ଟାଲ୍, ସିଇଓ ଓଡ଼ିଶା ୱେବସାଇଟ୍ ଓ ଇସିଆଇନେଟ ମୋବାଇଲ୍ ଆପ୍ ମାଧ୍ୟମରେ ଭୋଟରମାନେ ତଥ୍ୟ ଯାଞ୍ଚ କରିପାରିବେ। ଯଦି ୨୦୦୨ ତାଲିକାରେ ନାମ ନ ମିଳେ, ତେବେ ନିଜ ପିତା/ମାତାଙ୍କ ବିବରଣୀ ଦେଇ  ମ୍ୟାପିଂ କରାଇପାରିବେ।। ଯଦି୨୦୦୨ ଭୋଟର ତାଲିକାରେ ନିଜର, ପିତା/ମାତାଙ୍କର ନାମ ପାଇବାରେ ଅସମର୍ଥ ହୁଅନ୍ତି ତେବେ ନିଜର ଜେଜେବାପା/ଜେଜେମାଙ୍କ ବିବରଣୀ ଦେଇ ମ୍ୟାପିଂ କରାଇପାରିବେ। ଏହି ମ୍ୟାପିଂ ପ୍ରକ୍ରିୟା ପାଇଁ କୌଣସି ଦସ୍ତାବିଜ କିମ୍ବା ଆଧାର କାର୍ଡ ଦେବା ଆବଶ୍ୟକ ନୁହେଁ ଏବଂ ଏସଆଇଆର ଆରମ୍ଭ ହେଲେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ନାମ ପଞ୍ଜିକରଣ କରାଯିବ ବୋଲି ସେ କହିଛନ୍ତି।