Home News in Odia ଏପ୍ରିଲରେ ରେକର୍ଡ ଅବକାରୀ ମାମଲା

ଏପ୍ରିଲରେ ରେକର୍ଡ ଅବକାରୀ ମାମଲା

ଭୁବନେଶ୍ୱର : ଅବକାରୀ ବିଭାଗର ଧରପଗଡ ଯୋଗୁଁ ମାସକ ମଧ୍ୟରେ ୩୭୮୧ ଜଣ ଗିରଫ ହୋଇଥିବାବେଳେ ୪୪୪୬ଟି ମାମଲା ରୁଜୁ ହୋଇଛି । ଏପ୍ରିଲ୍‍ ମାସର ଧରପଗଡ ସଂକ୍ରାନ୍ତରେ ଅବକାରୀ କମିଶନର ଆଶିଷ କୁମାର ସିଂହ କରିଥିବା ସମୀକ୍ଷାରୁ ଏହା ଜଣାପଡିଛି ।

ଅବକାରୀ କମିଶନରଙ୍କ ଏହି ଭର୍ଚୁଆଲ ସମୀକ୍ଷା ବୈଠକରେ ଅବକାରୀ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସମୀକ୍ଷାରୁ ଜଣାପଡିଛି ଯେ ଏପ୍ରିଲ ମାସରେ ଜୋରଦାର ଧରପଗଡ ଯୋଗୁଁ ୪୪୪୬ଟି ମାମଲା ରୁଜୁ ହୋଇଥିବାବେଳେ ୩୭୮୧ଜଣ ଗିରଫ ହୋଇଛନ୍ତି ଯାହାକି ଏକ ରେକର୍ଡ । ଗତବର୍ଷ ଏପ୍ରିଲ୍‍ ମାସରେ ଏହି ସଂଖ୍ୟା ଯଥାକ୍ରମେ ୨୮୦୭ ଓ ୨୩୫୭ ରହିଥିଲା । କେବଳ ଗିରଫଦାରୀ ଓ ମାମଲା ନୁହେଁ, ଗତବର୍ଷ ଏପ୍ରିଲ୍‍ ତୁଳନାରେ ଚଳିତବର୍ଷ ଏପ୍ରିଲ୍‍ରେ ପ୍ରାୟ ୬କୋଟି ଟଙ୍କାର ଅବକାରୀ ସାମଗ୍ରୀ ବି ଜବତ ହୋଇଛି ।

ଏପ୍ରିଲ୍‍ ମାସରେ ଅବକାରୀ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଚଢଉ କରି କାରଖାନା ପ୍ରସ୍ତୁତ ୧,୦୨,୭୦୬ ଲିଟର ଦେଶୀମଦ, ୮,୬୪,୬୭୦ ଲିଟର ମଦ ପ୍ରସ୍ତୁତ ସାମଗ୍ରୀ, ୧୧୦୮ ଲିଟର ଦେଶୀ ମଦ, ୧୨୯୩ କିଲୋ ଭାଙ୍ଗ, ୧୫୧୩ କୁଇଣ୍ଟାଲ ମହୁଲ ଫୁଲ ସହିତ ୨୧ଲିଟର ଟିକସ ଫାଙ୍କି ବିଦେଶୀ ମଦ ଓ ୬୬୧ଲିଟର ନକଲି ବିଦେଶୀ ମଦ ଜବତ କରିଛନ୍ତି । ଏଥି ସହିତ ଧରପଗଡ ସମୟରେ ୧୮୪ଟି ଗାଡିମୋଟରକୁ ମଧ୍ୟ ଅବକାରୀ ଅଧିକାରୀମାନେ ଜବତ କରିଛନ୍ତି ।

ସେହିଭଳି ଏପ୍ରିଲ୍‍ ମାସରେ ରେକର୍ଡ ସଂଖ୍ୟକ ୪୯୩୯ କିଲୋ ଗଞ୍ଜଇ ଜବତ ହୋଇଥିବାବେଳେ ୧୪୨୫ ଗ୍ରାମ ବ୍ରାଉନସୁଗାର ଓ ୧୭୬ଲିଟର କଫ ସିରପ ଜବତ କରାଯାଇଛି । ଜବତ ଗଞ୍ଜେଇର ପରିମାଣ ଗତବର୍ଷ ଏପ୍ରିଲ୍‍ ମାସ ତୁଳନାରେ ପ୍ରାୟ ୨ହଜାର କିଲୋ ଅଧିକ ରହିଥିବାବେଳେ ବ୍ରାଉନସୁଗାର ବି ୬୦୦ ଗ୍ରାମ ଅଧିକ ରହିଛି । ଜବତ କଫ ସିରପ ପରିମାଣ ଗତବର୍ଷ ତୁଳନାରେ ୧୦ଗୁଣାରୁ ଅଧିକ ରହିଛି ।

ତେବେ ଜୋରଦାର ଅବକାରୀ ଧରପଗଡ ଯୋଗୁଁ ଗତବର୍ଷର ଏପ୍ରିଲ୍‍ ମାସ ତୁଳନାରେ ଚଳିତବର୍ଷ ଏପ୍ରିଲ୍‍ ମାସରେ ମାମଲାରୁଜୁ, ଗିରଫଦାରୀ ଓ ସାମଗ୍ରୀ ଜବତ ହାରାହାରି ୬୦ ପ୍ରତିଶତ ବଢିଛି । ଭାଙ୍ଗ ଜବତ ପରିମାଣ ୨୧୩ ପ୍ରତିଶତ ବଢିଥିବାବେଳେ ଟିକସ ଫାଙ୍କି ବିଦେଶୀ ମଦ ବି ୨୧୪ ପ୍ରତିଶତ ଅଧିକ ଜବତ ହୋଇଛି । ତେବେ ଜବତ ଗଞ୍ଜେଇ ଓ ବ୍ରାଉନସୁଗାର ଜବତ ପରିମାଣ ପାଖାପାଖି ୬୦ ପ୍ରତିଶତ ବଢିଥିବାବେଳେ କଫସିରପ ଜବତ ପରିମାଣ ୧୦୭୩ ପ୍ରତିଶତ ଅଧିକ ରହିଛି ।

ତେବେ ଚଳିତ ମଇ ମାସର ପ୍ରଥମ ଦିନରେ ଅବକାରୀ ବିଭାଗ ୧୨୪୫ ମାମଲା ରୁଜୁ ସହିତ ୧୦୭୬ ଜଣଙ୍କୁ ବାନ୍ଧିଥିବା ଜଣାଯାଇଛି । ଏହି ୧୦ଦିନ ମଧ୍ୟରେ ପ୍ରାୟ ୪.୫ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଜବତ ସାମଗ୍ରୀ ମଧ୍ୟରେ ୧୪୦୭ କିଲୋ ଗଞ୍ଜେଇ, ୩୮୫ ଗ୍ରାମ ବ୍ରାଉନସୁଗାର, ୩୭୦୨ ଲିଟର ବିୟର, ୮୦ଲିଟର ନକଲି ବିଦେଶୀ ମଦ ସମେତ ବିଭିନ୍ନ କିସମର ୫୦ଟି ଗାଡିମୋଟର ରହିଛି ।

ସମୀକ୍ଷା ସମୟରେ ଚଳିତବର୍ଷ ଏପ୍ରିଲ୍‍ ମାସରେ ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କ ଜୋରଦାର ଚଢଉ ଓ ବ୍ୟାପକ ସଫଳତା ପାଇଁ ଅବକାରୀ କମିଶନର ଶ୍ରୀ ସିଂହ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ଆଗାମୀ ଦିନରେ ଚଢଉକୁ ଅଧିକ ଜୋରଦାର କରିବା ସହିତ ବେଆଇନ୍‍ ନିଶାକାରକୁ ସମୂଳେ ନାଶ କରିବାପାଇଁ ଶ୍ରୀ ସିଂହ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । (ତଥ୍ୟ)