ଭୁବନେଶ୍ୱର : ରାଜ୍ୟରେ ଦୀନ ଦୟାଲ ଯୋଜନା – ଜାତୀୟ ସହରାଞ୍ଚଳର ଜୀବିକା ମିଶନ (ଡିଏୱାଇ-ଏନୟୁଏଲଏମ) ର ଦ୍ୱିତୀୟ ପର୍ଯ୍ୟାୟ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଥିବାବେଳେ ଏଥିପାଇଁ ପାଇଲଟ୍ ଯୋଜନା ଆରମ୍ଭ ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ପତ୍ରଲେଖି ଅବଗତ କରିଛନ୍ତି । ତେବେ ଏହି କାର୍ଯ୍ୟପାଇଁ ଯୋଜନାର ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତ ହୋଇଥିବା ପ୍ରଫେସନାଲମାନଙ୍କୁ ନେଇ କାମ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତ ପ୍ରଫେସନାଲଙ୍କ ନିଯୁକ୍ତି ଚୁକ୍ତି ନବୀକରଣ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନିଆଯାଇ ପାରୁନାହିଁ ।
ଡିଏୱାଇ-ଏନୟୁଏଲଏମ ର ପ୍ରଥମ ପର୍ଯ୍ୟାୟ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବାବେଳେ ଏହାର ଅବଧି ଚଳିତବର୍ଷ ସେପ୍ଟେମ୍ବର ମାସରୁ ସରିଛି । ଖୁବ୍ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ତେବେ ଏହି କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ ଲାଗି ପ୍ରଥମ ପର୍ଯ୍ୟାୟ ସକାଶେ ନିଯୁକ୍ତ ପ୍ରଫେସନାଲମାନେ ଏବେ କାମ କରୁଥିଲେ ବି ନିଯୁକ୍ତି ଅବଧି ନବୀକରଣ ହେଉନଥିବାରୁ ସେମାନଙ୍କୁ ତିନି ମାସ ହେଲା ପାଉଣା ମିଳୁନାହିଁ ।
ଡିଏୱାଇ-ଏନୟୁଏଲଏମ ଜରିଆରେ ସହରାଞ୍ଚଳ ଲୋକଙ୍କୁ ହାତକୁ କାମଧନ୍ଦା ଯୋଗାଇ ଦେବାପାଇଁ ମୁକ୍ତା, ଜଳ ଯୋଗାଣ, ଷ୍ଟ୍ରିଟ୍ଲାଇଟ୍ ପରିଚାଳନା, ଆହାର କେନ୍ଦ୍ର ତଦାରଖ, ଏସ୍ଏଚ୍ଜିମାନଙ୍କ ଜରିଆରେ ବିଭିନ୍ନ ନିଯୁକ୍ତି ଭିତ୍ତିକ ଯୋଜନା କାର୍ଯ୍ୟକାରୀ ହେଉଥିଲା । ଏଥିପାଇଁ ରାଜ୍ୟରେ ୪୦୦ରୁ ଉର୍ଦ୍ଧ୍ୱ ପ୍ରଫେସନାଲ ବିଭିନ୍ନ ପୌରାଞ୍ଚଳରେ ନିଯୁକ୍ତ ହୋଇଥିଲେ । ତେବେ ଯୋଜନାର ପ୍ରଥମ ପର୍ଯ୍ୟାୟ ସହିତ ଏମାନଙ୍କ ନିଯୁକ୍ତି ବି ସରିଛି ।
ବିଭିନ୍ନ ସଂସ୍ଥାରୁ ଆଉଟସୋର୍ସିଂ ଜରିଆରେ ଆସିଥିବା ଏହି କର୍ମଚାରୀମାନଙ୍କୁ ଯୋଜନାର ଦ୍ୱିତୀୟ ପଯ୍ୟାୟରେ ସାମିଲ କରାଯିବ କି ନାହିଁ ସେ ସଂକ୍ରାନ୍ତରେ କିଛି ନିଷ୍ପତ୍ତି ନିଆଯାଇ ପାରୁନାହିଁ । ଫଳରେ ନିୟମିତ ଦପ୍ତର ଆସି କାର୍ଯ୍ୟ କରୁଥିଲେ ଏମାନେ ଆଉ ପାଉଣା ପାଉନାହାନ୍ତି । ଏଥିଯୋଗୁଁ ଅନେକ ପ୍ରକଳ୍ପ ଏବେ ଅଧାପନ୍ତରିଆ ପାଲଟିଲାଣି ।
ତେବେ ଏହି ଯୋଜନାରେ ସରକାରଙ୍କ ନିକଟରେ ଅର୍ଥ ଥିବାବେଳେ ଏବଂ କେନ୍ଦ୍ର ସରକାର ପୁରୁଣା କର୍ମଚାରୀଙ୍କୁ ନେଇ ଦ୍ୱିତୀୟ ପର୍ଯ୍ୟାୟ ପାଇଲଟ୍ ପ୍ରକଳ୍ପ ଚଳାଇବାକୁ ସବୁଜ ସଙ୍କେତ ଦେଇଥିବାବେଳେ କର୍ମଚାରୀମାନଙ୍କୁ ନିଯୁକ୍ତି ଅବଧି କାହିଁକି ବୃଦ୍ଧି ହେଉନାହିଁ ତାହା କେହି ଜାଣିପାରୁ ନାହାନ୍ତି । ଇତି ମଧ୍ୟରେ ଚାରି ଶହରୁ ଉର୍ଦ୍ଧ୍ୱ କର୍ମଚାରୀ ନିଜର ନିଯୁକ୍ତିର ନବୀକରଣ ଲାଗି ବିଭାଗୀୟ ସଚିବଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଗୁହାରି କରିବାରେ ଲାଗିଛନ୍ତି । ତେବେ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଆବଶ୍ୟ କର୍ମଚାରୀ ଯୋଗାଇବାପାଇଁ କେତେକ ନୂତନ ସଂସ୍ଥା ଇତି ମଧ୍ୟରେ ଉଦ୍ୟମ ଚଳାଇବା ଯୋଗୁଁ ନିଯୁକ୍ତି ନବୀକରଣ କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥିବା ସୂଚନା ମିଳିଛି ।
ରାଜ୍ୟର ନୂତନ ସରକାର ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ଯେଉଁ କ୍ଷେତ୍ରରେ ଅତି ସହଜରେ ନିଯୁକ୍ତି ଯୋଗାଯାଇ ପାରିବ ସେ କ୍ଷେତ୍ରରେ ବିଭାଗୀୟ ଅଧିକାରୀମାନେ ଟାଳଟୂଳ ନୀତି ଅବଲମ୍ବନ କରିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚାରି ଶହରୁ ଉର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)