ଭୁବନେଶ୍ୱର : କଳିଙ୍ଗନଗର ଠାରେ ଥିବା ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ୍ (ଏନ୍ଆଇଏମଜେଡ୍)ର ଭିତ୍ତିଭୂମି ବିକାଶ ଲାଗି ୧୦ହଜାର କୋଟିରୁ ଅଧିକ ଟଙ୍କା ଆବଶ୍ୟକ । ଓଡିଶାର ଯାଜପୁର ଜିଲ୍ଲାରେ ଥିବା ଏନ୍ଆଇଏମଜେଡ୍କୁ ଭାରତ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବ୍ୟବସାୟ (ଡିପିଆଇଆଇଟି) ଅନୁମୋଦନ କରିଛି । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧିନରେ ଥିବା ଡିପିଆଇଆଇଟି ଅନୁମୋଦନ କରିଥିବା ୩ଟି ଏନ୍ଆଇଏମ୍ଜେଡ୍ ମଧ୍ୟରୁ କଳିଙ୍ଗନଗର ଅନ୍ୟତମ ।
ଏନ୍ଆଇଏମଜେଡର ଏକ ଲକ୍ଷ ୬୦ହଜାର କୋଟି ଟଙ୍କାର ନିବେଶ ହେବାକୁ ଥିବାବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏଠାରେ ଏକ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ୪୦ହଜାର ଏକରରୁ ଅଧିକ ଜମିର ବିକାଶ କରାଯିବ । ଏହି ପୁଞ୍ଜିନିବେଶ ଅଞ୍ଚଳରେ କଞ୍ଚାମାଲ ସହିତ ଆନୁଷଙ୍ଗିକ ଶିଳ୍ପ ସ୍ଥାପନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ବିଶେଷକରି ଏଠାରେ ଗାଡିମୋଟର ଯନ୍ତ୍ରାଂଶ ଓ ଧାତୁ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରାଯାଇ ପାରିବ ।
ଓଡିଶାରେ ପର୍ଯ୍ୟାପ୍ତ ଲୁହାପଥର ଥିବାରୁ ଏଠାରେ ଇସ୍ପାତ କ୍ଲଷ୍ଟର ଲାଗି ସୁଯୋଗ ରହିଛି । ଉଭୟ ଆନ୍ତଃ ଓ ବାହ୍ୟ ଭିତ୍ତିଭୂମିକର ବିକାଶ ଲାଗି ୧୦,୬୨୭କୋଟି ଟଙ୍କା ଆବଶ୍ୟକ ଥିବା ଆକଳନ ହୋଇଛି । ତଦନୁଯାୟୀ ଅନୁଦାନ ଯୋଗାଇ ଦେବାକୁ ଓଡିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।
ରାଜ୍ୟ ସରକାର ମଧ୍ୟ ଏନ୍ଆଇଏମ୍ଜେଡ୍ ନୀତିରେ ପରିବର୍ତ୍ତନ ଲାଗି ଡିପିଆଇଆଇଟିକୁ ଅନୁରୋଧ କରିଛନ୍ତି । ଯାହା ଫଳରେ ଏକାଧିକ ଆନ୍ତଃ ଭିତ୍ତିଭୂମି ବିକାଶ ଲାଗି ଅନୁଦାନ ମିଳିପାରିବ । ଏକାଧିକ ପ୍ରକଳ୍ପ ଲାଗି ଅଧିକ ପାଣ୍ଠି ଆବଶ୍ୟକ ଥିବାବେଳେ ବର୍ତ୍ତମାନ ଡିପିଆଇଆଇଟି କେବଳ ମାଷ୍ଟର ପ୍ଲାନିଂ ପାଇଁ ଅର୍ଥ ଯୋଗାଇ ଦେଉଛି । ଏଭଳି ସ୍ଥିତିରେ ସମଗ୍ର ଦେଶରେ ଏନ୍ଆଇଏମଜେଡ୍ର ବିକାଶ ପାଇଁ ଏହାର ନୀତିରେ ପରିବର୍ତ୍ତନ ଜରୁରୀ ହୋଇପଡିଛି ।
ଅନୁରୂପ ଭାବେ ପାରାଦୀପ୍ ଠାରେ ଥିବା ପିସିପିଆଇଆର ବିକାଶ ଲାଗି ୩୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦେବାକୁ ଓଡିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । କୋଭିଡ ମହାମାରୀ ସମୟରେ ବଜାର ମନୋଭାବ ସରକାରୀ ଘରୋଇ ସହଭାଗିତା (ପିପିପି) ପ୍ରୋତ୍ସାହନ ସପକ୍ଷରେ ଥିବାବେଳେ ପାରାଦୀପ୍ ପିସିପିଆଇଆର ଭାୟାବଲ ଗ୍ୟାପ ଫଣ୍ଡିଂ (ଭିଜିଏଫ୍) ଯୋଜନା କାର୍ଯ୍ୟକାରୀ କରିବା କଷ୍ଟକର ହୋଇପଡୁଛି ।
କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟ ପାରାଦୀପ ପିସିପିଆଇରକୁ ପିପିପି ଅଧିନରେ ଭିଜିଏଫ୍ ମୋଡ୍ରେ ପ୍ରୋତ୍ସାହନ ଦେଉଥିବାବେଳେ ଏଥିପାଇଁ ୧୦୦୦କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ବଜାର ବ୍ୟବସ୍ଥା ବର୍ତ୍ତମାନର ପିପିପି ସପକ୍ଷରେ ଥିବାବେଳେ ଭିଜିଏଫ୍ ବଦଳରେ ଅନୁଦାନ ଯୋଗାଇ ଦେବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି ।
୭୧ହଜାର ଏକରରୁ ଅଧିକ ଜମି ଉପରେ ଥିବା ପାରାଦୀପ ପିସିପିଆଇଆର ବଡ ଧରଣର ଭିତ୍ତିଭୂମି ବିକାଶ ଆବଶ୍ୟକ କରୁଥିବାବେଳେ ଏହା ବୃହତ୍ ଅର୍ଥନୈତିକ ଓ ଶିଳ୍ପ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ । ଉଭୟ ଏନ୍ଆଇଏମ୍ଜେଡ୍ ଏବଂ ପିସିପିଆଇଆର ପରିବେଶ ଅନୁମତି ପାଇଁ ଅଧିକ ସମୟ ନେଉଥିବାରୁ ପ୍ରକଳ୍ପ କାର୍ଯ୍ୟକାରିରେ ବିଳମ୍ବ ହେଉଛି । ତଦନୁଯାୟୀ ପରିବେଶ ମଞ୍ଜୁରୀ ପାଇଁ ଡିପିଆଇଆଇଟି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ସହିତ ମିଶି ପଦକ୍ଷେପ ନେବାକୁ ଓଡିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଥିବା ଜଣାଯାଇଛି ।