Home Education ଏନ୍‍ଆଇଇଏଲ୍‍ଆଇଟିିରେ ଶିକ୍ଷକ ସଙ୍କଟ

ଏନ୍‍ଆଇଇଏଲ୍‍ଆଇଟିିରେ ଶିକ୍ଷକ ସଙ୍କଟ

ଭୁବନେଶ୍ୱର : କେନ୍ଦ୍ର ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧିନରେ ଥିବା ନେସନାଲ ଇନଷ୍ଟିଟ୍ୟୁଟ ଅଫ୍‍ ଇଲେକଟ୍ରୋନିକ ଆଣ୍ଡ ଇନଫର୍ମେସନ ଟେକ୍ନଲୋଜି (ଏନ୍‍ଆଇଇଏଲ୍‍ଆଇଟି)ର ଓଡିଶା କେନ୍ଦ୍ରଟି ଏବେ ଏକ ପ୍ରକାର ଅଚଳ ହେବାକୁ ବସିଲାଣି । ଏଠାରେ ଆଇଟି ପଢିବାକୁ ଶହ ଶହ ଛାତ୍ରଛାତ୍ରୀ ଆସୁଥିବାବେଳେ ପାଠ ପଢାଇବାକୁ କିନ୍ତୁ ଶିକ୍ଷକଙ୍କର ଅଭାବ ।

କେନ୍ଦ୍ର ସରକାରଙ୍କର ଏହି ସଂସ୍ଥାଟି ନିଜେ ଆଇଟି ଶିକ୍ଷା ପ୍ରଦାନ ସହିତ ଆଇଟି ଶିକ୍ଷା ପ୍ରଦାନ କରୁଥିବା ବିଭିନ୍ନ ଅନୁଷ୍ଠାନକୁ ଅଧିସ୍ୱୀକୃତି ପ୍ରଦାନ କରିଥାଏ । ଏହି କେନ୍ଦ୍ର ଦାୟିତ୍ୱରେ ଜଣେ ନିର୍ଦ୍ଦେଶକ ଥିବାବେଳେ ଜଣେ ଉପନିର୍ଦ୍ଦେଶକ, ଜଣେ ସହକାରୀ ନିର୍ଦ୍ଦେଶକ ଓ ଜଣେ ଆଇଟି ବିଶେଷଜ୍ଞ ରହିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କୁ ପଢାଇବାପାଇଁ ଏହି ଜାତୀୟ ସଂସ୍ଥାରେ ଠିକାରେ ଶିକ୍ଷକ ନିଯୁକ୍ତି ହୋଇଥାନ୍ତି ।

ଏଠାରେ ଆଇଟି ପଢିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ‘ଓ’, ‘ଏ’ ସ୍ତରର ପାଠ୍ୟକ୍ରମ ସହିତ ଅନ୍ୟାନ୍ୟ ସଫ୍ଟୱର ଓ ହାର୍ଡୱେର ପାଠ୍ୟକ୍ରମ ରହିଛି । ଏଠାରେ ଅନୁସୂଚିତ ଜାତି ଓ ଜନଜାତି ସମେତ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଆଇଟି ଶିକ୍ଷା ପ୍ରଦାନ କରାଯାଉଥିବାବେଳେ ସାଧାରଣ ବର୍ଗର ଛାତ୍ରଛାତ୍ରୀମାଙ୍କୁ ଅର୍ଥ ପଇଠ କରିବାକୁ ପଡୁଛି । ଏଥି ସହିତ ସାଧାରଣବର୍ଗର ଛାତ୍ରଛାତ୍ରୀମାନେ କେନ୍ଦ୍ର ସରକାରଙ୍କର କେତେକ ପାଠ୍ୟକ୍ରମ ମାଗଣାରେ ପଢୁଛନ୍ତି । ଏଥି ସହିତ ବିଭିନ୍ନ କେନ୍ଦ୍ର ସରକାରୀ, ଅର୍ଦ୍ଧ କେନ୍ଦ୍ର ସରକାରୀ, ସୈନ୍ୟବାହୀନର ଜବାନମାନଙ୍କୁ ଆଇଟି ତାଲିମ ଦିଆଯାଇଥାଏ ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ପଢିବାପାଇଁ ଶହ ଶହ ଛାତ୍ରଛାତ୍ରୀ ଆସୁଥିବାବେଳେ ଏଠାରେ ପାଠ ପଢାଇବାକୁ ଶିକ୍ଷକଙ୍କର ଘୋର ଅଭାବ । ଠିକାରେ ନିଯୁକ୍ତ ହେଉଥିବା ଅଧିକାଂଶ ଆଇଟି ଅଧ୍ୟାପକ ଏଠାରେ ନିଯୁକ୍ତିର ମାସେ କି ଦୁଇ ମାସ ପରେ ଛାଡି ଦେଉଛନ୍ତି । ଅଧାରୁ ଛାଡିଥିବା କିଛି ଅଧ୍ୟାପକ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ମନମାନି ଓ ଅସହଯୋଗକୁ ଦାୟୀ କରୁଥିବାବେଳେ ଛାତ୍ରଛାତ୍ରୀମାନେ ଏବେ କିଭଳି ପାଠ ପଢିବେ ସେହି ଚିନ୍ତାରେ ଅଛନ୍ତି । ହଜାର ହଜାର ଟଙ୍କା ପଇଠ କରିଥିଲେ ମଧ୍ୟ ଶିକ୍ଷକ ଅଭାବରୁ ସେମାନଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି । ଏପରିକି କିଛି ନୂଆ ପାଠ୍ୟକ୍ରମ ଆରମ୍ଭ ବି ହୋଇପାରୁ ନାହିଁ ।

ପୂର୍ବରୁ ଓଡିଶା ସରକାରଙ୍କ ଆଇଟି ବିଭାଗ ଅଧିନରେ ଥିବା ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ୍‍)ରେ ଆଇଟି ପାଠପଢା ହେଉଥିଲା । ତେବେ ଓକାକ୍‍ ଟାୱାରରେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଖୋଲିବାପରେ ଓକାକ୍‍ କର୍ତ୍ତୃପକ୍ଷ ସେମାନଙ୍କ ପାଠପଢାକୁ ଏକ ପ୍ରକାର ଧିମା କରିଥିଲେ । ଏବେ ଏହି କେନ୍ଦ୍ରୀୟ ସଂସ୍ଥାରେ ଶିକ୍ଷକ ମରୁଡି ଯୋଗୁଁ ପାଠପଢା ବ୍ୟାହତ ହେବାପରେ ଛାତ୍ରଛାତ୍ରୀମାନେ ଓକାକ୍‍ ଆଡକୁ ମୁହାଁଉଥିବା ଲକ୍ଷ୍ୟ କରାଯାଉଛି ।

କେନ୍ଦ୍ର ଆଇଟି ମନ୍ତ୍ରୀ ଖୋଦ୍‍ ଓଡିଶାରୁ ହୋଇଥିବାବେଳେ ଏହି କେନ୍ଦ୍ରୀୟ ସଂସ୍ଥାର ଏଭଳି ଦୁରବସ୍ଥା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଧିକାଂଶ ସମୟରେ କେନ୍ଦ୍ରରେ ଅଣଓଡିଆ ନିର୍ଦ୍ଦେଶକମାନେ ଦାୟିତ୍ୱରେ ରହୁଥିବାବେଳେ ଏଠାରେ ଥିବା ଓଡିଆ ଅଧିକାରୀମାନେ ବି ଏଠାରେ ଶିକ୍ଷକ ନିଯୁକ୍ତି ଓ ପାଠପଢା ନେଇ ସେତେଟା ଆଗ୍ରହୀ ନଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)