ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର ଏବେ ୧ଲକ୍ଷ ୨୫ ହଜାରରୁ ଉର୍ଦ୍ଧ୍ୱ ଜାତୀୟ ସେବା ଯୋଜନା (ଏନଏସଏସ) ସ୍ୱେଚ୍ଛାସେବୀ ରହିଛନ୍ତି । ଯୁକ୍ତ ଦୁଇ, ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଏନଏସଏସ ୟୁନିଟ୍ମାନ ରହିଛି ।
ଏନଏସଏସ ସ୍ୱେଚ୍ଛାସେବୀମାନଙ୍କ ପାଇଁ କେନ୍ଦ୍ର ସରକାର ବାର୍ଷିକ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ଏ ବାବଦରେ ଅର୍ଥ ବ୍ୟବସ୍ଥା କରୁଛନ୍ତି । ଏମିତିକି ସମସ୍ତ ଛାତ୍ରଛାତ୍ରୀଙ୍କ ଠାରୁ ଏନଏସଏସ ପାଣ୍ଠି ପାଇଁ ମଧ୍ୟ ଅର୍ଥ ସଂଗ୍ରହ କରାଯାଉଛି ।
ସରକାରୀ ତଥ୍ୟ ମୁତାବକ ଯୁକ୍ତ ଦୁଇ ପାଠ୍ୟକ୍ରମ ପରିଚାଳନା କରୁଥିବା ଉଚ୍ଚଶିକ୍ଷା ପରିଷଦ ନିୟନ୍ତ୍ରଣରେ ବିଭିନ୍ନ ଯୁକ୍ତଦୁଇ ଶିକ୍ଷାନୁଷ୍ଠାନର ପାଖାପାଖି ୩୦ହଜାର ଏନଏସଏସ ସ୍ୱେଚ୍ଛାସେବୀ ଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ତାହାର ଅନୁବନ୍ଧିତ କଲେଜଗୁଡିକରେ ପ୍ରାୟ ୨୪ହଜାର ସ୍ୱେଚ୍ଛାସେବୀ ରହିଛନ୍ତି । ବ୍ରହ୍ମପୁର, ସମ୍ବଲପୁର ଓ ମୟୁରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜ ବିଶ୍ୱବିଦ୍ୟାଳୟରେ ୧୦ ରୁ ୧୬ହଜାର ପର୍ଯ୍ୟନ୍ତ ଏନଏସଏସ ସ୍ୱେଚ୍ଛାସେବୀ କାର୍ଯ୍ୟରତ ଅଛନ୍ତି । ଅନ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ବି ଏନଏସଏସ ବ୍ୟୁରୋମାନ ରହିଛି ।
ରାଉରକେଲାର ନିଟ୍, ଭୁବନେଶ୍ୱରର ଏମସ୍, ଭୁବନେଶ୍ୱରର ଆଇଆଇଟି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, କଟକସ୍ଥିତ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ, ଓୟୁଏଟି ଆଦିର ଏନଏସଏସ ୟୁନିଟ୍ଗୁଡିକ କାର୍ଯ୍ୟକ୍ଷମ ରହିଛି । ତେବେ କିଟ୍, ସୋଆ, ସେଞ୍ଚୁରିଆନ, କିସ୍, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଆଦି ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ ଏନଏସଏସ ୟୁନିଟ୍ କାର୍ଯ୍ୟ କରୁଛି ।
ଏନଏସଏସର କାର୍ଯ୍ୟକଳାପ ପାଇଁ ବିଶ୍ୱବିଦ୍ୟାଳୟ ସ୍ତରରେ ଏନଏସଏସ ବ୍ୟୁରୋ ରହିଥିବାବେଳେ କଲେଜଗୁଡିକରେ ବି ଏନଏସଏସ ୟୁନିଟ୍ ସବୁ ରହିଛି । ରାଜ୍ୟ ସ୍ତରରେ ଏନଏସଏସ କାର୍ଯ୍ୟକଳାପ ତଦାରଖ ପାଇଁ ଉଚ୍ଚଶିକ୍ଷା ବିଭାଗରେ ଜଣେ ବରିଷ୍ଠ ଅଧିକାରୀ ସଂଯୋଜକ ଭାବେ ଦାୟିତ୍ୱ ନିର୍ବାହ କରୁଥିବାବେଳେ ସମଗ୍ର ରାଜ୍ୟପାଇଁ କେନ୍ଦ୍ର ସରକାରଙ୍କର ମଧ୍ୟ ଜଣେ ନୋଡାଲ ଅଫିସର ରହିଛନ୍ତି । ଏନଏସଏସ ଅଧିକାରୀମାନଙ୍କ ଲାଗି ସ୍ୱତନ୍ତ୍ର ଆର୍ଥିକ ପ୍ରେତ୍ସାହନ ବ୍ୟବସ୍ଥା ଥିବାବେଳେ ଭଲ କାମ କରୁଥିବା ଏନଏସଏସ ସ୍ୱେଚ୍ଛାସେବୀମାନଙ୍କ ପାଇଁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଉଛି ।
ବିଶେଷକରି ଏନଏସଏସର ସ୍ୱେଚ୍ଛାସେବକମାନେ ରକ୍ତଦାନ, ବୃକ୍ଷରୋପଣ, ପରିମଳ, ସାକ୍ଷରତା, ନିଶା ନିବାରଣ, ଭାଇଚାରା ଆଦି ବିଭିନ୍ନ ପ୍ରସଙ୍ଗରେ ନିଜ ନିଜ ଶିକ୍ଷାନୁଷ୍ଠାନ ପରିସରରେ ଏବଂ ଅନ୍ୟ ଗାଁ ଓ ବସ୍ତିମାନଙ୍କରେ ମଧ୍ୟ କାର୍ଯ୍ୟ କରୁଥିବା କୁହାଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ୧୯୬୯ ମସିହାରେ ସମଗ୍ର ବିଶ୍ୱରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଉଥିବାେଳେ କେନ୍ଦ୍ର ସରକାର ଗାନ୍ଧୀଜୀଙ୍କର ରଚନାତ୍ମକ କାର୍ଯ୍ୟକ୍ରମ ସହିତ ଛାତ୍ରଗୋଷ୍ଠି ମଧ୍ୟରେ ଶୃଙ୍ଖଳା ଓ ସେବା ଭାବ ବଢାଇବା ଲାଗି ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏବେ ଦେଶର ପ୍ରାୟ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡିକରେ ଏନଏସଏସ୍ ବ୍ୟୁରୋମାନ ରହିଛି ।
ସରକାରୀ ବ୍ୟବସ୍ଥା ମୁତାବକ ଏବେ ଓଡିଶାରେ ପ୍ରତି ଏନଏସଏସ ସ୍ୱେଚ୍ଛାସେବୀଙ୍କ ଲାଗି ବାର୍ଷିକ ମୁଣ୍ଡପିଛା ହାରାହାରି ୪୦୦ ଟଙ୍କାର ବ୍ୟବସ୍ଥା କରାଯାଉଥିବାବେଳେ ସ୍ୱତନ୍ତ୍ର ଶିବିର ପାଇଁ ପ୍ରତି ସ୍ୱେଚ୍ଛାସେବୀଙ୍କ ଲାଗି ହାରାହାରି ୭୦୦ ଟଙ୍କା କରି ଖର୍ଚ୍ଚ କରାଯାଉଛି । ତେବେ ରାଜ୍ୟର କେତେକ ସରକାରୀ ବିଶ୍ୱବିଦ୍ୟାଳୟର ଏନଏସଏସ ବ୍ୟୁରୋ ଦାୟିତ୍ୱ ତୁଲାଇବାପାଇଁ ପୂର୍ଣ୍ଣକାଳୀନ ଏନଏସଏସ୍ ସଂଯୋଜକ ନାହାନ୍ତି । ବହୁ ସଂଖ୍ୟକ ଅଧ୍ୟାପକ ପଦବୀ ଖାଲି ପଡୁଥିବା ଯୋଗୁଁ ଅନେକ ବିଶ୍ୱବିଦ୍ୟାଳୟ କିଛି ଅଧ୍ୟାପକଙ୍କୁ ଏନଏସଏସ୍ ସଂଯୋଜକ ଭାବେ ଅତିରିକ୍ତ ଦାୟିତ୍ୱରେ ରଖୁଥିବାରୁ ଏହି ସଂସ୍ଥାର କାର୍ଯ୍ୟ ଯେତେ ଆଗେଇବା କଥା ତାହା ହୋଇପାରୁ ନାହିଁ । (ତଥ୍ୟ)

