ଭୁବନେଶ୍ୱର : ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) କାର୍ଯ୍ୟରେ ସୁପ୍ରିମ୍କୋର୍ଟ କମିଟିର ସଚିବ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୂର୍ବ ଗସ୍ତ ସମୟରେ ସେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଯେଉଁସବୁ କାର୍ଯ୍ୟ କରିବାକୁ କହିଥିଲେ ଚଳିତ ଗସ୍ତ ସମୟରେ ସେ ତାହା ଦେଖିବାକୁ ପାଇନାହାନ୍ତି ।
ନିକଟରେ ସଡକ ସୁରକ୍ଷା ପାଇଁ ଥିବା ସୁପ୍ରିମ୍କୋର୍ଟ କମିଟିର ସଚିବ ସଞ୍ଜୟ ମିତ୍ତଲ ଓଡିଶା ଗସ୍ତରେ ଆସିବା ସହିତ ବିଭିନ୍ନ ଅଞ୍ଚଳରେ ସଡକ ସୁରକ୍ଷା ପାଇଁ କେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ତାହାର ଅନୁଧ୍ୟାନ କରିଥିଲେ । ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଶ୍ରୀ ମିତ୍ତଲ ପ୍ରଶଂସା କରିଥିବାବେଳେ ଏନ୍ଏଚ୍ଆଇ କାର୍ଯ୍ୟକୁ ନେଇ କିନ୍ତୁ ଘୋର ଅସନ୍ତୋଷ ପ୍ରକଟ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ଫେବୃୟାରୀ ମାସରେ ଶ୍ରୀ ମିତ୍ତଲ ଓଡିଶା ଗସ୍ତରେ ଆସିଥିବା ସମୟରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଥିବା ବିପଦପୂର୍ଣ୍ଣ ‘କଟ୍’ ଗୁଡିକୁ ବନ୍ଦ କରିବା ସହିତ ରାଜପଥକୁ ସଂଯୋଗ କରୁଥିବା ଏହାଧିକ ଗଳି ରାସ୍ତାକୁ ମଧ୍ୟ ବନ୍ଦ ଲାଗି କହିଥିଲେ । ଏଥି ସହିତ ଯେଉଁଠାରେ ଗାଁ ଗହଳର ସଡକଗୁଡିକ ଆସି ଜାତୀୟ ରାଜପଥରେ ମିଶିଛି ସେହିସବୁ ସ୍ଥାନରେ ସଡକ ମୁଣ୍ଡରେ ହମ୍ପସ୍ ନିର୍ମାଣ ପାଇଁ କହିଥିଲେ । ହେଲେ ଚଳିତ ଗସ୍ତ ସମୟରେ ଏ କ୍ଷେତ୍ରରେ କୌଣସି ଅଗ୍ରଗତି ହୋଇଥିବା ଦେଖିବାକୁ ପାଇଲେ ନାହିଁ ।
ସେହିଭଳି ରାଜପଥରେ ରାତ୍ରୀ ସମୟରେ ଦୁର୍ଘଟଣାକୁ ରୋକିବାପାଇଁ ରାଜପଥର ଦୁଇ ସଡକ ମଝିରେ ଥିବା ସ୍ଥାନରେ ବୃକ୍ଷରୋପଣ ପାଇଁ କହିଥିଲେ । ଏହି ବୃକ୍ଷଗୁଡିକର ଉଚ୍ଚତା ସର୍ବାଧିକ ଅଢେଇଫୁଟ ହେବା ସହିତ ଏଗୁଡିକୁ ନିୟମିତ ବ୍ୟବଧାନରେ କାଟି ସାଇଜ୍ କରାଯିବା କଥା । ହେଲେ ସଚିବଙ୍କ ପରାମର୍ଶ ପରେ ରାଜପଥ କର୍ତ୍ତୃପକ୍ଷ କନିଅର ଗଛ ଲଗାଇ କାମ ସାରିଦେଇଥିବା ଦେଖିବାକୁ ମିଳିଛି । ଏହି ଗଛଗୁଡିକୁ ମଧ୍ୟ ଠିକଣା ଭାବେ କର୍ତ୍ତୃପକ୍ଷ କାଟୁ ନାହାନ୍ତି । ଏପରିକି ବହୁ ସ୍ଥାନରେ ରାଜପଥର ମଝି ସ୍ଥାନରେ ବୃକ୍ଷରୋପଣ ମଧ୍ୟ ହୋଇନଥିବା ସେ ଦେଖିବାକୁ ପାଇଥିଲେ ।
ସେହିଭଳି ଘାଟି ରାସ୍ତାରେ ଦୁର୍ଘଟଣା ରୋକିବାପାଇଁ ରାସ୍ତା ପାଶ୍ୱର୍ରେ କଂକ୍ରିଟ୍ ବାଡ (ବାରିଅର) ରଖିବାକୁ ଗତଥର ଗସ୍ତ ସମୟରେ ପରାମର୍ଶ ଦେଇଥିଲେ । ହେଲେ ଏଥର ଦେଖିବାକୁ ପାଇଲେ ଯେ ଅଧିକାଂଶ ସ୍ଥାନରେ ଏହି କଂକ୍ରିଟ୍ ବାଡଗୁଡିକ ଠିକଣା ସ୍ଥାନରେ ଲାଗିନାହିଁ । ରାସ୍ତାର ଅତି କଡରେ ଏଗୁଡିକୁ ରଖାଯିବା ଫଳରେ ଅନେକ ତଳକୁ ଗଳି ପଡିଲାଣି । ଏହି କଂକ୍ରିଟ୍ ବାଡଗୁଡିକ ଦୁର୍ଘଟଣା ରୋକିବା ବଦଳରେ ନିଜେ ଦୁର୍ଘଟଣାର ଶିକାର ହୋଇଥିବା ଦେଖି ସଚିବ ଗଭୀର ଅସନ୍ତୋଷ ପ୍ରକଟ କରିଥିଲେ ।
ଶ୍ରୀ ମିତ୍ତଲ ତାଙ୍କର ଗସ୍ତ ସମୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ପରିବହନ ସଚିବ, ପରିବହନ କମିଶନରଙ୍କ ସମେତ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଆଲୋଚନା କରିଥିଲେ । ଆଲୋଚନା ସମୟରେ ଅଧିକାରୀମାନେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଏବଂ ଏଥିଯୋଗୁଁ କିଭଳି ଦୁର୍ଘଟଣା ହ୍ରାସ ପାଇଛି ତାହା ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ । ଶ୍ରୀ ମିତ୍ତଲ ରାଜ୍ୟ ସରକାରଙ୍କ ପଦକ୍ଷେପରେ ସନ୍ତୋଷ ପ୍ରକଟ କରିଥିଲେ । ତେବେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କାଳରେ ସଚିବ ଶ୍ରୀ ମିତ୍ତଲ ଗଭୀର ଅସନ୍ତୋଷ ପ୍ରକଟ ସହିତ ସେମାନଙ୍କୁ ତାଗିଦା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । (ତଥ୍ୟ)