Home Education ଏନଆରଆଇ ମାର୍ଗଦର୍ଶିକାକୁ ନେଇ ଦ୍ୱନ୍ଦରେ ଛାତ୍ରଛାତ୍ରୀ

ଏନଆରଆଇ ମାର୍ଗଦର୍ଶିକାକୁ ନେଇ ଦ୍ୱନ୍ଦରେ ଛାତ୍ରଛାତ୍ରୀ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବିଭ୍ରାନ୍ତିକର ନୀତି ଯୋଗୁଁ ଚଳିତ ବର୍ଷ ମେଡିକାଲ ପାଠ ପଢିବାକୁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଦ୍ବନ୍ଦ୍ବରେ ଅଛନ୍ତି। ବିଶେଷ କରି ଏନଆରଆଇ କୋଟାରେ ନାମ ଲେଖାଇବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତାକୁ ଠେଲି ହୋଇଯାଇଛି। କାରଣ ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମସିଆଇ) ଓ ମେଡିକାଲ କାଉନସେଲିଂ କମିଟି ଗୋଟେ କଥା କହୁଥିବା ବେଳେ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗାଇଡଲାଇନ ଭିନ୍ନ ମାନଦଣ୍ଡ ଧାର୍ଯ୍ୟ କରିଛି।

ଦେଶରେ ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ୧ଲକ୍ଷ ୧୨ ହଜାର ୧୧୨ଟି ସିଟ ଉପଲବ୍ଧ। ସେମଧ୍ୟରୁ ୪୩୪ ସରକାରୀ ମେଡିକାଲ କଲେଜରେ ସିଟ ସଂଖ୍ୟା ୫୫ହଜାର ୬୪୮ ଥିବା ବେଳେ ୩୨୦ ଘରୋଇ ମେଡିକାଲ କଲେଜର ସିଟ ସଂଖ୍ୟା ହେଉଛି ୫୩ହଜାର ୨୫୬। ୧୫ ପ୍ରତିଶତ ସିଟ ସର୍ବଭାରତୀୟ ମେଡିକାଲ କଲେଜ ବା ଏମଏସ ଓ ଜେଆଇପଏମଆର ପାଇଁ ସଂରକ୍ଷିତ। ଡିମଡ୍ ମେଡିକାଲ କଲେଜ ଗୁଡିକରେ ୧୫ ପ୍ରତିଶତ ସିଟ ବିଦେଶରେ ରହୁଥିବା ଭାରତୀୟ ବା ଏନଆରଆଇଙ୍କ ପାଇଁ ସଂରକ୍ଷିତ। ୨୦୨୪ରେ ଡିମଡ ମେଡିକାଲ କଲେଜରେ ୧୦୬୭ଟି ସିଟ ଏନଆରଆଇ ମାନଙ୍କ ପାଇଁ ସଂରକ୍ଷିତ ଥିଲା।

ତେବେ ଚଳିତ ବର୍ଷ ବିଦେଶରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଏନଆରଆଇ କୋଟାରେ ନିଜ ଦେଶରେ ପଢିବାର ସୁଯୋଗ ପାଇବା କାଠିକର ହୋଇପଡିବ। ଗତବର୍ଷ ଏନଆରଆଇ କୋଟାରେ ହୋଇଥିବା ଜାଲିଆତି ପାଇଁ କେନ୍ଦ୍ର ସରକାର ନିଜ ଗାଇଡଲାଇନରେ ପରିବର୍ତ୍ତନ କରିଦେଇଛନ୍ତି। ଏମସିଆଇର ଗାଇଡାଲାଇନ କହୁଛି ଛାତ୍ରଛାତ୍ରୀମାନେ ବିଦେଶରେ ରହୁଥିବା ନିଜ ସମ୍ପର୍କୀୟଙ୍କ ସୁପାରିଶ ଓ ଏନଆରଆଇ କୋଟାରେ ଭାରତର ଯେକୌଣସି ଡିମଡ ମେଡିକାଲ କଲେଜରେ ପାଠ ପଢିବାର ସୁଯୋଗ ପାଇପାରିବେ। ସମ୍ପର୍କୀୟମାନେ ମଧ୍ୟ ନିଜ ଭଣଜା, ଭାଣିଜୀ ପୁତୁରା, ଝିଆରୀଙ୍କ ପାଇଁ ପଣ୍ଡିଂ ମଧ୍ୟ କରିପାରିବେ। କିନ୍ତୁ ଚଳିତ ବର୍ଷ ବୈଦଶିକ ବ୍ୟାପର ମନ୍ତ୍ରଣାଳୟର ପରିବର୍ତ୍ତିତ ଗାଇଡଲାଇନ କହୁଛି ବିଦେଶରେ ରହୁଥିବା ବାପା-ମା ମାନେ ହିଁ କେବଳ ନିଜ ପିଲାଙ୍କ ପାଇଁ ଏନଆରଆଇ କୋଟାର ସୁବିଧା ପାଇପାରିବେ।

ପ୍ରଶ୍ନ ଉଠୁଛି ବାପା-ମା ଯଦି ବିଦେଶରେ ରହୁଥିବେ ତେବେ ସେମାନେ ନିଜ ପିଲାଙ୍କୁ ବିଦେଶରେ ମେଡିକାଲ ନପଢେଇ ଭାରତକୁ କାହିଁକି ପଠେଇବେ। ସେହିଭଳି ଭାରତରେ ଏନଆରଆଇ କୋଟାରେ ପାଠ ପଢିବାକୁ ହେଲେ ବର୍ଷରେ ଅନ୍ୟୁନ ୧୮୨ ଦିନ ରହିଥିବାର ପ୍ରମାଣପତ୍ର ସାଙ୍ଗକୁ ଭାରତର ପାର୍ସପୋର୍ଟ ଦାଖଲ କରିବାକୁ ପଡିବ। ଏହାଦ୍ବାରା ବହୁ ଆଗ୍ରହୀ ଛାତ୍ରଛାତ୍ରୀ ଏନଆର କୋଟାରେ ନାମ ଲେଖାଇପାରିବେ ନାହିଁ।

ସାଧାରଣତଃ ଏହି କୋଟାର ସୁବିଧା ସେଇମାନେ ପାଇଥାନ୍ତି ଯେଉଁମାନଙ୍କ ନିକଟ ସମ୍ପର୍କୀୟମାନେ ବିଦେଶରେ ରହୁଛନ୍ତି ଏବଂ ସେମାନେ ନିଜ ପିଲାଙ୍କୁ ମେଡିକାଲ ପଢେଇବାକୁ ଆଗ୍ରହୀ। କିନ୍ତୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପରିବର୍ତ୍ତିତ ଗାଇଡାଲାଇନରୁ ବହୁ ଛାତ୍ରଛାତ୍ରୀ ଚଳିତ ବର୍ଷ ଏହି ସୁବିଧା ପାଇବାର ବଞ୍ଚିତ ହେବାକୁ ଯାଉଛନ୍ତି। ଡିମଡ୍ ମେକାଲ କଲେଜଗୁଡିକ ମଧ୍ୟ ଏହାଦ୍ବାରା ବ୍ୟାପକଭାବେ ପ୍ରଭାବିତ ହେବାକୁ ଯାଉଛନ୍ତି। ତେଣୁ ଆଗ୍ରହୀ ଛାତ୍ରଛାତ୍ରୀ ଓ ମେଡିକାଲ କଲେଜଗୁଡିକ ଏବେଠୁ କେନ୍ଦ୍ର ସରକାରଙ୍କ ନିକଟରେ ଏଭଳି ଦ୍ବନ୍ଦ୍ବାତ୍ମକ ଗାଇଡଲାଇନରେ ସଂଶୋଧନ ପାଇଁ ଦାବି କରୁଛନ୍ତି।