Home Education ଏଣିକି ସକାଳୁଆ ସ୍କୁଲ

ଏଣିକି ସକାଳୁଆ ସ୍କୁଲ

ଭୁବନେଶ୍ୱର : ଏଣିକି ଏପ୍ରିଲ ୨ତାରିଖରୁ ଆରମ୍ଭ ହେବ ସକାଳୁଆ ସ୍କୁଲ। ଖରାଛୁଟି ଆରମ୍ଭ ପର୍ଯ୍ୟନ୍ତ ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲ ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଏହି ସମୟରେ ସକାଳୁଆ ସ୍କୁଲ ହେବ ବୋଲି ସବୁ ଜିଲ୍ଲାପାଳଙ୍କୁ ଆଜି ଆବଗତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଡକ୍ଟର ଏନ. ଥିରୁମଲ୍ଲା ନାୟକ। ତେବେ ଜିଲ୍ଲାପାଳମାନେ ନିଜ ନିଜ ଅଞ୍ଚଳରେ ପାଣିପାଗ ଦେଖି ସ୍କୁଲ ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଖରାଛୁଟି ପରେ ପୂର୍ବପରି ନିର୍ଦ୍ଧାରିତ ସମୟରେ ସ୍କୁଲ ଖୋଲିବ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସବୁ ସ୍କୁଲ ପାଇଁ ଏକ ମାର୍ଗଦର୍ଶିକା ଜାରି କରିଛି ବିଭାଗ। ପ୍ରଚଣ୍ଡ ଖରା ଗରମ ପାଇଁ ସବୁ ସ୍କୁଲରେ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡିଲେ ସ୍କୁଲ କ୍ୟାମ୍ପସରେ ଥିବା ଟ୍ୟୁବଓ୍ବେଲ ମରାମତି କରିବାକୁ ମଧ୍ୟ କୁହାଯାଇଛି। ଏଣିକି ସବୁ ସ୍କୁଲରେ ଶିକ୍ଷାର୍ଥୀମାନେ ପାଣି ପିଇବାକୁ ଏକ ବ୍ରେକ ହେବ ଏବଂ ଏଥିପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ସ୍ଥିର କରାଯିବ। ସବୁ ଦିନ ସେଇ ସମୟରେ ପାଣି ପିଇବାକୁ ବ୍ରେକ କରାଯିବ।

ସ୍କୁଲରେ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ପ୍ୟାକେଟ ମହଜୁଦ କରିବାକୁ କୁହାଯାଇଛି। ଆବଶ୍ୟକ ପଡିଲେ ତାହା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଦିଆଯିବ। ଏହି ସମୟରେ କୌଣସି ପ୍ରକାର ଆଉଟଡୋର କାର୍ଯ୍ୟକ୍ରମ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ସବୁ ଛାତ୍ରଛାତ୍ରୀ ସାଙ୍ଗରେ ଏକ ପାଣି ବୋତଲ ନେବାକୁ ସବୁ ଅଭିଭାବକଙ୍କୁ ସଚେତନ କରାଯିବ। ସେହିଭଳି ଅଂଶୁଘାତର ମୁକାବିଲା ପାଇଁ ସବୁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପ୍ରତିଷେଧକ ମୂଳକ ଟିପ୍ସ ଦେବାକୁ ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।