Home Education ଏଜୁକେଶନ ଛାତ୍ରଛାତ୍ରୀ ପ୍ରାକ୍ଟିକାଲଠୁ ଦୂରରେ

ଏଜୁକେଶନ ଛାତ୍ରଛାତ୍ରୀ ପ୍ରାକ୍ଟିକାଲଠୁ ଦୂରରେ

ଭୁବନେଶ୍ୱର : ଏଜୁକେଶନ ସମ୍ମାନ ବିଷୟ ନେଇ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ କରିପାରୁ ନାହାନ୍ତି । ନିୟମ ମୁତାବକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ପାଠ ପଢାଇବା ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଲାଣି । ଅଧିକାଂଶ ମହାବିଦ୍ୟାଳୟରେ ଶିକ୍ଷକ ସଙ୍କଟ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।

ଯୁକ୍ତ ତିନି ଶ୍ରେଣୀରେ ଏଜୁକେଶନ ସମ୍ମାନରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ୫ମ ସେମିଷ୍ଟାର ସମୟରେ ପ୍ରାକ୍ଟିକାଲ ପାଇଁ ନିକଟସ୍ଥ ବିଦ୍ୟାଳୟକୁ ଯାଇ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାର ବିଧି ରହିଛି । ହେଲେ ଅଧିକାଂଶ ମହାବିଦ୍ୟାଳୟ ଏପରିକି ଖୋଦ ରାଜଧାନୀର କେତେକ ମହାବିଦ୍ୟାଳୟରେ ତାହା ହୋଇପାରୁ ନାହିଁ । ବିଦ୍ୟାଳୟକୁ ଯାଇ ପାଠ ପଢାଇବା ବଦଳରେ ଛାତ୍ରଛାତ୍ରୀମାନେ ନିଜ ସାଙ୍ଗସାଥିଙ୍କୁ ମିଛି ମିଛିକା ପାଠ ପଢାଉଛନ୍ତି । ଏଥିପାଇଁ ଶିକ୍ଷକମାନେ ସେମାନଙ୍କୁ ସତ ସତିକା ପ୍ରାକ୍ଟିକାଲ ନମ୍ବର ବି ଦେଉଛନ୍ତି ।

ତେବେ ପାଠପଢାରେ ଏଭଳି ବ୍ୟତିକ୍ରମ ପାଇଁ ଶିକ୍ଷକ ଅଭାବ ହିଁ ପ୍ରମୁଖ କାରଣ ବୋଲି ଜଣାଯାଇଛି । କାରଣ ଛାତ୍ରଛାତ୍ରୀମାନେ ଯେଉଁସବୁ ବିଦ୍ୟାଳୟକୁ ପଢାଇବାକୁ ଯିବେ ସେମାନଙ୍କ ସହିତ ଅତି କମ୍‍ରେ ଜଣେ ଶିକ୍ଷକ ଯିବେ । ସମ୍ପୃକ୍ତ ଶିକ୍ଷକ ଜଣଙ୍କ ଦିନ ସାରା ମହାବିଦ୍ୟାଳୟରେ ଅନୁପସ୍ଥିତ ରହିବେ । ଅଧିକାଂଶ ମହାବିଦ୍ୟାଳୟରେ ଏଜୁକେଶନ ବିଷୟରେ ଶିକ୍ଷକ ସଙ୍କଟ ଯୋଗୁଁ କଲେଜଗୁଡିକ ଜାଣିଶୁଣି ଏଭଳି ପ୍ରାକ୍ଟିକାଲକୁ ଟାଳି ଦେଉଛନ୍ତି । ଅନେକ ମହାବିଦ୍ୟାଳୟ ଏଥିପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ଅନୁମତି ପାଇଁ ଆବେଦନ ହିଁ କରୁନାହାନ୍ତି । ଉଲ୍ଲେଖନୀୟ ଯେ ଛାତ୍ରଛାତ୍ରୀମାନେ କେଉଁସବୁ ବିଦ୍ୟାଳୟକୁ ଯାଇ ପାଠ ପଢାଇବେ ସେଥିପାଇଁ କଲେଜ କର୍ତ୍ତୃପକ୍ଷ ସ୍ଥାନୀୟ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ଅନୁମତି ଆଣିବା ଆବଶ୍ୟକ ।

ତେବେ ଏଜୁକେଶନ ବିଷୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ କହିବାକଥା ଯେ ସେମାନେ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ପଢାଇବାର ସୁଯୋଗ ପାଉନାହାନ୍ତି । ଏହା ଫଳରେ ସେମାନଙ୍କୁ ପିଲାଙ୍କୁ ପଢାଇବାର ଅଭିଜ୍ଞତା ମିଳୁନାହିଁ କି ଏଥିପାଇଁ ପ୍ରସ୍ତୁତ ହେବାକୁ ପଡୁନାହିଁ । ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ବିଭାଗର ବଡପଣ୍ଡାମାନେ ସମସ୍ତେ ଏଭଳି ବ୍ୟତିକ୍ରମ ସଂକ୍ରାନ୍ତରେ ଜାଣିଛନ୍ତି । ହେଲେ ଶିକ୍ଷକ ଅଭାବ ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ ସମସ୍ତେ ଏକ ପ୍ରକାର ହାତଟେକି ଦେଉଛନ୍ତି ।

ଏହାର ପ୍ରଭାବ ଏବେ ବି.ଏଡ୍‍ ପଢୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି । କାରଣ ଯୁକ୍ତ ତିନି ଶ୍ରେଣୀରେ ଏଜୁକେଶନ ପଢୁଥିବା ଅଧିକାଂଶ ଛାତ୍ରଛାତ୍ରୀ ବି.ଏଡ୍‍ରେ ନାମ ଲେଖାଇଥାନ୍ତି । ହେଲେ ଯୁକ୍ତ ତିନି ଶ୍ରେଣୀରେ ବିଦ୍ୟାଳୟରେ ପିଲାଙ୍କୁ ଆଦୌ ପାଠ ପଢାଇନଥିବା ଛାତ୍ରଛାତ୍ରୀମାନେ ବି.ଏଡ୍‍ରେ ସିଧାସଳଖ ହାଇସ୍କୁଲରେ ପଢାଇବାକୁ ସମସ୍ୟାରେ ପଡୁଛନ୍ତି । ତେଣୁ ଶିକ୍ଷକ ଅଭାବ ଆଳରେ ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ମହାବିଦ୍ୟାଳୟରେ ଏଜୁକେଶନରେ ବିଷୟରୁ ଯେଭଳି ଧିରେ ଧିରେ ପ୍ରାକ୍ଟିକାଲ ଉଠିଯିବାକୁ ବସିଲାଣି ଉଚ୍ଚଶିକ୍ଷା ବିଭାଗ ଏଥିପ୍ରତି ଧ୍ୟାନ ଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)