ଭୁବନେଶ୍ୱର : ଏଜି ଛକରୁ ଟ୍ରାଫିକ ପୋଷ୍ଟ ହଟିବା ସହିତ ଭିଡ ନିୟନ୍ତ୍ରଣ ପାଇଁ ସେଠାରେ ଦୁଇ ଥାକିଆ ରାସ୍ତା ତିଆରି ହେବ। ମାଟି ତଳେ ଓ ମାଟି ଉପରେ ଦୁଇ ଥାକିଆ ରାସ୍ତା ନିର୍ମାଣ କରାଯିବ। ଏନେଇ ବିସ୍ତ୍ରୁତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇଛି। ଚୁଡାନ୍ତ ଅନୁମୋଦନ ପରେ କାମ ଆରମ୍ଭ ହେବ। ଆଜି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଜି ଛକର ଏହି ଦୁଇ ଥାକିଆ ରାସ୍ତା ପ୍ରକଳ୍ପର ସମୀକ୍ଷା କରିବା ସହ ରାଜଧାନୀର ଭିଡ ନିୟନ୍ତ୍ରଣ ପାଇଁ ପ୍ରସ୍ତାବିତ ୨୦ଟି ରାସ୍ତା କାମର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି।
ଭୁବନେଶ୍ୱର ସହରର ଭିଡ଼ ନିୟନ୍ତ୍ରଣ ପାଇଁ ଜୟଦେବ ବିହାରଠାରୁ ନନ୍ଦନକାନନରେ ରାସ୍ତାର ପ୍ରଶସ୍ତିକରଣ ଓ ଉଭୟ ପଟରେ ସମାନ୍ତରାଳ ରାସ୍ତା ନିର୍ମାଣ ଏବଂ ସଂଯୋଗୀକରଣ ରାସ୍ତା, ଏମସ୍କୁ ଯାଇଥିବା ରାସ୍ତାର ଉନ୍ନତି ଓ ପ୍ରଶସ୍ତିକରଣ, ଖଣ୍ଡଗିରି-ଜାଗମରା ଏଲିଭେଟେଡ୍ ରାସ୍ତା ଏବଂ କଳ୍ପନା ଛକରେ ଆଧୁନିକ ଏଲିଭେଟେଡ୍ ରାସ୍ତା ନିର୍ମାଣ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ରାଜଧାନୀର ଟ୍ରାଫିକ ସମସ୍ୟା ଦୂର କରିବାକୁ ନୂଆ ୨୦ଟି ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ଯୋଜନା କରିଛି। ମୁଖ୍ୟ ରାସ୍ତାଗୁଡିକ ସହ ସମାନ୍ତରାଳ ରାସ୍ତାର ବିକାଶ ପାଇଁ ଯୋଜନା କରାଯାଇଛି। ଏହିସବୁ କାର୍ଯ୍ୟ କିଭଳି ଶୀଘ୍ର ଆରମ୍ଭ ହେବ ଏବଂ ନିର୍ଦ୍ଧାରିତ ସମୟରେ ସରିବ ସେନେଇ ଆଜିର ସମୀକ୍ଷା ବୈଠକରେ ଗୁରୁତ୍ବ ଦିଆଯାଇଛି।
ରାଜ୍ୟରେ ସଡକ ଭିତ୍ତିଭୂମୀର ବିକାଶ ପାଇଁ ପୂର୍ବ ଅପେକ୍ଷା କେନ୍ଦ୍ରରୁ ଅଧିକ ଅନୁଦାନ ଆସୁଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହାକୁ ପୂରା କରିବାକୁ ହେଲେ ରାସ୍ତାଘାଟ ଓ ଅନ୍ୟ ଭିତ୍ତିଭୂମିରେ ବିକାଶକୁ ତ୍ୱରିତ ବେଗରେ ଆଗେଇ ନେବାକୁ ପଡ଼ିବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ । ରାଜ୍ୟରେ ଥିବା ବିଭିନ୍ନ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପ୍ରକଳ୍ପର ଅଗ୍ରଗତି ସହ କୋରାପୁଟ ବାଇପାସ୍, ଜୁନାଗଡ଼ ବାଇପାସ୍, ରାଉରକେଲା ବାଇପାସ୍, ନୂଆପଡ଼ା ବାଇପାସ୍, ଆସ୍କା ବାଇପାସ୍, ଜଗତସିଂପୁର ଜିଲ୍ଲା ଅନ୍ତର୍ଗତ ଓଏମ୍ପି-କନ୍ଦରପୁର-ପାରାଦ୍ୱୀପ ଆଦି ରାସ୍ତା ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ପୂର୍ତ୍ତମନ୍ତ୍ରୀ।
ଏଥି ସହିତ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଡିଭିଜନ୍ ସ୍ତରରେ ବିଭିନ୍ନ ସରକାରୀ ବିଧି ବ୍ୟବସ୍ଥାକୁ ତ୍ୱରିତ କରିବା ପାଇଁ ସମସ୍ତ କାର୍ଯ୍ୟ ଓସ୍ୱାସ୍ ଅନ୍ଲାଇନ୍ ପ୍ଲାଟ୍ଫର୍ମ ଜରିଆରେ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି କ୍ରମରେ ଆଜିଠାରୁ ଓବିସିସିର ସମସ୍ତ ସରକାରୀ କାର୍ଯ୍ୟ ଓସ୍ୱାସ୍ ମାଧ୍ୟମରେ ହେବା ନେଇ ଶୁଭାରମ୍ଭ ହୋଇଛି ।

