ଭୁବନେଶ୍ୱର : ମହାନଦୀ ଜଳ ବିବାଦ ଏକ କୁତ୍ରିମ ବିବାଦ ଭାବେ ସୃଷ୍ଟି କରାଯାଇଥିଲା ବୋଲି ଆଜି ରାଜ୍ୟର ଆଡ଼ଭୋକେଟ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ୟ୍ୟ ଦେଇଥିବା ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ଦେଇଛି ବିଜୁ ଜନତା ଦଳ। ଶ୍ରୀ ଆଚାର୍ୟ୍ୟଙ୍କ ହିସାବରେ ଯଦି ଏହା ଏକ କୁତ୍ରିମ ସମସ୍ୟା ଥିଲା, ତାହେଲେ ବିଜେପି କ୍ଷମତାକୁ ଆସିବାର ପନ୍ଦର ମାସ ପରେ ମଧ୍ୟ ଏହାକୁ ସମାଧାନ କରିବା ପାଇଁ ସଫଳ ହୋଇପାରି ନାହିଁ କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି।
ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ.ଲେନିନ ମହାନ୍ତି କହିଛନ୍ତି, ଆଡ଼ଭୋକେଟ ଜେନେରାଲ ଗୋଟିଏ ସାମ୍ବିଧାନିକ ପଦବୀ। ସେହି ପଦବୀରେ ଥିବା ବ୍ୟକ୍ତିମାନେ ସାଧାରଣତଃ କୌଣସି ରାଜନୈତିକ ବକ୍ତବ୍ୟ ପ୍ରଦାନ କରନ୍ତି ନାହିଁ। ଶ୍ରୀ ଆଚାର୍ୟ୍ୟ ଆଜି ଦେଇଥିବା ବକ୍ତବ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହା ପୂର୍ବ ସରକାରଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଧେଶ ପାଇଁ ଉଦ୍ଦିଷ୍ଟ।
ଏହାଛଡା, ଶ୍ରୀ ଆଚାର୍ୟ୍ୟଙ୍କ ବକ୍ତବ୍ୟରେ କୌଣସି ସତ୍ୟତା ନାହିଁ। ଶ୍ରୀ ଆଚାର୍ୟ୍ୟଙ୍କ ବକ୍ତବ୍ୟ ଅନୁସାରେ, ଯଦି ମହାନଦୀ ଜଳ ବିବାଦ କୁତ୍ରିମ ଥିଲା ତାହେଲେ ସରକାର ପରିବର୍ତ୍ତନ ପରେ ସମସ୍ୟା ସମାଧାନ ପାଇଁ ଗୋଟିଏ ମିନିଟ ମଧ୍ୟ ଲାଗିବା ଉଚିତ ନୁହେଁ। କେବଳ ଓଡ଼ିଶାରେ ନୁହେଁ, କେନ୍ଦ୍ରରେ ଓ ଛତିଶଗଡ଼ରେ ମଧ୍ୟ ବିଜେପି ସରକାର ଅର୍ଥାତ ଟ୍ରିପଲ ଇଞ୍ଜିନ ସରକାର ରହିଛି। ଏହାପରେ ମଧ୍ୟ, ରାଜ୍ୟରେ ବିଜେପି ସରକାର ଆସିବା ପନ୍ଦର ମାସ ବିତିଯାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରି ନାହିଁ କାହିଁକି? ଏଥିରୁ ସ୍ପଷ୍ଟ ହେଉଛି ଯେ, ମହାନଦୀ ଜଳ ବିବାଦ କୁତ୍ରିମ ନଥିଲା। ଶ୍ରୀ ଆଚାର୍ୟ୍ୟଙ୍କ ଆଜିର ମନ୍ତବ୍ୟ କେବଳ ରାଜନୈତିକ ହଟଚମଟ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ।
ଡ. ମହାନ୍ତି କହିଛନ୍ତି, କେବଳ ଦାମୀ ଓକିଲଙ୍କୁ ପୋଷିବା ପାଇଁ ମହାନଦୀ ଜଳ ବିବାଦ ସୃଷ୍ଟି କରାଯାଇଥିଲା ବୋଲି ଦେଇଥିବା ମନ୍ତବ୍ୟ ମଧ୍ୟ ହାସ୍ୟାସ୍ପଦ। ସେ ଆଡ଼ଭୋକେଟ ଜେନେରାଲ ପଦବୀ ଗ୍ରହଣ କରିବା ପରେ ରାଜ୍ୟର ଆଡ଼ଭୋକେଟ ଜେନେରାଲ ପାଉଥିବା ପାରିତୋଷିକକୁ ଅହେତୁକ ବୃଦ୍ଧି କରାଯାଇଛି କି ? କେଉଁ କାରଣରୁ ଏପରି ବୃଦ୍ଧି କରାଯାଇଛି ତାହା ଶ୍ରୀ ଆଚାର୍ୟ୍ୟ ସ୍ପଷ୍ଟ କରିବେ କି? ରାଜ୍ୟର ଆଡ଼ଭୋକେଟ ଜେନେରାଲ ପଦବୀରେ ପୂର୍ବରୁ କାର୍ୟ୍ୟ କରି ଆସୁଥିବା ବ୍ୟକ୍ତି ମାନଙ୍କ ଅପେକ୍ଷା ଶ୍ରୀ ଆଚାର୍ୟ୍ୟ କଣ ଅଧିକ ଯୋଗ୍ୟ। ତେଣୁ, ଓକିଲଙ୍କୁ ପୋଷିବା ପାଇଁ ବିବାଦ ସୃଷ୍ଟି ହୋଇଥିଲା ବୋଲି ଦେଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ।
ଡ. ମହାନ୍ତି ଆହୁରି କହିଥିଲେ, ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ଶ୍ରୀ ଆଚାର୍ୟ୍ୟ ଆଡ଼ଭୋକେଟ ଜେନେରାଲ ପଦବୀର ମର୍ୟ୍ୟାଦା ହାନୀ କରିଛନ୍ତି। ଯେ ପର୍ୟ୍ୟନ୍ତ ସେ ଏହି ଗରିମାମୟ ପଦବୀରେ ଅଛନ୍ତି, ତାଙ୍କର ଆଚରଣ ଓ ଉଚ୍ଚାରଣ ପ୍ରତି ଯତ୍ନବାନ ହୁଅନ୍ତୁ।