Home Assembly ଏକ କିମି ମଧ୍ୟରେ ମଦ ଦୋକାନ ନଖୋଲିବାକୁ ଆଇନ୍‍ ନାହିଁ

ଏକ କିମି ମଧ୍ୟରେ ମଦ ଦୋକାନ ନଖୋଲିବାକୁ ଆଇନ୍‍ ନାହିଁ

ଭୁବନେଶ୍ୱର : ପୁରୀ ବଡ଼ଦାଣ୍ଡରେ ଥିବା ଶ୍ରୀମନ୍ଦିରର ୧ କିଲୋମିଟର ପରିଧି ମଧ୍ୟରେ ମଦ ଦୋକାନ ଖୋଲିବା ଘେନି ଆଇନ୍‍ରେ ନିର୍ଦ୍ଦିଷ୍ଟ ଭାବେ କୌଣସି କଟକଣା ନାହିଁ । ତେବେ ସହରାଞ୍ଚଳରେ କୌଣସି ଉପାସନା ପୀଠର ୩୦୦ ମିଟର ଭିତରେ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ଦିଆଯିବ ନାହିଁ ବୋଲି ଓଡ଼ିଶା ଅବକାରୀ ଅଧିନିୟମର ୨୬ ଧାରାରେ ବ୍ୟବସ୍ଥା ଅଛି । ଅବକାରୀ ବିଭାଗ ସଂକ୍ରାନ୍ତୀୟ ବିଧାନସଭାର ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏଭଳି ତଥ୍ୟ ପ୍ରକାଶ ପାଇଛି ।

୨୦୨୪-୨୫ ବର୍ଷର ଷ୍ଟାଣ୍ଡିଂ କମିଟି ପୁରୀ ବଡ଼ଦାଣ୍ଡ ଓ ମନ୍ଦିରର ୧ କିଲୋମିଟର ଅଞ୍ଚଳ ଭିତରେ ମଦ ଦୋକାନ ନଖୋଲିବା ପାଇଁ ଯେଉଁ ସୁପାରିସ କରିଥିଲେ ତା’ର ଅନୁପାଳନ ରିପୋର୍ଟରେ ଅବକାରୀ ବିଭାଗ ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି । କେବଳ ସେତିକି ନୁହେଁ, କଲେଜ୍‍ ଓ ବିଶ୍ୱବିଦ୍ୟାଳୟର ୧ କିଲୋମିଟର ପରିସର ମଧ୍ୟରେ କୌଣସି ପ୍ରକାର ମଦ ଦୋକାନ ନଖୋଲିବା ପାଇଁ ଷ୍ଟାଣ୍ଡିଂ କମିଟି ଯେଉଁ ସୁପାରିସ କରିଥିଲା ତା’ର ଅନୁପାଳନ ରିପୋର୍ଟରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନର ୫୦୦ ମିଟର ଦୂରତା ମଧ୍ୟରେ ଠିପି ଖୋଲା ମଦ ଦୋକାନ ଖୋଲାଯାଇପାରିବ ନାହିଁ ବୋଲି ଅବକାରୀ ବିଭାଗ ସ୍ପଷ୍ଟ କରିଦେଇଛି ।

ପ୍ରତି ବର୍ଷ ମଦ ଦୋକାନଗୁଡ଼ିକର ଲାଇସେନ୍ସ ନବୀକରଣ କରିବା ପରିବର୍ତ୍ତେ ଖୋଲା ନିଲାମ ପାଇଁ ଷ୍ଟାଣ୍ଡିଂ କମିଟି ଯେଉଁ ସୁପାରିସ କରିଥିଲେ ସେ ସଂକ୍ରାନ୍ତରେ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏ ସଂକ୍ରାନ୍ତରେ ନୂଆ ଅବକାରୀ ନୀତି ପ୍ରଣୟନ ପ୍ରସ୍ତାବ ବିଚାରାଧୀନ ରହିଛି । ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକର ହଷ୍ଟେଲ୍‍ ଆଲକହଲ୍‍ ବ୍ୟବହାର ନିଷିଦ୍ଧ କରିବା ଲାଗି କମିଟିଙ୍କ ସୁପାରିସ ସଂକ୍ରାନ୍ତରେ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅବକାରୀ ଅଧିନିୟମର ୩୭ ଧାରା ଅନୁଯାୟୀ ୧୮ବର୍ଷରୁ କମ୍‍ ବୟସ୍କ ପିଲାମାନଙ୍କୁ ମଦ ବିକାଯାଇପାରିବ ନାହିଁ ବୋଲି ବ୍ୟବସ୍ଥା ରହିଛି । କୌଣସି ଶିକ୍ଷାନୁଷ୍ଠାନ ଓ ଛାତ୍ରାବାସରେ ମଦ ବ୍ୟବହାର ପାଇଁ ଅନୁମତି ଦିଆଯାଉନାହିଁ ।

ସେହିପରି ସର୍ବସାଧାରଣ ସ୍ଥାନରୁ ୨ କିଲୋମିଟର ପରିସର ମଧ୍ୟରେ ମଦ ଦୋକାନ ନଖୋଲିବା ପାଇଁ କମିଟିଙ୍କ ସୁପାରିସ ପ୍ରସଂଗରେ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଅନୁସୂଚିତ ଜାତି ଓ ଜନଜାତି ଏବଂ ଶ୍ରମିକ କଲୋନୀଗୁଡ଼ିକ ନିକଟରେ ସହରାଞ୍ଚଳରେ ୫୦୦ ମିଟର ଓ ଗ୍ରାମାଞ୍ଚଳରେ ୩୦୦ ମିଟର ଦୂରତା ମଧ୍ୟରେ କୌଣସି ଠିପି ଖୋଲା ମଦ ଦୋକାନ ଚାଲିପାରିବ ନାହିଁ ।

ସେହିପରି ଯଦି ସଂପୂର୍ଣ୍ଣ ନିଶା ନିବାରଣ ସମ୍ଭବପର ନହେଉଛି ତେବେ ଧୀରେଧୀରେ ଆଲ୍‍କହଲ୍‍ ବ୍ୟବହାର କମାଇବା ଉଚିତ୍‍ ବୋଲି କମିଟି ଯେଉଁ ସୁପାରିସ କରିଛନ୍ତି ସେ ପ୍ରସଂଗରେ କୁହାଯାଇଛି ଯେ ଆନ୍ତର୍ଜାତିକ ନିଶା ଔଷଧ ଓ ଅବୈଧ ନିଶା କାରବାର ବାରଣ ଦିବସ ଅବସରରେ ପ୍ରତିବର୍ଷ ଜୁନ୍‍ ୨୬ ତାରିଖରେ ସାରା ରାଜ୍ୟରେ ଜନଜାଗରଣ କାର୍ଯ୍ୟକ୍ରମ କରାଯାଇ ବେଆଇନ ମଦ ସେ ଡ୍ରାଗ୍ସ ଅପବ୍ୟବହାର ବିରୋଧରେ ସଚେତନତା ସୃଷ୍ଟି କରାଯାଉଛି ।

ଏହାଛଡ଼ା ଆଲ୍‍କହଲ୍‍ ବ୍ୟବହାରର ଖରାପ ପ୍ରଭାବ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବା ଲାଗି ସବୁ ଜିଲ୍ଲାରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜାଗରଣ ସୃଷ୍ଟି କରାଯାଉଛି । ଅନ୍ୟପକ୍ଷରେ ବର୍ତ୍ତମାନ ପରିପ୍ରେକ୍ଷୀରେ ସରକାରୀ ନିୟମକୁ ଆଧାର କରି ଯେଉଁ ଦୋକାନଗୁଡ଼ିକ ଖୋଲାଯାଇପାରିବ ସେଗୁଡ଼ିକ ଅବକାରୀ ବିଭାଗ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରୁଥିବା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭାର ଏହି ସବ୍‍ କମିଟିରେ ବିଭିନ୍ନ ଦଳର ଆଉ ୧୦ଜଣ ବିଧାୟକ ସଦସ୍ୟ ଅଛନ୍ତି । (ତଥ୍ୟ)