Home Education ଏକାମ୍ର ବାଟିକା ଉଦ୍‍ଘାଟିତ

ଏକାମ୍ର ବାଟିକା ଉଦ୍‍ଘାଟିତ

ଭୁବନେଶ୍ୱର : ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜୀ ଙ୍କ କରକମଳରେ ଆଜି ସ୍ଥାନୀୟ ଖାରବେଳନଗର ଠାରେ ଏକ ଆର୍ନ୍ତଜାତିକ ସ୍ତରର ଶିକ୍ଷାନୁଷ୍ଠାନ ‘ଏକାମ୍ର ବାଟିକା’ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପ୍ଲେ ଗ୍ରୁପ୍ ଏବଂ ନର୍ସରୀ ଶ୍ରେଣୀ ପାଇଁ ନାମଲେଖା ସକାଶେ ଘୋଷଣା କରାଯାଇଥିଲା ।

ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅଭିଭାବକଙ୍କ ଉପସ୍ଥିତିରେ ଶିକ୍ଷାନୁଷ୍ଠାନର ଶୁଭ ଉଦଘାଟନ ହୋଇଥିଲା ଏବଂ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜୀ ଭର୍ଚୁଆଲରେ ଏହି ଆର୍ନ୍ତଜାତୀୟ ସ୍ତରର ବିଦ୍ୟାଳୟ ଉଦ୍‍ଘାଟନ ଉତ୍ସବରେ ଉପସ୍ଥିତ ରହି ହାର୍ଦ୍ଧିକ ଶୁଭେଚ୍ଛା ଜଣାଇବା ସହିତ ଆର୍ଶୀବାଦ ପ୍ରଦାନ କରିଥିଲେ ।

ଭୁବନେଶ୍ୱରରେ ପିଲାମାନଙ୍କର ଗୁଣାତ୍ମକ ପ୍ରାଥମିକ ଶିକ୍ଷାଦାନକୁ ଦୃଷ୍ଟିରେ ରଖି ଆନ୍ତର୍ଜାତୀୟ ସ୍ତରର ଅଭ୍ୟାସ, ଗବେଷଣା ଏବଂ ପିଲାମାନଙ୍କ ପାଇଁ କିପରି ଏକ ଉତ୍ତମ ଶିକ୍ଷଣ ପରିବେଶ ସୃଷ୍ଟି କରାଯାଇ ପାରିବ ସେହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଏକାମ୍ର ବାଟିକା ପ୍ରତିଷ୍ଠା କରାଯାଇଛି । ଏହାର ପ୍ରଗତିଶୀଳ ପାଠ୍ୟକ୍ରମ, ଛାତ୍ର-କୈନ୍ଦ୍ରିକ ଭିତ୍ତିଭୂମି ଏବଂ ଉନ୍ନତ ଶିକ୍ଷାଦାନ-ଶିକ୍ଷଣ ପଦ୍ଧତି ମାଧ୍ୟମରେ ବିଦ୍ୟାଳୟ ଛୋଟ ପିଲାମାନଙ୍କୁ ଅଭିଜ୍ଞତା ସମ୍ପନ୍ନ ଏବଂ ଜୀବନ ପରିବର୍ତ୍ତନକାରୀ ଶିକ୍ଷାପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ଅବସରରେ ଏକାମ୍ର ବାଟିକାର ଅଧ୍ୟକ୍ଷା ଶ୍ରୀମତୀ ମେଘନା ସିଂହଦେଓ ଏକ ନୂତନ ବିଶ୍ୱ ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ସକାଶେ ସେମାନଙ୍କୁ ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିବେଶ ଉପରେ ତାଙ୍କର ଚିନ୍ତାଧାରା ପ୍ରକାଶ କରିଥିଲେ । ଏହି ବାର୍ତ୍ତା ଆନ୍ତର୍ଜାତୀୟ ଶିକ୍ଷାବିତ୍‍ ତଥା ଉଦ୍ୟୋଗୀ ଶ୍ରୀ ଶଶାଙ୍କ ବୀରା ଏବଂ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ଜୀ ଅଭିଭାଷଣରେ ମଧ୍ୟ ଦେଖିବାକୁ ମିଳିଥିଲା ଯେଉଁଥିରେ ସେମାନେ ଭୁବନେଶ୍ୱରରେ ପ୍ରାଥମିକ ଶିକ୍ଷା ପାଇଁ ନିଜର ଭାବନା ଏବଂ ଅନୁଭୂତି ବାଣ୍ଟିଥିଲେ ।

ଏହି ଅବସରରେ ବିଶେଷଜ୍ଞ ଦଳକୁ ନେଇ “ଏକ ନୂତନ ବିଶ୍ୱ ପାଇଁ ଶିକ୍ଷା: ଆପଣ କେଉଁଠାରେ ଏବଂ କିପରି ଶିକ୍ଷାଲାଭ କରିବେ” ଶୀର୍ଷକ ଏକ ଉତ୍ସାହଜନକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ଶଶାଙ୍କ ବୀରା, ଡକ୍ଟର ଚିଦାତ୍ମିକା ଖଟୁଆ, ଶ୍ରୀମତୀ ଆଦ୍ୟାଶା ସତପଥୀ, ଶ୍ରୀ ଚନ୍ଦ୍ରଚୁଡ ସିଂହ ଅଂଶଗ୍ରହଣ କରିଥିଲେ । ପରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ବିଦ୍ୟାଳୟ ପରିସର ବୁଲି ଦେଖିଥିଲେ ।