ଭୁବନେଶ୍ୱର : ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ପ୍ରସଂଗରେ ସରକାର ବସାଉଥିବା କମିଶନଗୁଡ଼ିକ ମଧ୍ୟରୁ ଅଧିକାଂଶର ରିପୋର୍ଟ ସାର୍ବଜନୀନ ହେଉନାହିଁ କିମ୍ବା ଏହି ରିପୋର୍ଟ ଉପରେ କ’ଣସବୁ କାର୍ଯ୍ୟାନୁଷ୍ଠାନ ହେଉଛି ସେ ସଂପର୍କରେ ବି କିଛି ସୂଚନା ଲୋକେ ପାଉନାହାନ୍ତି । ଏ ପରିପ୍ରେକ୍ଷୀରେ କମିଶନ ଗଠନର ଯଥାର୍ଥତା ଉପରେ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଉଛନ୍ତି ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମାନ ବିକାଶ ହେଉନଥିବାରୁ ବିଷମତା ଲାଗି ରହିଥିବା ପରିପ୍ରେକ୍ଷୀରେ ୨୦୦୪ ମସିହାରେ ରାଜ୍ୟ ସରକାର ଆଞ୍ଚଳିକ ବୈଷ୍ୟମ କମିଶନ ଗଠନ କରିଥିଲେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଶୁଭ୍ରାଂଶୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ । ଏହି କମିଶନରେ ୮ଜଣ ସଦସ୍ୟ ଥିଲେ । କମିଶନ ବ୍ୟାପକ ଅନୁଧ୍ୟାନ କରି ୨୦୦୮ ମସିହାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିବା ବେଳେ ଏଯାବତ୍ ଏହି ରିପୋର୍ଟରେ କ’ଣ ଅଛି ଓ ତାହା ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ କେହି କିଛି କହିପାରୁ ନାହାନ୍ତି ।
ସେହିଭଳି କୃଷକମାନଙ୍କ ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରି କୃଷିର ବିକାଶ ପାଇଁ ସୁପାରିସ କରିବାକୁ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବହୁ ସଦସ୍ୟ ବିଶିଷ୍ଟ କୃଷକ କମିଶନ ଗଢ଼ାଯାଇଥିଲା ୨୦୧୦ ମସିହାରେ । କମିଶନ ତାଙ୍କ ରିପୋର୍ଟ ୨୦୧୨ ମସିହାରୁ ସରକାରଙ୍କୁ ପ୍ରଦାନ କରିଥିବାବେଳେ ଏଯାବତ୍ ଏହି ରିପୋର୍ଟର୍ରେ କ’ଣ ଅଛି ଓ ତାହା ଉପରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ସେ ସଂକ୍ରାନ୍ତରେ ବି କେହି କିଛି କହିପାରୁ ନାହାନ୍ତି ।
ଶ୍ରୀମନ୍ଦିରରେ ଦଳାଚକଟା ଓ ତାହାର ପ୍ରତିକାର ନିମନ୍ତେ ୧୯୯୩ ମସିହାରେ ରାଜ୍ୟ ସରକାର ଅବସରପ୍ରାପ୍ତ ବିଚାରପତି ଜୀବନ ମୋହନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କମିଶନ ବସାଇଥିଲେ । ଏହି କମିଶନ ୧୯୯୫ରେ ତାଙ୍କ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିବାବେଳେ ଉପସ୍ଥାପନ ଓ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ଏହି ରିପୋର୍ଟ କୁଆଡ଼େ ହଜିଗଲା । ଏହାପରେ ୨୦୦୬ ମସିହାରେ ଶ୍ରୀମନ୍ଦିରରେ ଘଟିଥିବା ଅନ୍ୟ ଏକ ଦଳାଚକଟା ଦୁର୍ଘଟଣା ପରିପ୍ରେକ୍ଷୀରେ ଜଷ୍ଟିସ ମହାପାତ୍ର କମିଶନଙ୍କ ରିପୋର୍ଟ ଖୋଜାଗଲା । ଏହା ନମିଳିବାରୁ ଜଷ୍ଟିସ୍ ପି.କେ. ମହାନ୍ତି କମିଶନଙ୍କୁ ରିପୋର୍ଟ ହଜିବାର ପ୍ରସଂଗ ଖୋଜିବା ପାଇଁ କୁହାଯାଇଥିଲା । ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ବିଭ୍ରାନ୍ତ ସଂକ୍ରାନ୍ତରେ ତଦନ୍ତ କରି ରିପୋର୍ଟ ଦେବାପାଇଁ ରାଜ୍ୟ ସରକାର ଅବସରପ୍ରାପ୍ତ ବିଚାରପତି ବିମଳ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଯେଉଁ ସଂସ୍କାର କମିଶନ ଗଠନ କରିଥିଲେ ତାହାର ଫଳାଫଳ କ’ଣ ହେଲା ଜାଣିବା ପୂର୍ବରୁ ଅଧାରୁ ସରକାର କମିଶନକୁ ଅଚଳ କରିଦେଲେ । ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଂଗର ତଦନ୍ତ ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସ କରି ରିପୋର୍ଟ ଦେଇଥିଲେ ବି ତାହା ସାର୍ବନନୀନ ହୋଇନାହିଁ ।
ସେହିଭଳି ବହୁ ପ୍ରଚାରିତ ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତ ପାଇଁ ସରକାର ଜଷ୍ଟିସ୍ ଆର.କେ. ପାତ୍ର କମିଶନ ବସାଇଥିଲେ । ଜଷ୍ଟିସ୍ ପାତ୍ରଙ୍କ ମୃତ୍ୟୁ ପରେ ଜଷ୍ଟିସ୍ ଏମ.ଏମ. ଦାସଙ୍କୁ ଏହି କମିଶନ ଦାୟିତ୍ୱ ଦିଆଯାଇଥିଲା । ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବା ପୂର୍ବରୁ ସରକାର ଏହି କମିଶନକୁ ଅଚଳ କରିଦେଲେ । ରାଜ୍ୟରେ ନୂଆ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସଂକ୍ରାନ୍ତରେ ଅନୁଧ୍ୟାନ କରିବା ପାଇଁ ଜଷ୍ଟିସ ସି.ଆର. ପାଲ୍ କମିଶନ ବସାଯାଇଥିଲା । ଏହି କମିଶନଙ୍କ ରିପୋର୍ଟ ସାର୍ବନନୀନ ହେଉନାହିଁ କିମ୍ବା ହାଇକୋର୍ଟର ନୂଆ ବେଞ୍ଚ ମଧ୍ୟ ଖୋଲାଯାଉ ନାହିଁ ।
ଖଣି ଦୁର୍ନୀତିର ତଦନ୍ତ ପାଇଁ ବସାଯାଇଥିବା ଜଷ୍ଟିସ ଶାହା କମିଶନ ତାଙ୍କ ରିପୋର୍ଟରେ ଯେତେ ଜରିମାନା ଅର୍ଥ ଆଦାୟ ପାଇଁ ସୁପାରିସ କରିଥିଲେ ତାହା ଏଯାବତ୍ ସଂପୂର୍ଣ୍ଣ ଆଦାୟ କରାଯାଇପାରି ନାହିଁ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଓ ପରବର୍ତ୍ତୀ ଦଙ୍ଗା, ପିପିଲିର ଅର୍ଜୁନଗଦାରେ ଜଣେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ, କନ୍ଧମାଳର ଗୁମୁଡୁମାରେ ହୋଇଥିବା ପୋଲିସ ଗୁଳି ଚାଳନା ଆଦି ଘଟଣା ସଂକ୍ରାନ୍ତରେ ଯେତେସବୁ କମିଶନ ବସାଯାଇଥିଲା ସେ ସବୁର ଫଳାଫଳ କ’ଣ ହେଲା ତାହା ଏବେ ବି ଅନେକଙ୍କୁ ଅଜଣା । (ତଥ୍ୟ)