Home Education ଏକଲବ୍ୟମାନେ ଲେଖିବେ ଭାରତବର୍ଷର ଭବିଷ୍ୟତ

ଏକଲବ୍ୟମାନେ ଲେଖିବେ ଭାରତବର୍ଷର ଭବିଷ୍ୟତ

ଭୁବନେଶ୍ୱର : ଏକଲବ୍ୟମାନେ ମହାନ୍ ଭାରତବର୍ଷର ଭବିଷ୍ୟତ ଲେଖିବେ । ସେମାନଙ୍କ ପ୍ରସ୍ତୁତି ଏବଂ ପ୍ରଦର୍ଶନ ଦେଖି ଖୁସି ଲାଗୁଛି  । ନିଜର ତଥା ଜନ୍ମଭୂମିର ଗୌରବ ରକ୍ଷା ପାଇଁ ଏବେଠାରୁ ପ୍ରସ୍ତୁତ ହେବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି । ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ।  

ଚାରି ଦିବସୀୟ ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪ ‘ଉଦ୍ଭବ’ର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଗଣ୍ଡ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ,  ନ୍ୟାସନାଲ୍ ଏଜୁକେସନ୍ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟର ଯୁଗ୍ମ ଆୟୁକ୍ତ ଶ୍ରୀ ଅନୁପମ୍ ସୋନଲକର୍ ଏବଂ ଓଡ଼ିଶା ମଡ଼େଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି ର ସଚିବ ତଥା ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ମନ୍ତ୍ରୀ ଶ୍ରୀ ମୁଣ୍ଡା କହିଛନ୍ତି ଯେ, ଆଜି ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଜନଜାତିଙ୍କ ବିକାଶ ପାଇଁ ଅନେକ ଉନ୍ନୟନମୂଳକ ପ୍ରକଳ୍ପକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଶୁଭାରମ୍ଭ କରିଛନ୍ତି । ଏହା ଜନଜାତିଙ୍କ ସାମଗ୍ରିକ ବିକାଶ କ୍ଷେତ୍ରରେ ସହାୟକ ହେବ । ଏଥିସହିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଗଠନ ଦିଗରେ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ବିଷୟରେ ଆଲୋଚନା କରିଛନ୍ତି । ବିଦ୍ୟାର୍ଥୀମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଗଣ୍ଡ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିବା ସହ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶକୁ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି ।

ଏଥିସହ ବିଭାଗର ପ୍ରମୁଖ ଶାସନ ସଚିବ ସ୍ବାଗତ ଅଭିଭାଷଣ ରଖି ସମସ୍ତ ସହଯୋଗୀ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନ୍ୟାସନାଲ୍ ଏଜୁକେସନ୍ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟର ସହଯୋଗ ପାଇଁ ସାଧୁବାଦ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ବ୍ୟାପକ ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି । ଏଥିସହିତ କାର୍ଯ୍ୟକ୍ରମର ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।

ସେହପରି ଯୁଗ୍ମ ଆୟୁକ୍ତ ଶ୍ରୀ ଅନୁପମ୍ ସୋନଲକର୍ ପ୍ରଥମ ଥର ‘ଉଦ୍ଭବ’ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଭବ୍ୟ ଓ ସଫଳ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ସମେତ ପ୍ରମୁଖ ଶାସନ ସଚିବ ଓ ନିର୍ଦ୍ଦେଶକଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି । ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ଉଦଯାପନୀ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବିଶିଷ୍ଟ ଅତିଥି, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ସୂଚନାଯୋଗ୍ୟ, ନଭେମ୍ବର ୧୨ ରୁ ଆରମ୍ଭ ହୋଇଥିବା ଜାତୀୟସ୍ତରୀୟ ଉତ୍ସବରେ ୨୨ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୧୪୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଓ କନିଷ୍ଠ ବର୍ଗ ମିଶି ମୋଟ୍ ୪୨ ଟି ପ୍ରକାର ପ୍ରତିଯୋଗିତା ଏବଂ କର୍ମଶାଳାର ଆୟୋଜନ କରାଯାଇଥିଲା ।

ଆୟୋଜିତ ସମସ୍ତ ପ୍ରତିଯୋଗିତା ମଧ୍ୟରେ ସର୍ବାଧିକ ପୁରସ୍କାର ଓଡ଼ିଶାର ଛାତ୍ରଛାତ୍ରୀମାନେ ହାସଲ କରି ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ସମ୍ମାନିତ କରାଯାଇଛି । ଉଦଯାପନୀ ସନ୍ଧ୍ୟାରେ ଅନ୍ୟ ରାଜ୍ୟରୁ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ତାଙ୍କର ନିଆରା ଅନୁଭୂତିକୁ ମଧ୍ୟ ବର୍ଣ୍ଣନା କରିଥିଲେ । ଏଥିସହ ପ୍ରତିଯୋଗିତାରେ ବିଜୟୀ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉଦଯାପନୀ ସମାରୋହରେ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।