Home General ଏଆଇ ପାର୍କ ପ୍ରତିଷ୍ଠା ପାଇଁ ରାଜିନାମା

ଏଆଇ ପାର୍କ ପ୍ରତିଷ୍ଠା ପାଇଁ ରାଜିନାମା

ଭୁବନେଶ୍ୱର : ରାଜ୍ୟରେ ଏଆଇ ପାର୍କ ପ୍ରତିଷ୍ଠା କରିବାକୁ ଆଜି ଦେଶର ପ୍ରତିଷ୍ଠିତ ଏଆଇ କମ୍ପାନୀ ସର୍ଭମ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର। ଏହାଦ୍ବାରା ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ହେବ ଏଆଇ ପାର୍କ।

ବ୍ଲାକ-ସ୍ବାନ ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଇଲୋକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସର୍ଭମ ସହ ହୋଇଥିବା ଚୁକ୍ତିରେ ଭିତ୍ତିଭୂମି ବିକାଶ, ଜନସଂଖ୍ୟା ମାନଦଣ୍ଡ ଓ ଓଡିଶା ଭାଷାର ବ୍ୟବହାରକୁ ଗୁରୁତ୍ବ ଦିଆଯାଇଛି। ବର୍ତ୍ତମାନ ଡିଜିଟାଲ ଯୁଗରେ ଏହି ଚୁକ୍ତି ଏକ ମାଇଲଖୁଣ୍ଟ ହେବାକୁ ଯାଉଛି। କାରଣ ଏହି ପାର୍କ ପ୍ରତିଷ୍ଠା ହେବା ପରେ ଦେଶର ସବୁ ଏଆଇ ବିଶେଷଜ୍ଞ, ଷ୍ଟାର୍ଟଅପ ଓ ସରକାରୀ ଆବଶ୍ୟକତାକୁ ଗୋଟିଏ ସ୍ଥାନରେ ଯୋଡି ହୋଇପାରିବେ। ଏଆଇ ପାର୍କ ହେବା ପରେ ଓଡିଶା ନିଜସ୍ବ ଇଣ୍ଟର୍ନେଟ ଉତ୍ପାଦନ କରିବା ସହ ଅନ୍ୟ ରାଜ୍ୟକୁ ରପ୍ତାନୀ କରିପାରିବ।

ଏହି ପାର୍କ ଶିକ୍ଷା, କୃଷି, ସ୍ବାସ୍ଥ୍ୟ ସେବା, ଇ-ଗଭର୍ଣ୍ଣାନ୍ସ ଓ ଲୋକଙ୍କ ସୁରକ୍ଷା ସମ୍ପର୍କିତ ଏଆଇ ପରିଚାଳିତ ଭଏସ-ଏନେବୁଲ ଆପ୍ଲିକେସନର ବିକାଶ ହୋଇପାରିବ। ଏହାଦ୍ବାର ସମାଜର ଶେଷ ସ୍ତରରେ ଥିବା ଲୋକଙ୍କ ପାଖରେ ମଧ୍ୟ ସରକାରୀ ଯୋଜନା ପହଞ୍ଚାଯାଇପାରିବ। ଏଥିସହିତ ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେମାନେ ମଧ୍ୟ ସରକାରୀ ଯୋଜନା ସମ୍ପର୍କରେ ଜାଣିପାରିବେ ଏବଂ ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇପାରିବେ। ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣୀ ପ୍ରକ୍ରିୟା ମଧ୍ୟ ଆହୁରି ସହଜ ହୋଇପାରିବ।

ସର୍ଭମ ଜାତୀୟ ସ୍ତରର ଏକ ଏଆଇ କମ୍ପାନୀ ଯାହା ଭାରତୀୟ ଭାଷାରେ ସରକାରୀ ବ୍ୟବହାର ଉପଯୋଗୀ ଏଆଇ ମଡେଲ ପ୍ରସ୍ତୁତ କରୁଛି। ଆଉ ଆଜିର ଏମଓୟୁ ଦ୍ବାରା ରାଜ୍ୟରେ ଏଆଇ ରୋଡମ୍ୟାପ ପ୍ରସ୍ତୁତିରେ ସରକାରଙ୍କ ପ୍ରତିବଦ୍ଧତା ପ୍ରମାଣିତ ହେଉଛି। ଏହାଦ୍ବାରା ସେବା ପ୍ରଦାନ ବ୍ୟବସ୍ଥା ଅଧିକ ଶୃଙ୍ଖଳିତ ଓ ସ୍ବଚ୍ଛ ହୋଇପାରିବ। ଏଆଇ ସହଯୋଗରେ ସମସ୍ତଙ୍କ ପାଖରେ ସହଜରେ ସରକାରୀ ସେବା ପହଞ୍ଚାଇବାରେ ସାରା ଦେଶ ପାଇଁ ଓଡିଶା ଅନୁକରଣୀୟ ହେବ।