ଭୁବନେଶ୍ୱର : ଗତ ୩୦ବର୍ଷ ଭିତରେ ଓଡିଶାର ଋଣ ପରିମାଣ ପ୍ରାୟ ୭୦ଗୁଣରୁ ଅଧିକ ବଢିଥିଲେ ବି ଅନ୍ୟ ବହୁ ରାଜ୍ୟ ତୁଳନାରେ ରାଜ୍ୟର ଋଣ ଚାପ କମ୍ ରହିଛି । ଏଫଆରବିଏମ୍ ଆଇନ୍ ଅନୁଯାୟୀ ଜିଏସଡିପିର ୨୫ ପ୍ରତିଶତ ଭିତରେ ଋଣ ସୀମିତ ରହିବାକୁ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୧୩.୦୬ ପ୍ରତିଶତ ହୋଇପାରେ ବୋଲି ଆର୍ଥିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି ।
ଏଠାରେ ଉଲ୍ଲେଖନୀୟ ଯେ ଓଡିଶାର ଜିଏସଡିପି ୨୦୦୫-୦୬ ବର୍ଷ ବେଳକୁ ୧ଲକ୍ଷ କୋଟି ଟଙ୍କାରୁ କମ୍ ଥିବାବେଳେ ୨୦୧୫-୧୬ରେ ତାହା ୩.୨୯ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା । ୨୦୨୫-୨୬ ବର୍ଷରେ ଏହା ୯.୮୮ ଲକ୍ଷ କୋଟି ଟଙ୍କା ହୋଇପାରେ ବୋଲି ଆର୍ଥିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।
ଏହି ତଥ୍ୟ ମୁତାବକ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ଋଣ ବୋଝ ଜିଏସଡପିର ୧୨.୩ ପ୍ରତିଶତ ଥିବାବେଳେ ୨୦୨୩-୨୪ ବର୍ଷରେ ତାହା ୧୧.୦୭ ପ୍ରତିଶତକୁ ହ୍ରାସ ପାଇଥିଲା । ୨୦୨୪-୨୫ ବର୍ଷରେ ଏହା ୧୨.୩ ପ୍ରତିଶତରେ ସୀମିତ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୧୩.୬ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।
ମୋଟାମୋଟି ଭାବେ ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ଓଡିଶାର ଜିଏସଡିପି ୯.୮୮ ଲକ୍ଷ କୋଟି ଟଙ୍କା ହେବାକୁ ଥିବାବେଳେ ଋଣ ବୋଝ ୧,୩୪,୩୬୮ କୋଟି ଟଙ୍କାକୁ ଛୁଇଁପାରେ । ଋଣ ବାବଦ ସୁଧ ପ୍ରଦାନ କ୍ଷେତ୍ରରେ ଓଡିଶାର ସ୍ଥାନ ବେଶ୍ ଭଲ ରହିଛି । ରାଜ୍ୟର ମୋଟ ରାଜସ୍ୱ ଆୟର ୨.୮ ପ୍ରତିଶତ ସୁଧ ପରିଶୋଧ ବାବଦରେ ଓଡିଶା ଖର୍ଚ୍ଚ କରିବାକୁ ଯାଉଥିବାବେଳେ ପଞ୍ଜାବରେ ଏହା ସର୍ବାଧିକ ୨୨.୪ ପ୍ରତିଶତ ରହିଛି । କେରଳ, ତାମିଲନାଡୁ, ହରିଆନା ଭଳି ରାଜ୍ୟ ଏ କ୍ଷେତ୍ରରେ ସେମାନଙ୍କ ରାଜସ୍ୱ ଆୟର ୨୦ ପ୍ରତିଶତରୁ ଅଧିକ ଖର୍ଚ୍ଚ କରୁଛନ୍ତି ।
ପଶ୍ଚିମବଙ୍ଗ ଭଳି ପଡୋଶୀ ରାଜ୍ୟ ତାହାର ରାଜସ୍ୱ ଆୟର ୧୮.୩ ପ୍ରତିଶତ, ଛତିଶଗଡ ୬.୭ ପ୍ରତିଶତ, ଝାଡଖଣ୍ଡ ୫.୧ ପ୍ରତିଶତ ଓ ଆନ୍ଧ୍ରପ୍ରଦେଶ ୧୬.୧ ପ୍ରତିଶତ ଏ ବାବଦରେ ବ୍ୟୟ କରୁଥିବାବଳେ ଗୁଜୁରାଟ ବି ରାଜସ୍ୱପ୍ରାପ୍ତର ୧୨.୪ ପ୍ରତିଶତ ସୁଧ ସୁଝିବାରେ ବ୍ୟୟ କରୁଛି ।
ରାଜ୍ୟର ଆର୍ଥିକ ନିଅଣ୍ଟ ଜିଏସ୍ଡିପିର ୩.୫ ପ୍ରତିଶତ ମଧ୍ୟରେ ସୀମିତ ରଖିବାପାଇଁ ଏଫ୍ଆରବିଏମ୍ ଆଇନ୍ରେ ଯେଉଁ କଟକଣା ରହିଛି ଏଯାବତ୍ ଓଡିଶା ତାହାର ଅନୁପାଳନ କରିଆସୁଛି । ଏଠାରେ ଉଲ୍ଲେଖନୀୟ ଯେ ଭାରତ ସରକାରଙ୍କ ଋଣ ବୋଝ ପ୍ରାୟ ୨୦୦ ଲକ୍ଷ କୋଟି ଟଙ୍କା ଥିବାବେଳେ ଦେଶର ବିଭିନ୍ନ ରାଜ୍ୟ ସରକାରଙ୍କ ଋଣ କରିବା ବି ୧୦୦ ଲକ୍ଷ କୋଟି ଟଙ୍କା ହେବାକୁ ଯାଉଛି । ଏଭଳି ସ୍ଥିତିରେ ତୁଳନାତ୍ମକ ଭାବେ ଓଡିଶାର ଋଣ ବୋଝ ବଢିଥିଲେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହୁଛି ।
ଏଠାରେ ଉଲ୍ଲେଖନୀୟ ଯେ ସରକାରୀ ତଥ୍ୟ ମୁତାବକ ୧୯୯୫-୯୬ ବେଳକୁ ଓଡିଶା ସରକାରଙ୍କ ଋଣ ବୋଝ ମାତ୍ର ୯୨୧୮.୫୦କୋଟି ଟଙ୍କା ଥିବାବେଳେ ଏହା ବଢି ବଢି ୨୦୨୩-୨୪ ବର୍ଷରେ ୯୬,୩୧୦.୪୦ କୋଟି ଟଙ୍କାରେ ପହଞ୍ଚିଥିଲା । ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣ ଭାର ୧,୩୪,୯୧୩ କୋଟି ୮୪ଲକ୍ଷ ଟଙ୍କା ହେବବୋଲି ସରକାରୀ ଭାବେ ଅଟକଳ କରାଯାଉଛି । (ତଥ୍ୟ)

