ଭୁବନେଶ୍ୱର : ଓଡିଶାର ଋଣ ବୋଝ ଯେଭଳି ବଢି ବଢି ଚାଲିଛି ସେହି ଧାରା ଅବ୍ୟାହତ ରହିଲେ ଆସନ୍ତା ୬ବର୍ଷ ଭିତରେ ରାଜ୍ୟର ଋଣ ଭାର ୨ଲକ୍ଷ କୋଟି ଟଙ୍କାକୁ ଟପିଯାଇ ପାରେ ବୋଲି ଅର୍ଥନୀତି ବିଶାରଦମାନେ ଆଶାଙ୍କାବ୍ୟକ୍ତ କରୁଛନ୍ତି ।
ଆସନ୍ତା ମାର୍ଚ୍ଚ ଶେଷସୁଦ୍ଧା ଓଡିଶାର ଋଣବୋଝ ୧,୨୫,୫୫୦ କୋଟି ଟଙ୍କା ହୋଇପାରେ ବୋଲି ସରକାର ନିଜେ ଆକଳନ କରିଛନ୍ତି । ଏହା ମଧ୍ୟରେ ଆଭ୍ୟନ୍ତରୀଣ ଓ ବୈଦେଶିକ ଋଣ ଅର୍ନ୍ତଭୁକ୍ତ । ୨୦୨୪ ଜୁଲାଇ ସୁଦ୍ଧା ଓଡିଶାର ଋଣବୋଝ ୯୬,୩୧୦ କୋଟି ଟଙ୍କା ଥିଲା । ଏଥି ମଧ୍ୟରୁ ଭାରତ ସରକାରଙ୍କ ଠାରୁ ଓଡିଶା ସରକାରଙ୍କ ଋଣ ପରିମାଣ ୨୧,୮୦୮ କୋଟି ଟଙ୍କା ଥିବାବେଳେ ଜିପିଏଫ୍ରୁ ୨୩,୫୧୭ କୋଟି, ନାବାର୍ଡରୁ ୧୯,୨୯୮ କୋଟି, ଖୋଲା ବଜାରରୁ ୧୬,୪୦୧ କୋଟି ଟଙ୍କା ଋଣ ଉଠାଯାଇଛି । ଏହାଛଡା ଜାତୀୟ ସ୍ୱଳ୍ପ ସଞ୍ଚୟ ଯୋଜନାରୁ ଓଡିଶା ସରକାର ୪୭୬୦ କୋଟି ଟଙ୍କାରୁ ଅଧିକ ଋଣ ନେଇଥିବାବେଳେ ଓମ୍ବାଡସି, କାମ୍ପା ଆଦିରୁ ୧୦,୫୦୦ କୋଟି ଟଙ୍କାରୁ ଅଧିକ ଋଣ ଉଠାଇଛନ୍ତି ।
ସରକାରୀ ତଥ୍ୟ ମୁତାବକ ୧୯୯୫-୯୬ ବର୍ଷ ଶେଷବେଳକୁ ଓଡିଶା ସରକାରଙ୍କ ଋଣ ପରିମାଣ ୯୨୧୮ କୋଟି ଟଙ୍କା ଥିବାବେଳେ ୨୦୦୦-୦୧ ବେଳକୁ ତାହା ୨୧,୦୦୧ କୋଟି ଟଙ୍କାରେ ପହଞ୍ଚିଥିଲା । ଏହା ବଢି ବଢି ୨୦୧୦-୧୧ ବେଳକୁ ୩୯,୧୩୬ କୋଟି ଟଙ୍କା ହୋଇଥିଲା । ୨୦୧୭-୧୮ରେ ଓଡିଶାର ଋଣଭାର ୭୩,୮୬୪ କୋଟି ଟଙ୍କା ରେକର୍ଡ କରାଯାଇଥିବାବେଳେ ଚଳିତ ଆର୍ଥିକବର୍ଷ ଶେଷସୁଦ୍ଧା ଏହା ୧ଲକ୍ଷ ୨୫ହଜାର କୋଟି ଟଙ୍କାକୁ ଟପିବାକୁ ଯାଉଛି । ମୋଟାମୋଟି ଭାବେ ୨୦୦୦ ମସିହାରୁ ଏଯାବତ୍ ୨୫ବର୍ଷ ଭିତରେ ଓଡିଶାର ଋଣବୋଝ ଅନ୍ୟୁନ ୭ଗୁଣ ବଢିଛି ।
ଏବେ ରାଜ୍ୟ ସରକାରଙ୍କ ଆୟର ଅନ୍ୟତମ ସ୍ରୋତ ଋଣ ହୋଇଥିବାବେଳେ ବ୍ୟୟବରାଦ ଅଟକଳରେ ବି ଋଣ ଓ ସୁଧ ପରିଶୋଧକୁ ପ୍ରାଧାନ୍ୟ ଦିଆଯାଉଛି । ତେବେ ବିତ୍ତୀୟ ପରିଚାଳନା ପାଇଁ ରାଜ୍ୟ ସରକାର ଯେଉଁ ଆଇନ୍ଗତ ବ୍ୟବସ୍ଥା ରଖିଛନ୍ତି ତଦନୁଯାୟୀ ଋଣର ପରିମାଣ ମୋଟ୍ ଘରୋଇ ଉତ୍ପାଦର ୨୫ ପ୍ରତିଶତ ଭିତରେ ରହିବାକଥା । ଏଯାବତ୍ ରାଜ୍ୟ ସରକାର ଏହି ସୀମା ଭିତରେ ରହିଛନ୍ତି । ତେବେ କେନ୍ଦ୍ର ସରକାର ଏ କ୍ଷେତ୍ରରେ ଜିଡିପିର ଢେର ଅଧିକ ପରିମାଣର ଋଣ ଉଠାଉଛନ୍ତି । ଓଡିଶାର ବଜେଟ୍ ୨୦୨୪-୨୫ ବର୍ଷ ପାଇଁ ପ୍ରାୟ ୨ଲକ୍ଷ ୬୫ହଜାର କୋଟି ଟଙ୍କା ଥିବାବେଳେ ଏହିବର୍ଷ ଶେଷ ସୁଦ୍ଧା ଋଣ ପରିମାଣ ୧,୨୫,୫୫୦ କୋଟି ଟଙ୍କା ରହିବ ବୋଲି ବଜେଟ୍ ଅଟକଳରେ କୁହାଯାଇଥିଲା । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ବଜେଟ୍ର ପରିମାଣ ୫୦ଲକ୍ଷ ୬୫ହଜାର କୋଟି ଟଙ୍କା ହୋଇଥିବାବେଳେ ଋଣବୋଝ କିନ୍ତୁ ପ୍ରାୟ ୨୦୦ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା ।
ଅର୍ଥନୀତି ଓ ଯୋଜନା ବିଶାରଦମାନେ କହୁଛନ୍ତି ଯେ ରାଜନୈତିକ ଦଳଗୁଡିକ ଭିତରେ ଲୋକଙ୍କୁ ମାଗଣା ଅର୍ଥ ଓ ସାମଗ୍ରୀ ବାଣ୍ଟିବାପାଇଁ ଯେଉଁ ପ୍ରତିଯୋଗିତା ଚାଲୁଛି ସେଥିଯୋଗୁଁ ରାଜକୋଷ ଉପରେ ଚାପ ବଢୁଥିବାରୁ ବିଭିନ୍ନ କିସମ ଟିକସ ବଢୁଛି । ଏହାଛଡା ସରକାରୀ କର୍ମଚାରୀମାନଙ୍କ ପେନ୍ସନ ଓ ଭତ୍ତା ସହିତ ରାଜନେତା ଓ ଅଧିକାରୀମାନଙ୍କ ବ୍ୟୟବହୁଳ ପ୍ରୋଟୋକଲ ପାଇଁ ବି ମୋଟା ଅଙ୍କ ଅର୍ଥର ଆବଶ୍ୟକତା ପଡୁଛି । ଏହାଛଡା ରାଜ୍ୟର ଆବଶ୍ୟକତା ମେଣ୍ଟାଇବାପାଇଁ ବଜେଟ୍ରେ ଯେଉଁ ବ୍ୟବସ୍ଥା ରହିଛି ତାହା ନିଅଣ୍ଟ ପଡୁଥିବାରୁ ସରକାରଙ୍କୁ ଅଧିକରୁ ଅଧିକ ଋଣ ଉଠାଇବାକୁ ହେଉଛି । (ତଥ୍ୟ)