Home Finance ଋଣ ନେବାକୁ ମହିଳା ଅରାଜି

ଋଣ ନେବାକୁ ମହିଳା ଅରାଜି

ଭୁବନେଶ୍ୱର : ଛୋଟ ଛୋଟ ଉଦ୍ୟୋଗ ପ୍ରତିଷ୍ଠା ଲାଗି ଋଣ ନେଉଥିବା ମହିଳାଙ୍କ ସଂଖ୍ୟା ବର୍ଷକୁ ବର୍ଷ କମିବାରେ ଲାଗିଛି । ବିଗତ ତିନିବର୍ଷ ମଧ୍ୟରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ଚାଲିଥିବାବେଳେ ଅଧିକ ପରିମାଣରେ ମିଳୁଥିବା ରିହାତି ବି ମହିଳାମାନଙ୍କୁ ଆକୃଷ୍ଟ କରିପାରୁ ନାହିଁ ।

କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ପିଏମଇଜିପି ଯୋଜନାରେ ଋଣ ନେବାପାଇଁ ମହିଳାମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହି ଯୋଜନାରେ ମହିଳାମାନେ ଋଣ ନେଇ ଗାଁ ଗହଳରେ ଛୋଟ ଛୋଟ ଉଦ୍ୟୋଗ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କ ହାତକୁ କାମ ଯୋଗାଇଥାନ୍ତି । ତେବେ ଏହି ଯୋଜନାର ସବୁଠାରୁ ବଡ ଆକର୍ଷଣ ହେଉଛି ଏଥିରେ ମହିଳାମାନଙ୍କୁ ୩୫ ପ୍ରତିଶତ ରିହାତି ମିଳୁଛି । କିନ୍ତୁ କରୋନା ମହାମାରୀ ସମୟରେ ଯେତିକି ସଂଖ୍ୟକ ମହିଳା ଋଣ ନେଇଥିଲେ ପରବର୍ତ୍ତୀ ସମୟରେ ଏହା ହ୍ରାସ ପାଇଛି ।

ମହିଳାମାନେ ନେଇଥିବା ଋଣର ସବସିଡ୍‍ ବାବଦରେ ୫ବର୍ଷ ମଧ୍ୟରେ ଏହି ଯୋଜନାରେ ୨୩୦ କୋଟି ଟଙ୍କାରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ୨୦୧୯-୨୦ ବର୍ଷରେ ରାଜ୍ୟରେ ମାତ୍ର ୧୧୫୬ ଜଣ ମହିଳା ପିଏମ୍‍ଇଜିପି ଯୋଜନାରେ ୩୫କୋଟି ୮୪ଲକ୍ଷ ଟଙ୍କାର ସବସିଡ୍‍ ପାଇଥିବାବେଳେ ଏହା ପରବର୍ଷ ଅର୍ଥାତ୍‍ ୨୦୨୦-୨୧ ବର୍ଷରେ ଋଣ ନେଇଥିବା ମହିଳାଙ୍କ ସଂଖ୍ୟା ୧୩୧୮କୁ ବୃଦ୍ଧି ପାଇବା ସହିତ ସବସିଡ୍‍ ରାଶି ୪୧ କୋଟି ଟଙ୍କାକୁ ଟପିଯାଇଥିଲା ।

୨୦୨୧-୨୨ ବର୍ଷୋରରାଜ୍ୟରେ ୧୮୭୨ ଜଣ ମହିଳା ପିଏମ୍‍ଇଜିପି ଯୋଜନାରେ ଋଣ ନେଇଥିଲେ । ସେହିବର୍ଷ ସେମାନେ ଋଣର ସବସିଡ୍‍ ବାବଦରେ ସରକାର ୫୪କୋଟି ୫୩ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ୨୦୨୨-୨୩ ବର୍ଷରେ ଋଣ ନେଇଥିବା ମହିଳାଙ୍କ ସଂଖ୍ୟା ୧୭୫୦କୁ ହ୍ରାସ ପାଇଥିବାବେଳେ ୨୦୨୩-୨୪ବର୍ଷରେ ଏହା ୧୪୧୪ରେ ପହଞ୍ଚିଛି । ସରକାର ପ୍ରଦାନ କରୁଥିବା ସବସିଡ୍‍ ପରିମାଣ ମଧ୍ୟ ହ୍ରାସ ପାଇଛି ।

ଏହି କେନ୍ଦ୍ରୀୟ ନିଯୁକ୍ତି ଭିତ୍ତିକ ଯୋଜନାରେ ମହିଳମାନଙ୍କୁ ପ୍ରକଳ୍ପର ମାତ୍ର ୫ ପ୍ରତିଶତ ନିଜସ୍ୱ ଅଂଶଧନ ବାବଦରେ ଖଟାଇବାକୁ ପଡୁଥିଲେ ମଧ୍ୟ ମହିଳାମାନଙ୍କ ଅନାଗ୍ରହ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ବିଶେଷକରି ଉଦ୍ୟୋଗ ପାଇଁ କଞ୍ଚାମାଲର ଅଭାବ ସହିତ ବଜାର ବ୍ୟବସ୍ଥା ନଥିବାରୁ ମହିଳମାନେ ଧିରେ ଧିରେ ଏଥିରୁ ଦୂରେଇବାରେ ଲାଗିଛନ୍ତି । ଏଥି ସହିତ ସ୍ୱୟଂ ସହାୟକ ଗୋଷ୍ଠି ଜରିଆରେ ବିନା ସୁଧରେ ସରକାର ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବା ମଧ୍ୟ ଏହାର ଅନ୍ୟତମ କାରଣ ପାଲଟିଛି ।

ତେବେ ମହିଳାମାନଙ୍କୁ ଉଦ୍ୟୋଗ କରିବାପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଅଧିକ ସବସିଡ୍‍ଯୁକ୍ତ ଋଣ ନେବାପାଇଁ ସେମାନେ ଅମଙ୍ଗ ହେବା ଏବେ ଏହି କେନ୍ଦ୍ରୀୟ ଯୋଜନା ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ଏହା ଫଳରେ ରାଜ୍ୟରେ ଆତ୍ମନିଯୁକ୍ତି ଭିତ୍ତିକ ଅଣୁ ଶିଳ୍ପ ଗଢିବାର ଯେଉଁ ସମ୍ଭାବନା ଥିଲା ତାହା ମଧ୍ୟ କମି ଚାଲିଥିବା ଜଣାଯାଇଛି । (ତଥ୍ୟ)