Home Finance ଋଣ ଦେବାକୁ ବ୍ୟାଙ୍କକୁ ତାଗିଦ

ଋଣ ଦେବାକୁ ବ୍ୟାଙ୍କକୁ ତାଗିଦ

ଭୁବନେଶ୍ୱର : ବ୍ୟବସାୟିକ ବ୍ୟାଙ୍କ୍‍ମାନେ ଲୋକଙ୍କ ଋଣ ଆବେଦନପତ୍ର ମଧ୍ୟରୁ ଅଧିକାଂଶକୁ ଯେଭଳି ନାକଚ କରିଦେଉଛନ୍ତି ତାହା ଉପରେ ରାଜ୍ୟ ସରକାର ଉଦବେଗପ୍ରକାଶ କରିବା ସଂଗେ ସଂଗେ ଏଭଳି ନକରିବାପାଇଁ ତାଗିଦ କରିଥିବା ଜଣାଯାଇଛି ।

ରାଜ୍ୟ ସରକାର ବ୍ୟବସାୟିକ ବ୍ୟାଙ୍କ୍‍ମାନଙ୍କୁ ଅଧିକରୁ ଅଧିକ ଋଣ ଦେବା ସକାଶେ ନିର୍ଦ୍ଦେଶ ଦେବା ସହିତ ଲୋକମାନଙ୍କୁ ଏଥିପାଇଁ ଆବେଦନ କରିବାକୁ ପ୍ରୋତ୍ସାହିତ କରୁଥିବାବେଳେ ଲକ୍ଷ୍ୟ କରାଯାଉଛି ଯେ ଏହି ଆବେଦନପତ୍ରଗୁଡିକୁ ସଠିକ ଭାବରେ ଅନୁଧ୍ୟାନ ନକରି ବହୁ ବ୍ୟାଙ୍କ୍‍ ନାକଚ କରିଦେଉଛନ୍ତି । ତେଣୁ ଲୋକେ ଏ କ୍ଷେତ୍ରରେ ନିରାଶ ହେଉଛନ୍ତି । ଏ ସଂକ୍ରାନ୍ତୀୟ ମାମଲା ଅଧିକରୁ ଅଧିକ ସଂଖ୍ୟାରେ ହେଉଥିବା ଯୋଗୁଁ ତାହା ଉପରେ ରାଜ୍ୟ ସରକାର କ୍ଷୋଭ ପ୍ରକାଶ କରିଥିବା ଜଣାଯାଇଛି ।

ସମ୍ପ୍ରତି ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ବ୍ୟାଙ୍କ୍‍ ସମୂହ ସମନ୍ୱୟ ସମିତି ବୈଠକରେ ଏହି ପ୍ରସଙ୍ଗ ଆନ୍ଦୋଳିତ ହୋଇଛି । ରାଜ୍ୟ ସରକାରଙ୍କ କହିବା କଥା ଯେ ଯେକୌଣସି ଆବେଦନପତ୍ର ଆସିଲେ ତାହାକୁ ନ୍ୟାୟୋଚିତ ଭାବରେ ବିଚାର କରାଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବା ଉଚିତ୍‍ । କାରଣ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଋଣ ପ୍ରଦାନର ପରିମାଣ ଅପେକ୍ଷାକୃତ କମ୍‍ ରହିଛି । ସେଭଳି ପରିସ୍ଥିତିରେ ଅଧିକ ଋଣ ଦେବା ପରିବର୍ତ୍ତେ ଆବେଦନପତ୍ରଗୁଡିକୁ ମନମୁଖୀ ଭାବରେ ବିଚାର କରି ସେଥିରୁ ଅଧିକାଂଶ ନାକଚ କରିଦିଆଯିବା ଆଦୌ ଗ୍ରହଣୀୟ ନୁହେଁ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବ୍ୟବସାୟିକ ବ୍ୟାଙ୍କ୍‍ମାନେ ଓଡିଶାରେ ଅନାଦେୟ ଋଣ (ଏନପିଏ)ର ପରିମାଣ ଅଧିକ ଥିବାଯୋଗୁଁ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟବସାୟିକ ବ୍ୟାଙ୍କ୍‍ମାନେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ମାତ୍ର ଏଭଳି ଯୁକ୍ତିକୁ ରାଜ୍ୟ ସରକାର ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ କହିଛନ୍ତି ଯେ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଏନ୍‍ପିଏ ଅପେକ୍ଷାକୃତ କମ୍‍ । ଉଦାହରଣ ସ୍ୱରୂପ ଉତ୍ତରପ୍ରଦେଶରେ ଏନ୍‍ପିଏ ହାର ୧୦ ପ୍ରତିଶତରୁ ଅଧିକ ଥିବାବେଳେ ହରିଆନାରେ ଏହା ୮.୪ ପ୍ରତିଶତ । ଏପରିସ୍ଥଳେ ଓଡିଶାର ଏନ୍‍ପିଏ ୫.୮୮ ପ୍ରତିଶତ ରହିଛି ।

କିନ୍ତୁ ଏହି ରାଜ୍ୟମାନଙ୍କରେ ଓଡିଶା ଅପେକ୍ଷା ବ୍ୟାଙ୍କ୍‍ମାନଙ୍କ ପକ୍ଷରୁ ଅଧିକ ଋଣ ପ୍ରଦାନ କରାଯାଉଛି । ତେଣୁ ଅଧିକ ଏନ୍‍ପିଏ ଥାଇ ସେହି ରାଜ୍ୟମାନଙ୍କୁ ବ୍ୟାଙ୍କ୍‍ଗୁଡିକ ଅଧିକ ଋଣ ପ୍ରଦାନ କରୁଥିବାବେଳେ ଏଠାରେ ଏ କ୍ଷେତ୍ରରେ କୁଣ୍ଠାବୋଧ କରିବା ଆଦୌ ସମୀଚିନ ନୁହେଁ । ତେଣୁ ଅଧିକ ଋଣ ପ୍ରଦାନ ଦିଗରେ ବ୍ୟବସାୟିକ ବ୍ୟାଙ୍କ୍‍ମାନେ ଆଗ୍ରହୀ ହେବା ଉଚିତ୍‍ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟ ସରକାର ସ୍ୱୟଂ ସହାୟିକା ଗୋଷ୍ଠିମାନଙ୍କୁ ଅଧିକରୁ ଅଧିକ ଋଣ ଦେବାପାଇଁ ବ୍ୟାଙ୍କ୍‍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଏଭଳି କଡା ନିର୍ଦ୍ଦେଶ ଜାରି କରିବା ଫଳରେ ବ୍ୟବସାୟିକ ବ୍ୟାଙ୍କ୍‍ମାନେ ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ ଦେଉଥିବା ଋଣ ପରିମାଣ ବୃଦ୍ଧି କରିଛନ୍ତି । ପୂର୍ବରୁ ହାରାହାରି ଭାବରେ ୧.୭ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଉଥିବାବେଳେ ତାହା ବଢି ବଢି ୩.୭୮ ଲକ୍ଷକୁ ବୃଦ୍ଧି ପାଇଛି । ଏହି ଋଣର ସୁଧହାର ରାଜ୍ୟ ସରକାର ବହନ କରୁଛନ୍ତି । ତେବେ ଏହି ଋଣ ପ୍ରଦାନକୁ ଆହୁରି ବୃଦ୍ଧି କରିବାପାଇଁ ମିଶନଶକ୍ତି ବିଭାଗ ପକ୍ଷରୁ ବ୍ୟବସାୟିକ ବ୍ୟାଙ୍କ୍‍ମାନଙ୍କୁ ପରାମର୍ଶ ଦିଆଯାଇଛି । ଅନୁରୂପ ଭାବରେ ଅନ୍ୟାନ୍ୟ ଋଣ ପରିମାଣ ବୃଦ୍ଧି କରାଯିବାପାଇଁ ରାଜ୍ୟ ସରକାର ତାଗିଦା କରିଥିବା ଜଣାଯାଇଛି । (ତଥ୍ୟ)