Home Banking ଋଣ ଦେବାକୁ କୁନ୍ଥୁ କୁନ୍ଥୁ

ଋଣ ଦେବାକୁ କୁନ୍ଥୁ କୁନ୍ଥୁ

ଭୁବନେଶ୍ୱର : ଓଡିଶାରେ ଥିବା ବ୍ୟାଙ୍କ୍‍ଗୁଡିକ ରାଜ୍ୟରୁ ଯେତିକି ପରିମାଣରେ ପୁଞ୍ଜି ସଂଗ୍ରହ କରୁଛନ୍ତି ସେହି ଅନୁପାତରେ ଏଠାରେ ୠଣ ପ୍ରଦାନ କରୁନାହାନ୍ତି । ରାଜ୍ୟ ସରକାରଙ୍କ ତାଗିଦା ପରେ ଯଦିଓ ସ୍ଥିତିରେ ସୁଧାର ଆସିଛି ତଥାପି ଅଧାରୁ ଅଧିକ ଜିଲ୍ଲାରେ ଜମା ସଂଗ୍ରହ ଅପେକ୍ଷା ଋଣ ଯୋଗାଣ କମ୍‍ ରହିଛି ।

ଶିଳ୍ପ ସମୃଦ୍ଧ ଝାରସୁଗୁଡା ସମେତ ବୌଦ, ରାୟଗଡା, ଯାଜପୁର, ସୋନପୁର ଜିଲ୍ଲାରେ ଜମା ସଂଗ୍ରହ ତୁଳନାରେ ଋଣ ଯୋଗାଣ ପରିମାଣ ଢେର ଅଧିକ ରହିଛି । ଝାରସୁଗୁଡା ଜିଲ୍ଲାରେ ଚଳିତବର୍ଷ ମାର୍ଚ୍ଚ ଶେଷସୁଦ୍ଧା ବ୍ୟାଙ୍କ୍‍ମାନେ ୬୫୪୮.୫୧କୋଟି ଟଙ୍କା ସଂଗ୍ରହ କରିଥିବାବେଳେ ୧୯,୯୮୯.୭୦ କୋଟି ଟଙ୍କା ଖଟାଇଛନ୍ତି ଯାହାକି ଜମା ତୁଳନାରେ ଋଣ ପ୍ରଦାନର ପରିମାଣ ୩୦୫ ପ୍ରତିଶତ ରହିଛି । ସେହଭଳି ବୌଦରେ ୧୩୦ ପ୍ରତିଶତ, ରାୟଗଡାରେ ୧୧୮ ପ୍ରତିଶତ, ଯାଜପୁରରେ ୧୧୫ ଓ ସୋନପୁରରେ ୧୦୪.୪ ପ୍ରତିଶତ ଅଧିକ ଅର୍ଥ ଖଟାଇଛନ୍ତି ।

ସେହିଭଳି ସମ୍ବଲପୁର, ନୂଆପଡା, କଳାହାଣ୍ଡି ଓ ବରଗଡ ଜିଲ୍ଲାରେ ବ୍ୟାଙ୍କ୍‍ମାନେ ସଂଗ୍ରହ କରିଥିବା ଜମା ତୁଳନାରେ ୯୦ ପ୍ରତିଶତରୁ ଅଧିକ ଅର୍ଥ ଖଟାଇଥିବା ଜଣାଯାଇଛି । ଭଦ୍ରକ ଜିଲ୍ଲାରେ ବ୍ୟାଙ୍କ୍‍ମାନେ ଜମା ସଂଗ୍ରହ ତୁଳନାରେ ୮୧.୨ ପ୍ରତିଶତ ଅର୍ଥ ଖଟାଇଛନ୍ତି । ଏହି ଜିଲ୍ଲାରୁ ୭୫୩୭.୫୯ କୋଟି ଟଙ୍କା ଜମା ସଂଗ୍ରହ କରିଥିବାବେଳେ ଦେଇଛନ୍ତି ୬୨୪.୬୯ କୋଟି ଟଙ୍କା ।

ତେବେ ଜମା ସଂଗ୍ରହ ତୁଳନାରେ ଋଣ ପ୍ରଦାନ କ୍ଷେତ୍ରରେ ସବୁଠାରୁ ପଛରେ ପଡିଛନ୍ତି ଖଣି ବହୁଳ ଜିଲ୍ଲା କେନ୍ଦୁଝର, ଉପକୂଳ ଜିଲ୍ଲା ଜଗତ୍‍ସିଂହପୁର, ଦକ୍ଷିଣରେ ଗଜପତି ଓ ରାଜ୍ୟର ସବୁଠାରୁ ବଡ ଜିଲ୍ଲା ମୟୁରଭଞ୍ଜ । ବ୍ୟାଙ୍କ୍‍ଗୁଡିକ କେନ୍ଦୁଝର ଜିଲ୍ଲାରୁ ୧୯,୭୬୨.୫୭କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିଥିବାବେଳେ ଋଣ ଦେଇଛନ୍ତି ମାତ୍ର ୭୯୩୫.୯୯ କୋଟି ଟଙ୍କା ଯାହାକି ସଂଗୃହୀତ ଜମାର ମାତ୍ର ୪୦ ପ୍ରତିଶତ ।

ସେହିଭଳି ଜଗତ୍‍ସିଂହପୁର ଜିଲ୍ଲାରୁ ୧୧,୪୫୨.୦୬ କୋଟି ଟଙ୍କାର ଜମା ସଂଗ୍ରହ କରିଥିବାବେଳେ ଋଣ ଆକାରରେ ଖଟାଇଛନ୍ତି ମାତ୍ର ୪୭୮୯ କୋଟି ଟଙ୍କା ଯାହାକି ସଂଗ୍ରହ ଅର୍ଥର ମାତ୍ର ୪୧ ପ୍ରତିଶତ । ଗଜପତିରେ ସଗୃହୀତ ଜମାର ୪୭ ପ୍ରତିଶତ ଋଣ ଆକାରରେ ଦେଇଥିବାବେଳେ ମୟୁରଭଞ୍ଜରେ ଏହା ୪୮ ପ୍ରତିଶତ ରହିଛି ।

ସଂଗୃହୀତ ଜମାର ୫୦ରୁ ୬୦ ପ୍ରତିଶତ ଅର୍ଥ ଦିଆଯାଇଥିବା ଜିଲ୍ଲା ମଧ୍ୟରେ ରହିଛନ୍ତି ସୁନ୍ଦରଗଡ, ଅନୁଗୁଳ, ଦେବଗଡ, କଟକ, ପୁରୀ ଓ ମାଲକାନଗିରି । ଏହିସବୁ ଜିଲ୍ଲାରୁ ବ୍ୟାଙ୍କ୍‍ମାନେ ବିପୁଳ ପରିମାଣର ଜମା ସଂଗ୍ରହ କରୁଥିବାବେଳେ ଋଣ ପ୍ରଦାନର ହାର ନୈରାଶ୍ୟଜନକ ରହିଛି । ଦେବଗଡ ଜିଲ୍ଲାରେ ମାତ୍ର ୯୪୫.୯୦କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ।

ତେବେ ଗତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ଥିବା ବ୍ୟାଙ୍କଗୁଡିକ ଖୋରଧା ଜିଲ୍ଲାରୁ ସର୍ବାଧିକ ୧,୩୭,୩୮୯.୦୫ କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିଛନ୍ତି । ହେଲେ ଏଠାରେ ଖଟାଇଛନ୍ତି ୯୭,୮୪୫.୧୦ କୋଟି ଟଙ୍କା ଯାହାକି ମୋଟ୍‍ ସଂଗ୍ରହ ଜମାର ମାତ୍ର ୭୧.୨ ପ୍ରତିଶତ ।

ରାଜ୍ୟରେ ବିପୁଳ ଜମା ସଂଗ୍ରହ କରୁଥିବା ବ୍ୟାଙ୍କ୍‍ମାନେ ଲୋକଙ୍କୁ ଅଧିକରୁ ଅଧିକ ଋଣ ଦେବାପାଇଁ ରାଜ୍ୟ ସରକାର ବାରମ୍ବାର ତାଗିଦା କରୁଛନ୍ତି । ଏଥିଯୋଗୁଁ ସ୍ଥିତିରେ ଯଦିଓ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି ଓ ଜମା-ଋଣ ଅନୁପାତ ବଢିଛି ତଥାପି ଏବେ ବି ଅନେକ ଜିଲ୍ଲାରେ ସ୍ୱୟଂ ସହାୟିକା ଗୋଷ୍ଠି, ଏମ୍‍ଏସ୍‍ଏମଇ, କୃଷି ଆଦି କ୍ଷେତ୍ରର ହିତାଧିକାରୀଙ୍କୁ ଋଣ ଯୋଗାଣରେ ବ୍ୟାଙ୍କ୍‍ମାନେ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି । (ତଥ୍ୟ)