ଭୁବନେଶ୍ୱର : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ବ୍ୟାଙ୍କ୍ ଋଣ ପ୍ରଦାନ ଉପରେ ଗୁରୁତ୍ୱ ଦେଉଥିବାବେଳେ ବ୍ୟାଙ୍କ୍ଗୁଡିକ ନିକଟରେ ଏବେ ପାଖାପାଖି ୭୩ହଜାର ଆବେଦନ ପଡି ରହିଛି । ବିଭିନ୍ନ ଯୋଜନାରେ ଋଣ ପ୍ରଦାନ ପାଇଁ ବ୍ୟାଙ୍କ୍ମାନେ କୁନ୍ଥୁ କୁନ୍ଥୁ ହେଉଥିବାରୁ ରାଜ୍ୟରେ ଏଭଳି ଅବସ୍ଥା ଉପୁଜିଛି ।
ଆଜି ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରୁ ଏହି ସୂଚନା ମିଳିଥିବାବେଳେ ପଡି ରହିଥିବା ଆବେଦନପତ୍ରଗୁଡିକ ଉପରେ ତୁରନ୍ତ ନିଷ୍ପତ୍ତି ନେବାପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ପରାମର୍ଶ ଦେଇଛନ୍ତି । ବୈଠକରୁ ଜଣାପଡିଛି ଯେ ଆଜି ସୁଦ୍ଧା ପିଏମ୍ଇଜିପି, ପିଏମ୍ଏସ୍ଭିଏନିଧି, ଏସ୍ଏଚ୍ଜି, ଏମ୍କେୟୁୱାଇ, ଏମ୍ଆଇଡିଏଚ୍ ଯୋଜନାରେ ଋଣ ପାଇବାପାଇଁ ହଜାର ହଜାର ଆବେଦନ ବ୍ୟାଙ୍କ୍ଗୁଡିକ ନିକଟରେ ପଡିରହିଛି ଯାହା କି ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ସମଗ୍ର ରାଜ୍ୟରେ ପଡିଥିବା ପ୍ରାୟ ୭୩ହଜାର ଆବେଦନ ମଧ୍ୟରୁ ଏଚ୍ଏଚ୍ଜିଗୁଡିକର ବ୍ୟାଙ୍କ୍ ଲିଙ୍କେଜ୍ ଆବେଦନ ସଂଖ୍ୟା ପ୍ରାୟ ୫୯ହଜାର । ଏଥି ସହିତ ପିଏମ୍ଏସଭିଏନିଧିରେ ୭୮୦୦, ପିଏମ୍ଇଜିପିରେ ୪୭୦୦ରୁ ଅଧିକ ମାମଲା ପଡି ରହିଛି । ସେହିଭଳି ଏମ୍କେୟୁୱାଇ ଏବଂ ଏମଆଇଡିଏଚ୍ ରେ ୧୫୦୦ ରୁ ଅଧିକ ଆବେଦନ ବ୍ୟାଙ୍କ୍ ନିକଟରେ ଅଛି । ଏହିସବୁ ଆବେଦନଗୁଡିକୁ ଅଗ୍ରାଧିକାର ଭିତ୍ତିରେ ମଞ୍ଜୁର କରିବାପାଇଁ ଅର୍ଥ ସଚିବ ଶ୍ରୀ ଦେବ ବ୍ୟାଙ୍କ୍ଗୁଡିକୁ ଅନୁରୋଧ କରିଛନ୍ତି ।
ଏଚ୍ଏଚ୍ଜିଗୁଡିକୁ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ୍ମାନେ ଗୋଟିଏ ଗୋଷ୍ଠିକୁ ଋଣ ପ୍ରଦନା ସୀମା ୨.୧୫ଲକ୍ଷ ଟଙ୍କା କରିଥିବାବେଳେ ମିଶନ ଶକ୍ତିରେ ୫-ଟି ଆଧାରରେ ରାଜ୍ୟ ସରକାର ୨୦୨୨-୨୩ ସୁଦ୍ଧା ପ୍ରତ୍ୟେକ ଏସ୍ଏଚ୍ଜିକୁ ୪ଲକ୍ଷ ଟଙ୍କାର ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛନ୍ତି । ତେବେ ବ୍ୟାଙ୍କ୍ମାନେ ଋଣ ଅର୍ଥ ଭରଣା ବାବଦରେ ୨୦୦ କୋଟି ଟଙ୍କା ପାଇବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ସେମାନେ କେବଳ ୧୦୭କୋଟି ଟଙ୍କା ଦାବି କରିଛନ୍ତି । ଉଲ୍ଲେଖନୀୟ ଯେ ମିଶନଶକ୍ତି ଅଧିନରେ ଋଣ ଭରଣା ଯୋଜନାରେ ବ୍ୟାଙ୍କ୍ମାନେ ନିୟମିତ କିସ୍ତି ଅର୍ଥ ଦେଉଥିବା ଏସଏଚ୍ଜିଗୁଡିକୁ ବିନା ସୁଧରେ ୩ଲକ୍ଷ ଟଙ୍କାର ଋଣ ପ୍ରଦାନ କରୁଛନ୍ତି ।
ଏଚ୍ଏଚ୍ଜି ମହିଳାମାନଙ୍କୁ ବ୍ୟାଙ୍କିଙ୍ଗ୍ କରେସପେଣ୍ଡେଣ୍ଟ ଭାବେ ମୁତୟନ ଲାଗି ବ୍ୟାଙ୍କ୍ଗୁଡିକ ମିଶନ ଶକ୍ତି ସହିତ ବୁଝାମଣା ପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବ କହିଛନ୍ତି । ବର୍ତ୍ତମାନ ସୁଦ୍ଧା କେବଳ ଏସ୍ବିଆଇ, ଓଜିବି ଏବଂ ୟେସ୍ ବ୍ୟାଙ୍କ୍ ମିଶନଶକ୍ତି ସହିତ ବୁଝାମଣା କରି ବ୍ୟାଙ୍କିଙ୍ଗ୍ କରେସପେଣ୍ଡେଣ୍ଟ ନିଯୁକ୍ତ କରିଛନ୍ତି । ଏବେ ସୁଦ୍ଧା ୨୨୦୩ ଜଣ ମହିଳାଙ୍କୁ ଏହି ନିଯୁକ୍ତି ମିଳିପାରିଛି । ଏହି ବ୍ୟାଙ୍କିଙ୍ଗ୍ କରେସପେଣ୍ଡେଣ୍ଟମାନେ ବ୍ୟାଙ୍କ୍ ଶାଖା ନଥିବା ଅଞ୍ଚଳରେ ଭଲ କାର୍ଯ୍ୟ କରୁଥିବାବେଳେ ଯେଉଁସବୁ ଅଞ୍ଚଳରେ ଆଦୌ ବ୍ୟାଙ୍କ୍ ସୁବିଧା ନାହିଁ ସେଠାରେ ଅଧିକରୁ ଅଧିକ ଏଚ୍ଏଚ୍ଜି ମହିଳାଙ୍କୁ ଏଥିରେ ସାମିଲ ପାଇଁ ଜଣେ ପୂର୍ବତନ ବ୍ୟାଙ୍କ୍ ଅଧିକାରୀ ମତ ଦେଇଛନ୍ତି । (ତଥ୍ୟ)