Home Finance ଋଣବୋଝ ଟପିପାରେ ଦେଢ଼ ଲକ୍ଷ କୋଟି

ଋଣବୋଝ ଟପିପାରେ ଦେଢ଼ ଲକ୍ଷ କୋଟି

ଭୁବନେଶ୍ୱର : ଓଡ଼ିଶାର ଋଣବୋଝ ଯେଉଁ ହାରରେ ବୃଦ୍ଧି ପାଉଛି ତାହା ଅବ୍ୟାହତ ରହିଲେ ଦୁଇବର୍ଷ ଭିତରେ ରାଜ୍ୟର ଋଣ ପରିମାଣ ଦେଢ଼ ଲକ୍ଷ କୋଟିକୁ ଟପିପାରେ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।

୧୯୯୫-୯୬ ବେଳକୁ ଓଡ଼ିଶା ସରକାରଙ୍କ ଋଣ ଭାର ୯୨୧୮ କୋଟି ୫୦ଲକ୍ଷ ଟଙ୍କାରେ ସୀମିତ ଥିବାବେଳେ ତାହା ବଢ଼ିବଢ଼ି ୨୦୦୦-୦୧ ବେଳକୁ ୨୧,୦୦୧ କୋଟି ୮୮ଲକ୍ଷ ଟଙ୍କାରେ ପହଞ୍ôଚଥିଲା । ତେବେ ଏଥିରେ ନିୟନ୍ତ୍ରଣ ଅଣାନଯିବାରୁ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ଋଣବୋଝ ୯୬,୩୧୦ କୋଟି ଟଙ୍କାକୁ ଟପିଥିଲା ।

ରାଜ୍ୟ ସରକାରଙ୍କ ବଜେଟ୍‍ ଅଟକଳ ଅନୁଯାୟୀ ୨୦୨୪-୨୫ ବର୍ଷରେ ୪୩,୪୯୫ କୋଟି ଟଙ୍କା ଋଣ କରାଯାଇଥିବା ବେଳେ ୨୦୨୫-୨୬ ଆର୍ôଥକ ବର୍ଷରେ ଓଡ଼ିଶା ସରକାର ୪୭,୪୦୦ କୋଟି ଟଙ୍କା ଋଣ କରିବାକୁ ଯାଉଛନ୍ତି । ମୋଟାମୋଟି ଭାବେ ଚଳିତ ଆର୍ôଥକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣବୋଝ ଅନ୍ୟୁନ ୧ଲକ୍ଷ ୩୫ ହଜାର କୋଟି ଟଙ୍କା ହେବ ବୋଲି ଆଶଙ୍କା କରାଯାଉଛି ।

ଚଳିତବର୍ଷ ପାଇଁ ଥିବା ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍‍ରୁ ଅନ୍ୟୁନ ୧୬.୩ ପ୍ରତିଶତ ଆସିବ ଋଣରୁ । ଋଣ ଅର୍ଥକୁ ରାଜ୍ୟ ସରକାରଙ୍କର ଅନ୍ୟତମ ଆୟର ସ୍ରୋତ ଭାବେ ଦର୍ଶାଯାଉଛି । ଏବର୍ଷ ଓଡ଼ିଶା ସରକାର ନିଜସ୍ୱ ଟିକସ ରାଜସ୍ୱ ବାବଦରେ ୬୬ ହଜାର କୋଟି ଟଙ୍କା ଓ ଅଣ ଟିକସ ରାଜସ୍ୱ ବାବଦରେ ୬୦ ହଜାର କୋଟି ଟଙ୍କା ପାଇବାର ଲକ୍ଷ୍ୟ ରଖିଥିବା ବେଳେ କେନ୍ଦ୍ରୀୟ ଅନୁଦାନ ବାବଦରେ ୪୧,୫୯୧ କୋଟି ଓ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ବାବଦରେ ୬୪,୬୦୮ କୋଟି ଟଙ୍କା ପାଇବ ବୋଲି ଆଶା ରଖିଛନ୍ତି । ଏହି ସରକାରୀ ତଥ୍ୟ ମୁତାବକ କେନ୍ଦ୍ରୀୟ ଅନୁଦାନ ଅପେକ୍ଷା ସରକାରୀ ଋଣର ପରିମାଣ ଢେର ଅଧିକ ରହିବ ।

ସେହିଭଳି ରାଜ୍ୟ ସରକାରଙ୍କ ଯେଉଁ ବ୍ୟୟ ଅଟକଳ ରହିଛି ସେଥିରୁ ସୁଧ ଓ ଋଣ ପରିଶୋଧ ବାବଦରେ ୨୦୨୫-୨୬ ବର୍ଷରେ ୨୯,୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇପାରେ । ମୋଟାମୋଟି ଭାବେ ରାଜ୍ୟ ଉପରେ ଋଣ ବୋଝ ବଢ଼ିବଢ଼ି ଚାଲୁଛି । ତେବେ ଏଫଆରବିଏମ୍‍ ଆଇନ୍‍ରେ ଜିଡିପି ଅନୁପାତରେ ଋଣର ପରିମାଣ ଯାହା ରହିବା କଥା ତାହା ଓଡ଼ିଶା କ୍ଷେତ୍ରରେ ଢେର କମ୍‍ ରହିଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଋଣ ବୋଝ ଇତିମଧ୍ୟରେ ବଢ଼ିବଢ଼ି ୨୦୦ ଲକ୍ଷ କୋଟି ଟଙ୍କାକୁ ଟପିଥିବା ବେଳେ ସବୁ ରାଜ୍ୟ ସରକାରଙ୍କ ଋଣ ବୋଝ ପ୍ରାୟ ୧୦୦ ଲକ୍ଷ କୋଟି ଟଙ୍କା ହେଲାଣି ବୋଲି ଅନୁମାନ କରାଯାଉଛି । ଅନେକ ରାଜ୍ୟ ତୁଳନାରେ ଓଡ଼ିଶାର ଋଣ ବୋଝ ଅବଶ୍ୟ କମ୍‍ ରହିଛି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ଋଣ କରିଛନ୍ତି ତାହାକୁ ହିସାବକୁ ନେଲେ ରାଜ୍ୟବାସୀଙ୍କ ମୁଣ୍ଡପିଛା ହାରାହାରି ଋଣ ପରିମାଣ ଉଦ୍‍ବେଗଜନକ ଭାବେ ବଢ଼ି ଚାଲିଥିବା କୁହାଯାଉଛି ।

ରାଜ୍ୟର କୃଷି ଭିତ୍ତିକ ଗ୍ରାମ୍ୟ ଅର୍ଥନୀତି ତୁଳନାରେ ବାହାରର ପୁଞ୍ଜିବିନିଯୋଗ ଓ ବଡ଼ବଡ଼ ଶିଳ୍ପ ପ୍ରତିଷ୍ଠା ସହିତ ଖଣି ନିଲାମ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିଯୋଗୁ ଜିଡ଼ିପି ଅଧିକ ରହୁଥିଲେ ମଧ୍ୟ ବାସ୍ତବରେ ତାହାର ମୁନାଫା ପୁଞ୍ଜି ବିନିଯୋଗ କରୁଥିବା ବିଦେଶୀ ଓ ବାହାର ରାଜ୍ୟର ନିବେଶକାରୀମାନଙ୍କ ପକେଟ୍‍କୁ ଯାଉଛି । ଏଥିଯୋଗୁ ବେକାରୀ ବଢ଼ିବା ସଂଗେ ସଂଗେ ଓଡ଼ିଶା ବିଭିନ୍ନ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ଲୁଗାପଟା, ତେଲ, ଲୁଣ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ବାହାର ରାଜ୍ୟ ଉପରେ ଅଧିକରୁ ଅଧିକ ନିର୍ଭର କରୁଥିବାରୁ ଓଡ଼ିଶାବାସୀଙ୍କ ଆୟର ପ୍ରମୁଖ ଅଂଶ ରାଜ୍ୟ ବାହାରକୁ ଚାଲିଯାଉଥିବା କଥା ଅର୍ଥନୀତି ବିଶାରଦମାନେ କହୁଛନ୍ତି । ଅନ୍ୟପକ୍ଷରେ ନିଶାର ପ୍ରସାର ସହିତ ଅପରାଧ ବୃଦ୍ଧି ଏବଂ ବିଭିନ୍ନ ମାଗଣା ଯୋଜନା ରାଜ୍ୟ ବିକାଶରେ ପ୍ରତବନ୍ଧକ ହେଉଥିବାରୁ କାମ ଚଳାଇବା ପାଇଁ ସରକାରକୁ ଅଧିକରୁ ଅଧିକ ପରିମାଣର ଋଣ ଉଠାଇବାକୁ ପଡୁଛି । (ତଥ୍ୟ)