Home General ଉଭାନ ହୋଇଯାଉଛି ଟ୍ରାଫିକ ଲାଇଟ୍‍

ଉଭାନ ହୋଇଯାଉଛି ଟ୍ରାଫିକ ଲାଇଟ୍‍

ଭୁବନେଶ୍ୱର : ଟ୍ରାଫିକ ଛକରେ ଥିବା ଖୁଣ୍ଟରୁ ଗୋଟିଏ ପରେ ଗୋଟିଏ ଟ୍ରାଫିକ ଲାଇଟ୍‍ ଉଭାନ ହୋଇ ଯାଉଛି । ଯେଉଁ ଖୁଣ୍ଟରେ ୫ଟି ଲାଇଟ୍‍ ଲାଗି ଟ୍ରାଫିକ ନିୟନ୍ତ୍ରଣ ହେଉଥିଲା ସେହି ଖୁଣ୍ଟରେ ଏବେ ମାତ୍ର ଦୁଇଟି ଲାଇଟ୍‍ ଲାଗିଛି । ତାହା ପୁଣି ଅଚଳ ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କମିଶନରେଟ ପୁଲିସ୍‍ ସୌଧ ପାଶ୍ୱର୍ରେ ଥିବା ପାୱାରହାଉସ୍‍ ଛକରେ । ରାଜଭବନ ପଟୁ ଆସୁଥିବା ରାସ୍ତା ଉପରେ ଟ୍ରାଫିକ ଲାଇଟ୍‍ର ଏଭଳି ଅବ୍ୟବସ୍ଥା । କିଛିମାସ ଧରି ଏଠାରୁ ଗୋଟିଏ ପରେ ଗୋଟିଏ ଲାଇଟ୍‍ ଉଭାନ ହୋଇଯାଉଛି । ଏହାକୁ ମରାମତି କରି ହେଉ କିମ୍ବା ନୂଆ ଲଗାଯାଉନଥିବାରୁ ଏହା ଚୋରି ହେଉଥିବା ନେଇ ସନ୍ଦେହ ବଢିବାରେ ଲାଗିଛି ।

ରାଜଧାନୀରେ ଟ୍ରାଫିକ୍‍ ଲାଇଟ୍‍ ଦାୟିତ୍ୱରେ ରହିଛନ୍ତି ଭୁବନେଶ୍ୱର ସ୍ମାର୍ଟ ସିଟି କର୍ତ୍ତୃପକ୍ଷ । ସହରରେ ଇଣ୍ଟଲିଜେଣ୍ଟ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛି ସ୍ମାର୍ଟ ସିଟି । ୨୦୧୮ ମସିହାରୁ ଏହି ବ୍ୟବସ୍ଥାକୁ ବିଭିନ୍ନ ସଂସ୍ଥା ଜରିଆରେ ଚଳାଉଥିଲେ ମଧ୍ୟ ଖାରବେଳ ଭବନ ପଛପଟୁ ଏଭଳି ଲାଇଟ୍‍ ଉଭାନ ଏବେ ଭୁବନେଶ୍ୱର ସ୍ମାର୍ଟ ସିଟିର ଇଣ୍ଟଲିଜେଣ୍ଟ ଟ୍ରାଫିକ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି ।

କେବଳ ଖୁଣ୍ଟରୁ ଲାଇଟ୍‍ ଉଭାନ ହେଉନାହିଁ, ଦୀର୍ଘଦିନ ହେବ କେତେକ ସ୍ଥାନରେ ଲାଇଟ୍‍ଗୁଡିକ ବଦଳାଯାଉନଥିବାରୁ ତାହାର ଆଲୋକ ମଧ୍ୟ ଧିରେ ଧିରେ କମିବାରେ ଲାଗିଛି । ଫଳରେ ବୟସ୍କ ଗାଡିଚାଳକମାନେ କିଛି ଦୂରରୁ ଏହାକୁ ସହଜରେ ଦେଖିପାରୁ ନାହାନ୍ତି । ଏହା କି ପ୍ରକାର ଇଣ୍ଟଲିଜେଣ୍ଟ ଟ୍ରାଫିକ ବୋଲି ଏବେ ଲୋକେ ପ୍ରଶ୍ନ କଲେଣି ।

ସେହିଭଳି ସହରର ବିଭିନ୍ନ ଛକରେ ଭିନ୍ନ ଭିନ୍ନ ଟ୍ରାଫିକ ଲାଇଟ୍‍ ଲଗାଯାଇଛି । କେତେକ ସ୍ଥାନରେ ଟ୍ରାଫିକ ଲାଇଟ୍‍ ସହିତ ସମୟ ଦୃଶ୍ୟମାନ ହେଉଥିବାବେଳେ ଅଧିକାଂଶ ସ୍ଥାନରେ ଏହା ନାହିଁ । ଯେଉଁଠାରେ ସମୟ ଦେଖାଯାଉଛି ସେଠାରେ ଗାଡିଚାଳକମାନେ ସହଜରେ ଯାତାୟତ ସହିତ ଆବଶ୍ୟକସ୍ଥଳେ ଗାଡିର ଷ୍ଟାର୍ଟ ବନ୍ଦ କରୁଛନ୍ତି । ହେଲେ ଯେଉଁସ୍ଥାନରେ ସମୟ ଦେଖିବାର ବ୍ୟବସ୍ଥା ନାହିଁ ସେଠାରେ ଲୋକେ ଦୀର୍ଘସମୟ ଗାଡିକୁ ଷ୍ଟାର୍ଟରେ ରଖି ତେଲ ପୋଡିବା ସହିତ ପରିବେଶକୁ ଦୂଷିତ କରୁଛନ୍ତି ।

ରାଜଧାନୀରେ ଇଣ୍ଟଲିଜେଣ୍ଟ ଟ୍ରାଫିକ ସ୍ଥାପନ ସମୟରେ ଯେଉଁସବୁ କ୍ୟାମେରା ଲାଗିଥିଲା ସେଥିରୁ ଅଧିକାଂଶ ଅଚଳ । ଇଣ୍ଟଲିଜେଣ୍ଟ ବ୍ୟବସ୍ଥାରେ ଗାଡିମୋଟର ନଥିଲେ ଛାଏଁ ଛାଏଁ ନାଲିବତିୀ ଜଳି ଉଠୁଥିଲା । ହେଲେ ତାହା ଆଉ ନାହିଁ । ଖୋଦ୍‍ ରାଜଧାନୀରେ ଏଭଳି ଅବ୍ୟବସ୍ଥିତ ଟ୍ରାଫିକ ପରିଚାଳନା ଆଗକୁ କେବେ ଦେଖାଯାଇନଥିଲା । ସ୍ମାର୍ଟସିଟି କର୍ତ୍ତୃପକ୍ଷ ପ୍ରଥମେ ଅଚଳ ଟ୍ରାଫିକ ଲାଇଟ୍‍ଗୁଡିକୁ ତୁରନ୍ତ ମରାମତି କରୁଥିବାବେଳେ ଏବେ ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଫଳରେ ଲାଇଟ୍‍ ବଦଳରେ ଏବେ ଟ୍ରାଫିକ ପୁଲିସ୍‍ଙ୍କ ଉପରେ ଗାଡି ଚାଳକଙ୍କ ନିର୍ଭରଶୀଳତା ବଢିବାରେ ଲାଗିଛି । (ତଥ୍ୟ)