ଭୁବନେଶ୍ୱର : ନୂଆପଡ଼ା ଉପ ନିର୍ବାଚନ ପାଇଁ ଆସନ୍ତା ୯ ତାରିଖରେ ପ୍ରଚାର ଶେଷ ହେବାକୁ ଯାଉଥିବାବେଳେ ଏବେ ସେଠାରେ ୩ ପ୍ରମୁଖ ରାଜନୈତିକ ଦଳର ଶତାଧିକ ନେତା ଡେରା ପକାଇ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନମତକୁ ଆକୃଷ୍ଟ କରିବାପାଇଁ ଲାଗିପଡ଼ିଛନ୍ତି । ସତେ ଯେମିତି ନୂଆପଡ଼ାରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କ ଛଡ଼ା ସେମାନଙ୍କ ଦଳର ମୁଖିଆମାନଙ୍କ ନେତୃତ୍ୱ ଓ ପତିଆରା ବାଜିରେ ଲାଗିଯାଇଛି ।
ନୂଆପଡ଼ାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତରଚଣ ଦାସ ଡେରା ପକାଇ ରହିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ାରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଜନସମାବେଶ କରିଛନ୍ତି । ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଓ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତ କରି ଏକ ନିର୍ବାଚନ ସଭାରେ ଭାଷଣ ଦେଇଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସର ଶତାଧିକ ବିଧାୟକ ଓ ସାଂସଦ ଏବଂ ବହୁ ପୂର୍ବତନ ମନ୍ତ୍ରୀ, ଦଳୀୟ କର୍ମକର୍ତ୍ତା ନିର୍ବାଚନ ମଣ୍ଡଳୀରେ ଗାଁକୁ ଗାଁ ବୁଲୁଥିବା ଦେଖାଯାଉଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ନୂଆପଡ଼ା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ମଧ୍ୟ ନୂଆପଡ଼ାରେ ଧୂଆଁଧାର ପ୍ରଚାର ଚଳାଇବାକୁ ଆସୁଛନ୍ତି । ଏହି କ୍ରମରେ ଛତିଶଗଡ଼ ସମେତ ଅନ୍ୟ କେତେକ ରାଜ୍ୟର ଦଳୀୟ ନେତାମାନେ ମଧ୍ୟ ନୂଆପଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି ।
ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମହିଳା ଭୋଟରଙ୍କ ସଂଖୃା ୫୦ ପ୍ରତିଶତରୁଅଧିକ ହୋଇଥିବା ପରିପ୍ରେକ୍ଷୀରେ ସବୁ ଦଳଙ୍କ ନଜର ମହିଳା ଓ ଆଦିବାସୀମାନଙ୍କ ଭୋଟ ଉପରେ । ଏଥିଲାଗି ବିଭିନ୍ନ ଦଳର ବହୁ ନେତ୍ରୀ ଏବଂ ଆଦିବାସୀ ବର୍ଗର ନେତାମାନେ ନୂଆପଡ଼ା ଛୁଟୁଛନ୍ତି ।
ଆସନ୍ତା ୧୧ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ପ୍ରଚାର ମାହୋଲ ସରଗରମ ହୋଇଛି । ନବୀନ ପଟ୍ଟନାୟକ ମଧ୍ୟ ଆଉଥରେ ନୂଆପଡ଼ା ଆସିବା ସମ୍ଭାବନା ଅଛି । ବିଶେଷକରି କଳାହାଣ୍ଡି ଓ ପାଟଣା ରାଜପରିବାରର ଯେଉଁମାନେ ବିଭିନ୍ନ ରାଜନୈତିକ ଦଳ ସହ ଯୋଡ଼ି ହୋଇରହିଛନ୍ତି ସେମାନେ ଏଠାରେ ଧୂଆଁଧାର ପ୍ରଚାର କରୁଛନ୍ତି । ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ବାହାରର ନେତାମାନେ ଏଠାରେ ସୃଷ୍ଟି କରୁଥିବା ଉଷ୍ମ ବାତାବରଣ ଯୋଗୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଏକ ବଡ଼ ଆହ୍ୱାନ ହୋଇଛି ।
ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିବାବେଳେ ନିର୍ବାଚନ ମଣ୍ଡଳୀ ବାହାରର ଅନ୍ୟ ଯେଉଁମାନେ ଏଠାରେ ଡେରା ପକାଇଛନ୍ତି ସେମାନଙ୍କୁ ତଡ଼ିବା ଲାଗି ଦଳମତ ନିର୍ବିଶେଷରେ ଦାବି ଉଠୁଛି । ତେବେ ସରକାରୀ ଅଧିକାରୀମାନେ କହୁଛନ୍ତି ଯେ ସମସ୍ତଙ୍କ ଉପରେ ସୁରକ୍ଷା ବଳ ସତର୍କ ନଜର ରଖିଛନ୍ତି ଏବଂ ଆସନ୍ତା ୯ ତାରିଖ ସନ୍ଧ୍ୟା ପୂର୍ବରୁ ନିର୍ବାଚନ ମଣ୍ଡଳୀର ଭୋଟର ନଥିବା ନେତାମାନେ ଏଠାରୁ ବିଦା ହେବେ । ନିର୍ବାଚତ ତାରିଖ ପାଖେଇ ଆସୁଥିବାରୁ ଏବେ ଚିରାଚରିତ ଭାବେ ଟଙ୍କା, ନିଶା ଓ ଅନ୍ୟ ଉପଢ଼ୌକନ ବଣ୍ଟନ କାମ ମଧ୍ୟ ଆରମ୍ଭ ହୋଇଯାଇଥିବା ଘେନି ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି ।(ତଥ୍ୟ)
            
