ଭୁବନେଶ୍ୱର : ସରକାରୀ ଚାକିରି କରିଥିବା ସଂଖ୍ୟାଧିକ ଲୋକଙ୍କ ପାଇଁ ଉପୁରି ରୋଜଗାର ଏକ ଖରାପ ପ୍ରଥାରେ ପଡିଥିବାବେଳେ ଲାଞ୍ଚ ତୁଳନାରେ ରୁଜୁ ହେଉଥିବା ଦୁର୍ନୀତି ମାମଲା ସଂଖ୍ୟା ନଗଣ୍ୟ । ଯେତିକି ବି ଦୁର୍ନୀତି ନିବାରଣ ମାମଲା ରୁଜୁ ହେଉଛି ସେଥିରୁ ଅଧାରୁ ଅଧିକ ବର୍ଷ ବର୍ଷ ଧରି ଗଡୁଥିବାବେଳେ ଫଏସଲା ମାମଲାଗୁଡିକରୁ ଅଧିକାଂଶରେ ଅଭିଯୁକ୍ତମାନେ ଦୋଷମୁକ୍ତ ହେଉଛନ୍ତି । ଏହା ଶାସନକଳକୁ ସ୍ୱଚ୍ଛ ଓ ନିରପେକ୍ଷ କରିବାରେ ପ୍ରମୁଖ ଅନ୍ତରାୟ ସୃଷ୍ଟି କରୁଛି ବୋଲି ଅଭିଯୋଗ ହେଉଛି ।
ସରକାରୀ ତଥ୍ୟ ମୁତାବକ ଏବେ ରାଜ୍ୟରେ ପ୍ରାୟ ୩୭୦୦ ଭିଜିଲାନ୍ସ ମାମଲା ବିଚାରାଧିନ ରହିଛି । ୨୦୧୪ରୁ ଏଯାବତ୍ ପ୍ରାୟ ୨୪୦୦ ମାମଲା ଫଏସଲା ହୋଇଥିବାବେଳେ ଏଥିରେ ହଜାରେରୁ କମ୍ ଘଟଣାରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ କରାଯାଇଛି । ଯେତିକି ଭିଜିଲାନ୍ସ ମାମଲାରେ ଦଣ୍ଡବିଧାନ ହେଉଛି ସେଥିରୁ ଅଧିକାଂଶରେ ଦୋଷୀସାବ୍ୟସ୍ତ ବ୍ୟକ୍ତିମାନେ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ଟାଣୁଥିବାରୁ ବସ୍ତୁତଃ ସେମାନଙ୍କ ପ୍ରତି ଦଣ୍ଡବିଧାନ ବିଳମ୍ବିତ ହେଉଛି ।
ତଥ୍ୟ ମୁତାବକ ୨୦୧୪ ବର୍ଷରେ ମାତ୍ର ୮୯ଟି ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବାବେଳେ ଶହେଟି ମାମଲାରେ ସେମାନେ ଖଲାସ ହୋଇଯାଇଥିଲେ । ୨୦୧୭ ବର୍ଷରେ ୧୩୬ଟି ଭିଜିଲାନ୍ସ ମାମଲାରେ ଅଭିଯୁକ୍ତ ଖସିଥିବାବେଳେ ୧୧୯ଟିରେ ଦଣ୍ଡବିଧାନ ହୋଇଥିଲା । ୨୦୨୧ ବର୍ଷରେ ୫୦ଟି ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିବାବେଳେ ଆଉ ୩୮ଟିରେ ଦଣ୍ଡିତ କରାଯାଇଥିଲା । ୨୦୨୩ ବର୍ଷରେ ୧୨୪ଟି ମାମଲାରେ ଦଣ୍ଡବିଧାନ କରାଯାଇଥିବାବେଳେ ୧୨୬ଟିରେ ଅଭିଯୁକ୍ତ ଖସିଯାଇଥିଲେ । ଗତବର୍ଷ ୧୩୩ଟି ଦୁର୍ନୀତି ନିବାରଣ ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିବାବେଳେ ୧୦୫ଟିରେ ଦଣ୍ଡବିଧାନ ହୋଇଥିଲା । ଚଳିତବର୍ଷର ପ୍ରଥମ ଦୁଇମାସରେ ବି କମ୍ ସଂଖ୍ୟକ ମାମଲାରେ ଦଣ୍ଡବିଧାନ କରାଯାଇଛି । ଏହି ଦୁଇମାସରେ ୨୩ଟି ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିବାବେଳେ ୨୧ଟିରେ ଦଣ୍ଡିତ ହୋଇଛନ୍ତି ।
ଭିଜିଲାନ୍ସ ମାମଲା ପରିଚାଳନା ସହ ଦୀର୍ଘବର୍ଷ ଧରି ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ ବିଳମ୍ବିତ ବିଚାର ଯୋଗୁଁ କେତେକ କ୍ଷେତ୍ରରେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଯାଉଥିବାରୁ ଏହି ମାମଲା ବନ୍ଦହୋଇ ଯାଉଛି । ସଂଖ୍ୟାଧିକ କ୍ଷେତ୍ରରେ ଦୁର୍ବଳ ଅଭିଯୋଗଫର୍ଦ୍ଦ ସହିତ ତଦନ୍ତରେ ତ୍ରୁଟି ଏବଂ ସରକାରଙ୍କ ପକ୍ଷରୁ ଅଦାଲତରେ ଠିକଣା ସମୟରେ ସାକ୍ଷ୍ୟ ପ୍ରମାଣ ଦାଖଲ କରାଯାଇ ପାରୁନଥିବାରୁ ମାମଲା ଗଡୁଛି ।
ବିଳମ୍ବିତ ବିଚାର ପ୍ରକ୍ରିୟା ଯୋଗୁଁ ବହୁ ମାମଲାରେ ସାକ୍ଷୀମାନେ ମରି ସାରିଲେଣି । ଆଉ କେତେକ ମାମଲାରେ ବୟସାଧିକ କାରଣରୁ ସାକ୍ଷୀ ୮୦/୯୦ ବର୍ଷ ଟପି ବିଭିନ୍ନ ରୋଗବ୍ୟାଧିରେ ପଡୁଥିବା ଏମିତିକି ଚଳନକ୍ଷମ ଅବସ୍ଥାରେ ନଥିବାରୁ ସେମାନଙ୍କ ସାକ୍ଷ୍ୟପ୍ରମାଣ ଅଭାବରେ ମାମଲା ଫଏସଲା ବିଳମ୍ବିତ ହେଉଛି ।
ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଯେଉଁମାନଙ୍କୁ ଧରୁଛି ସେମାନଙ୍କ ବିରୁଦ୍ଧରେ ସଠିକ୍ ତଦନ୍ତ ସହିତ ତଥ୍ୟ ପ୍ରମାଣ ଭିତ୍ତିରେ ଦୁଇ ତିନିମାସ ମଧ୍ୟରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇପାରିଲେ ଏବାଂ ଅଗ୍ରାଧିକାର ଭିତ୍ତିରେ ଏହି ମାମଲାଗୁଡିକର ବର୍ଷେ ସମୟସୀମା ଭିତରେ ଯଦି ବିଚାର ହୋଇପାରନ୍ତା ତେବେ କଳାସମ୍ପତ୍ତି ଠୁଳ ସହିତ ଲାଞ୍ଚ କାରବାର କରିବାକୁ ଅସାଧୁ ଅଧିକାରୀଙ୍କର ଭୟ ରୁହନ୍ତା । ଭିଜିଲାନ୍ସ ମାମଲା ବର୍ଷ ବର୍ଷ ଧରି ଗଡିବା ପରିପ୍ରେକ୍ଷୀରେ ନିଲମ୍ବିତ ହୋଇଥିବା ଅନେକ କର୍ମଚାରୀ ପୁଣି ଚାକିରିକୁ ଫେରୁଛନ୍ତି ଏବଂ ମାମଲା ଫଏସଲା ହେଉନଥିବାରୁ ସେମାନଙ୍କ ବିରୁଦ୍ଧରେ ଆରମ୍ଭ ହେଉଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଳମ୍ବିତ ହେବା ନଜିର ଦେଖାଇ ସେମାନେ ପେନ୍ସନ ଗ୍ରାଚ୍ୟୁଟି ଆଦି ମଧ୍ୟ ପାଇବାରେ ସକ୍ଷମ ହେଉଛନ୍ତି । (ତଥ୍ୟ)