ଭୁବନେଶ୍ୱର : ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକରେ ଅଢେଇ ଲକ୍ଷରୁ ଅଧିକ ସ୍ୱେଚ୍ଛାସେବୀ ଅଛନ୍ତି । କରୋନା ସମୟରେ ଏହି ସ୍ୱେଚ୍ଛାସେବୀମାନଙ୍କୁ ଠିକଣା ଭାବେ ବ୍ୟବହାର କରାଯାଇଥିଲେ ସରକାରୀକଳ ଉପରୁ ଚାପ ଢେର କମିଥାନ୍ତା ଏବଂ ବିଶୃଙ୍ଖଳିତ ପରିସ୍ଥିତି ବି ଅନେକାଂଶରେ ନିୟନ୍ତ୍ରିତ ହୋଇପାରିଥାନ୍ତା ।
ହାଇସ୍କୁଲରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ୫୫ହଜାରରୁ ଅଧିକ ସ୍ୱେଚ୍ଛାସେବକ ଅଛନ୍ତି । ଏମାନଙ୍କ ମଧ୍ୟରୁ ସିନିୟର ଡିଭିଜନରେ ପାଖପାଖି ୮ହଜାର ସମରଶିକ୍ଷାର୍ଥୀ ଥିବାବେଳେ ସ୍କୁଲଗୁଡିକରେ ଜୁନିୟର ଡିଭିଜନରେ ୩୦ହଜାରରୁ ଅଧିକ କ୍ୟାଡେଟ ଅଛନ୍ତି । ଏମାନଙ୍କ ଛଡା ବାଳିକା ବିଭାଗରେ ବି ୧୧ହଜାରରୁ ଅଧିକ ଏନ୍ସିସି କ୍ୟାଡେଟ ଓଡିଶାରେ ରହିଛନ୍ତି ।
ଏନ୍ସିସି ସଂସ୍ଥା ଚଳାଇବାପାଇଁ ରାଜ୍ୟ ସ୍ତରର କମୋଡର ପାହ୍ୟାର ଜଣେ ଡେପୁଟି ଡାଇରେକ୍ଟର ଜେନେରାଲ ଥିବାବେଳେ ତାଙ୍କ ଅଧିନରେ ଚାରିଜଣ ଅତିରିକ୍ତ ନିର୍ଦ୍ଦେଶକ ବି କାର୍ଯ୍ୟରତ । ଏହାଛଡା ଏମାନଙ୍କ ଦପ୍ତର ଲାଗି ବହୁ ସଂଖ୍ୟକ କର୍ମଚାରୀ ଅଛନ୍ତି । ସ୍କୁଲ କଲେଜମାନଙ୍କରେ ବି ଏନ୍ସିସିର ପଦାତିକ ବାହିନୀ, ନୌବାହିନୀ ଓ ଆକାଶ ବାହିନୀ ଲାଗି ସ୍ୱତନ୍ତ୍ର ଏନସିସି ଅଧିକାରୀ ବି ରହିଛନ୍ତି ।
ସେହିଭଳି ଓଡିଶା ପାଇଁ ଜାତୀୟ ସେବା ଯୋଜନା (ଏନଏସ୍ଏସ୍) ରେ ଏକ ଲକ୍ଷ ୧୫ହଜାର ସ୍ୱେଚ୍ଛାସେବୀ ଯୁକ୍ତ ଦୁଇ, ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଅଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୫୦ହଜାର ହେଉଛନ୍ତି ଛାତ୍ରୀ ସ୍ୱେଚ୍ଛାସେବୀ । ଏନ୍ଏସ୍ଏସ୍ ସଂସ୍ଥା ପରିଚାଳନା ପାଇଁ ଜାତୀୟ ସ୍ତରରୁ ଆରମ୍ଭ କରି ରାଜ୍ୟ, ଆଞ୍ଚଳିକ, ବିଶ୍ୱବିଦ୍ୟାଳୟ ଓ ଯୁକ୍ତଦୁଇ ପରିଷଦ ସ୍ତର ପର୍ଯ୍ୟନ୍ତ ତାଲିମପ୍ରାପ୍ତ ଅଧିକାରୀମାନେ ରହିଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରିବାଲାଗି ମଧ୍ୟ ଅନେକ କର୍ମଚାରୀ ଅଛନ୍ତି । ଶିକ୍ଷାନୁଷ୍ଠାନଗୁଡିକରେ ବି ବାଳକ ଓ ବାଳିକା ବିଭାଗ ଲାଗି ସ୍ୱତନ୍ତ୍ର ଏନଏସଏସ ଅଫିସରମାନେ କାର୍ଯ୍ୟ କରୁଛନ୍ତି ।
ଏମାନଙ୍କ ବ୍ୟତିତ ଜୁନିୟର ରେଡକ୍ରସ, ୟୁଥ୍ ରେଡକ୍ରସ, ସ୍କାଉଟ୍, ଗାଇଡ୍, ରୋଭସ, ରେଞ୍ଜର୍ସ ଆଦି ସଂସ୍ଥା ବି ଶିକ୍ଷାନୁଷ୍ଠାନଗୁଡିକରେ ଅଛି । ଏଥିରେ ଲକ୍ଷାଧିକ ସ୍ୱେଚ୍ଛାସେବୀ ମଧ୍ୟ ରହିଥାନ୍ତି । ଅଭିଜ୍ଞ ଏନଏସଏସ, ଏନସିସି, ରେଡକ୍ରସ ଓ ଭାରତ ସ୍କାଉଟ୍ର ପଦାଧିକାରୀମାନେ କହୁଛନ୍ତି ଯେ କରୋନା ମହାମାରୀ ସମୟରେ ସଂଗଠିତ ଭାବେ ଏହି ବିଶାଳ ସ୍ୱେଚ୍ଛାସେବୀ ବାହିନୀକୁ ଉପଯୋଗ କରାଯାଇ ପାରିଥିଲେ ପିଲାମାନେ ପ୍ରତିକୂଳ ପରିସ୍ଥିତିରେ ତାଲିମ ନେଇପାରିଥାନ୍ତେ ଏବଂ ଟିକାକରଣ ଠାରୁ ଆରମ୍ଭକରି ଜନସଚେତନତା ଆଦି ବିଭିନ୍ନ ପର୍ଯ୍ୟାୟରେ ମଧ୍ୟ ସୋମନେ ସହାୟକ ହୋଇପାରିଥାନ୍ତେ । ଅବଶ୍ୟ କେତେକ ସ୍ଥାନରେ ଏହି ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷକମାନଙ୍କ ତତ୍ୱାବଧାନରେ ମାସ୍କ, ଖାଦ୍ୟ ବଣ୍ଟନ ଭଳି କିଛି କାମ ବିକ୍ଷିପ୍ତଭାବେ କରିଛନ୍ତି ।
ତେବେ କରୋନା ଯୋଗୁଁ ଏହି ସ୍ୱେଚ୍ଛାସେବୀ ବାହିନୀଗୁଡିକରେ ନୂଆ କ୍ୟାଡେଟ ବା ସ୍ୱେଚ୍ଛାସେବକ ଯୋଗଦେବା କ୍ଷେତ୍ରରେ ସମସ୍ୟା ଉପୁଜିଛି ଏବଂ ପୁରୁଣା ସ୍ୱେଚ୍ଛାସେବକମାନଙ୍କୁ ଭାରପ୍ରାପ୍ତ ଅଧିକାରୀମାନେ ଭର୍ଚୁଆଲ ମୋଡ୍ରେ ଯୋଗାଯୋଗରେ ରଖିଛନ୍ତି । (ତଥ୍ୟ)