Home Agriculture ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡ. ସୌମ୍ୟା ସ୍ୱାମୀନାଥନ

ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡ. ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ପ୍ରମୁଖ ବୈଜ୍ଞାନିକ ତଥା ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ (ଏମ୍‌ଏସ୍‌ଏସ୍‌ଆର୍‌ଏଫ୍‌)ର ଅଧ୍ୟକ୍ଷା ଡ. ସୌମ୍ୟା ସ୍ୱାମୀନାଥନ ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା କରିଛନ୍ତି । ଚେନ୍ନାଇଠାରେ ଅଗଷ୍ଟ ୭ ଓ ୮ ତାରିଖରେ ହେବାକୁ ଥିବା କ୍ଷୁଧାମୁକ୍ତ ବିଶ୍ୱ ଉପରେ ଆଧାରିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଡ. ସ୍ୱାମୀନାଥନ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଆମନ୍ତ୍ରଣ କରିଥିଲେ ।

ଏହି ଆଲୋଚନାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପାରମ୍ପରିକ କୃଷି ଓ ଜୈବିକ କୃଷି ପ୍ରଣାଳିରେ ଧାନ, ମୁଗ, ବିରି, ମାଣ୍ଡିଆ ଏବଂ ଅନ୍ୟାନ୍ୟ ଶସ୍ୟଜାତୀୟ କୃଷି ଉପରେ ଗୁରୁତ୍ୱାରୋପ କରିଥିଲେ । ସରକାର ଖୁବ୍‌ଶୀଘ୍ର ଏନେଇ ଯୋଜନା କରୁଛନ୍ତି ଏବଂ ଏହା ଦ୍ୱାରା ସମୟକ୍ରମେ ବିଲୁପ୍ତ ହୋଇଯାଉଥିବା ପାରମ୍ପାରିକ ବିହନଗୁଡ଼ିକର ସଂରକ୍ଷଣ ହୋଇପାରିବ । ସ୍ୱଦେଶୀ ବିହନରୁ ଉତ୍ପାଦିତ ହୋଇଥିବା ଧାନ, ଗହମ, ମାଣ୍ଡିଆ, ଡାଲିଜାତୀୟ ଶସ୍ୟର ବଜାରୀକରଣ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରୟ ଶାଖା ଖୋଲିବା ପାଇଁ ଶ୍ରୀ ସିଂହଦେଓ ପରାମର୍ଶ ଦେଇଥିଲେ । ଲୋକମାନେ ଏହିସବୁ ଶସ୍ୟକୁ ବ୍ୟବହାର କଲେ ହିଁ ଏହାର ଗୁଣବତ୍ତା ଓ ପୌଷ୍ଟିକତା ବାବଦରେ ଅବଗତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ଉଲ୍ଲେଖ କରିଥିଲେ ।

ଆଲୋଚନାବେଳେ କୋରାପୁଟର ଜୟପୁରଠାରେ ଅବସ୍ଥିତ ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ (ଏମ୍‌ଏସ୍‌ଏସ୍‌ଆର୍‌ଏଫ୍‌)କୁ ଅନ୍ତର୍ଜାତୀୟ କୃଷକ ପ୍ରଶିକ୍ଷଣ କେନ୍ଦ୍ରରେ ପରିଣତ କରିବାକୁ ଡ. ସ୍ୱାମୀନାଥନ୍‌ ପ୍ରସ୍ତାବ ଦେଇଥିଲେ । ଏବେ ସରକାର କେବଳ ଫସଲର ଉତ୍ପାଦନ କ୍ଷମତା ଉପରେ ଧ୍ୟାନ କେନ୍ଦି୍ରତ ନକରି ଏହାର ପୁଷ୍ଟିକର ତତ୍ତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଏହା ଫଳରେ ମାଟିର ଗୁଣବତ୍ତା, ସ୍ୱାସ୍ଥ୍ୟ ଓ ପରିବେଶ ମଧ୍ୟରେ ସମନ୍ୱୟ ରକ୍ଷା ହୋଇପାରିବ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଥିଲେ । ଜୈବିକ ଓ ପାରମ୍ପାରିକ ପ୍ରଣାଳୀରେ ପୁଷ୍ଟିକର ଶସ୍ୟ ଉତ୍ପାଦନ କରୁଥିବା କୃଷକମାନଙ୍କୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ଡ. ସ୍ୱାମୀନାଥନ ବର୍ତ୍ତମାନ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଜାତୀୟ ଟିବି ନିରାକରଣ ଯୋଜନାର ପ୍ରମୁଖ ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି ।