Home Election ଉପନିର୍ବାଚନ ସମ୍ଭାବନା କ୍ଷୀଣ

ଉପନିର୍ବାଚନ ସମ୍ଭାବନା କ୍ଷୀଣ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ସହ ଓଡିଶା ବିଧାନସଭା ନିର୍ବାଚନ ସମୟ ପାଖେଇ ଆସୁଥିବା ଦୃଷ୍ଟିରୁ ଦିଗପହଣ୍ଡି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇନପାରେ ।

ଏଠାରେ ଉଲ୍ଲେଖନୀୟ ଯେ ଦିଗପହଣ୍ଡିର ବିଧାୟକ ଥିବା ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ହେବାପରେ ଏହି ଆସନଟି ଖାଲି ହୋଇଛି । ରବିବାର ଛୁଟିଦିନ ଥିବାରୁ ହୁଏତ ସୋମବାରରେ ବିଧାନସଭା ସଚିବାଳୟ ପକ୍ଷରୁ ଦିଗପହଣ୍ଡି ଆସନ ଖାଲିହେବା ସଂକ୍ରାନ୍ତୀୟ ସୂଚନା ନିର୍ବାଚନ କମିଶନଙ୍କୁ ଦିଅଯାଇପାରେ ।

୨୦୧୯ରେ ଲୋକସଭା ସହ ଓଡିଶା ବିଧାନସଭାପାଇଁ ନିର୍ବାଚନ ହୋଇଥିଲା ଏବଂ ମଇ ମାସରେ ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ପଞ୍ଚମ ପାଳି ଆରମ୍ଭ କରିଥିବାବେଳେ ସେହି ମାସରେ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଦ୍ୱିତୀୟ ପାଳି ସରକାରର ଦାୟିତ୍ୱ ନେଇଥିଲେ ।

ଯଦି ଠିକଣା ସମୟରେ ନିର୍ବାଚନ ହୁଏ ତେବେ ଆସନ୍ତା ଜାନୁୟାରୀ ମାସରୁ କଟକଣା ଲାଗୁ ହୋଇପାରେ । ତେବେ ଦେଶର ଆଉ ୫ଟି ରାଜ୍ୟର ବିଧାନସଭା ପାଇଁ ଡିସେମ୍ବର ସୁଦ୍ଧା ନିର୍ବାଚନ ହେବାକୁ ଥିବାରୁ ଏହା ସହିତ ଲୋକସଭା ଲାଗି ସାଧାରଣ ନିର୍ବାଚନ ସମ୍ଭାବନାକୁ ବି ଏଡାଇ ଦେଇହେବ ନାହିଁ । ଅନ୍ୟ ପକ୍ଷରେ ଯେକୌଣସି ସମୟରେ ନିର୍ବାଚନକୁ ସାମ୍ନା କରିବାକୁ ଓଡିଶାରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତ ବୋଲି ଏହି ଦଳର ନେତାମାନେ ଗଣମାଧ୍ୟମକୁ କହି ଚାଲିଛନ୍ତି ।

ସାଧାରଣତଃ କୌଣସି ବିଧାନସଭା କିମ୍ବା ଲୋକସଭା ଆସନ ନେତାଙ୍କ ମୃତ୍ୟୁ, ଇସ୍ତଫା, ବରଖାସ୍ତ ଆଦି କାରଣରୁ ଖାଲି ହେଲେ ଛଅମାସ ମଧ୍ୟରେ ନିର୍ବାଚନ କମିଶନ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ କରାଇଥାନ୍ତି । ୨୦୧୯ରୁ ଏଯାବତ୍‍ ଓଡିଶାରେ ୯ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଛି । ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଙ୍ଗେ ତାଙ୍କ ପାରମ୍ପରିକ କ୍ଷେତ୍ର ହିଞ୍ଜିଳି ସହିତ ବରଗଡ ଜିଲ୍ଲାର ବିଜେପୁର ଆସନରୁ ବିଧାନସଭାକୁ ଜିଣିଥିଲେ । ସେ ହିଞ୍ଜିଳି ଆସନଟିକୁ ରଖି ବିଜେପୁରରୁ ଇସ୍ତଫା ଦେବାରୁ ସେଠାରେ ଉପନିର୍ବାଚନ ହୋଇଥିଲା ।

ସେହିଭଳି ପାଟକୁରା ବିଧାନସଭା କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ଥିବା ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହେବାରୁ ସେଠାରେ ନିର୍ବାଚନ ସ୍ଥଗିତ ରହିଥିଲା ଏବଂ ପରବର୍ତ୍ତୀ ସମୟରେ ଏଠାରେ ଉପନିର୍ବାଚନ ହୋଇଥିଲା । ଏହାଛଡା ବାଲେଶ୍ୱର, ତିର୍ତ୍ତୋଲ, ପିପିଲି, ଧାମନଗର, ବ୍ରଜରାଜନଗର, ଝାରସୁଗୁଡା ଓ ପଦ୍ମପୁରର ବିଧାୟକମାନଙ୍କ ମୃତ୍ୟୁ ଘଟିବାରୁ ସେସବୁ ସ୍ଥାନରେ ମଧ୍ୟ ଉପନିର୍ବାଚନ ହୋଇଥିଲା । ଏହି ନଅଟି ଉପନିର୍ବାଚନରେ ବିଜେଡି ୮ଟି ଆସନରୁ ଜିଣିଥିବାବେଳେ ବିଜେପି ଗୋଟିଏରୁ ଜିଣିଥିଲା ଏବଂ କଂଗ୍ରେସ ଏଥି ମଧ୍ୟରୁ କୌଣସି ଆସନ ନିଜ ଅକ୍ତିଆରକୁ ନେଇପାରି ନଥିଲା ।

ଶନିବାର ସଂଧ୍ୟାରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହେବା ପରଠାରୁ ରାଜନୈତିକ ମହଲରେ ତାଙ୍କ ବିଧାନସଭା କ୍ଷେତ୍ର ଦିଗପହଣ୍ଡିରେ କେବେ ଉପନିର୍ବାଚନ ହେବ ଓ ଏଥିଲାଗି କିଏ କେଉଁ ଦଳର ପ୍ରାର୍ଥୀ ହେବେ ସେଥିଘେନି ଜୋରଦାର ଚର୍ଚ୍ଚା ଚାଲିଛି । ତେବେ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ସାରା ଦେଶରେ ଜୋରଦାର ପ୍ରସ୍ତୁତି ଚଳାଉଥିବା ଦୃଷ୍ଟିରୁ ଦିଗପହଣ୍ଡି ଲାଗି ଉପନିର୍ବାଚନ ସମ୍ଭାବନା କ୍ଷୀଣ ଥିଲେ ବି ଏ ସଂକ୍ରାନ୍ତୀୟ ଚୂଡାନ୍ତ ନିଷ୍ପତ୍ତି ନିର୍ବାଚନ କମିଶନଙ୍କ ଉପରେ ନିର୍ଭର କରୁଛି । ଯଦି ଦିଗପହଣ୍ଡି ଆସନ ପାଇଁ ଉପନିର୍ବାଚନ ହୁଏ ତେବେ ସେଠାରୁ ଯିଏ ବିଜୟୀ ହେବେ ତାଙ୍କ କାର୍ଯ୍ୟକାଳ ଅତି ବେଶିରେ ଦୁଇ ତିନିମାସ ରହିବ ଏବଂ ଏତେ କମ୍‍ ସମୟ ମଧ୍ୟରେ ଗୋଟିଏ ପଦ ପାଇଁ ଦୁଇ ଦୁଇ ଥର ନିର୍ବାଚନ ହୋଇନପାରେ ବୋଲି ଚର୍ଚ୍ଚା ଚାଲିଛି । (ତଥ୍ୟ)