ଭୁବନେଶ୍ୱର : ୨୦୧୯ ରୁ ଏଯାବତ୍ ଚଳିତ ବିଧାନସଭାର କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ସମସ୍ତ ଉପନିର୍ବାଚନ ବିଜେଡି ଜିଣିଥିବା ପରିପ୍ରେକ୍ଷୀରେ ଧାମନଗର ଓ ପଦ୍ମପୁର ଆସନ ଲାଗି ହେବାକୁ ଥିବା ଉପନିର୍ବାଚନରେ ତାହାର ପୂର୍ବ ରେକର୍ଡ ଅକ୍ଷୁର୍ଣ୍ଣ ରଖିବାପାଇଁ ଉଦ୍ୟମ କରୁଥିବାବେଳେ ବିଜେପି ଗୋଟିଏ ଆସନ ହରାଇଥିବାରୁ ଅନ୍ୟଗୋଟିଏ ଆସନ ଏବେ କୌଣସି ପ୍ରକାରେ ଦଖଲ କରିବାକୁ ଭରପୂର ପ୍ରୟାସ କରୁଛି । ଅନ୍ୟ ପକ୍ଷରେ କଂଗ୍ରେସ ବିଧାନସଭାର ତୃତୀୟ ସ୍ଥାନକୁ ଖସି ବିରୋଧିଦଳ ନେତା ପଦବୀ ହରାଇଥିବା ପରିପ୍ରେକ୍ଷୀରେ ୨୦୨୪ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ତାହାର ସ୍ଥିତି ସୁଦୃଢ ଲାଗି ଧାମନଗର ଉପନିର୍ବାଚନକୁ ଆହ୍ୱାନ ଭାବେ ନେଇଛି ।
୨୦୧୯ ର ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଙ୍ଗେ ତାଙ୍କ ଗଡ ଗଞ୍ଜାମର ହିଞ୍ଜିଳି ସହିତ ବରଗଡ ଜିଲ୍ଲାର ବିଜେପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢି ଜିଣିଥିଲେ । ନବୀନ ପଟ୍ଟନାୟକ ହିଞ୍ଜିଳି ଆସନଟି ରଖି ବିଜେପୁର ଇସ୍ତଫା ଦେବାପରେ ସେଠାରେ ହୋଇଥିବା ଉପନିର୍ବାଚନରେ ପୁଣି ତାଙ୍କ ମନୋନିତ ପ୍ରାର୍ଥୀ ରୀତା ସାହୁ ବିଜେପି ଓ କଂଗ୍ରେସକୁ ବହୁ ଭୋଟ ବ୍ୟବଧାନରେ ହରାଇ ବିଜେଡିର ବିଜୟ ବୈଜୟନ୍ତ ଉଡାଇଥିଲେ ।
ପରବର୍ତ୍ତୀ ସମୟରେ ବିଜେଡିର ତିନି ଜଣ ବିଧାୟକ ପିପିଲିରୁ ପ୍ରଦୀପ ମହାରଥୀ, ତିର୍ତ୍ତୋଲରୁ ବିଷ୍ଣୁ ଦାସ ଓ ବ୍ରଜରାଜନଗରରୁ କିଶୋର ମହାନ୍ତିଙ୍କ ମୃତ୍ୟୁ ହେବାରୁ ଏହି ତିନିଟି ଆସନ ଲାଗି ହୋଇଥିବା ଉପନିର୍ବାଚନରେ ବିଜେଡି ତାହାର ଗଡ ରକ୍ଷା କରିବା ସହିତ ଭୋଟ ବ୍ୟବଧାନ ମଧ୍ୟ ବଢାଇଥିଲା । ଏହାଛଡା ୨୦୧୯ରେ ବିଜେପି ପ୍ରାର୍ଥୀ ଭାବେ ବାଲେଶ୍ୱର ବିଧାନସଭା ଆନରୁ ଜିଣିଥିବା ମଦମୋହନ ଦତ୍ତଙ୍କର ଅକାଳ ବିୟୋଗ ହେବାରୁ ସେଠାରେ ଯେଉଁ ଉପନିର୍ବାଚନ ହେଲା ସେଥିରେ ବିଜେପିକୁ ପରାସ୍ତ କରି ବିଜେଡି ବାଜିମାତ୍ କରିଥିଲା ।
ଏଠାରେ ଉଲ୍ଲେଖନୀୟ ଯେ ପିପିଲିରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ଓ ତିର୍ତ୍ତୋଲରେ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଓ ବ୍ରଜରାଜନଗରରେ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡିର ପ୍ରାର୍ଥୀ ହୋଇ ଅନୁକମ୍ପା ଭୋଟ ସହିତ ଦଳୀୟ ଭୋଟ ହାତେଇ ବେଶ୍ ଭଲ ଭୋଟ ବ୍ୟବଧାନରେ ଜିଣିଥିଲେ । ତେବେ ବାଲେଶ୍ୱରରେ ବିଜେପି ତାହାର ଦିବଙ୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ରଙ୍କୁ ପ୍ରାର୍ଥୀ କରିଥବଲେ ମଧ୍ୟ ଅନୁକମ୍ପା ଭୋଟ ହାତେଇବାରେ ସଫଳ ହୋଇନଥିଲା ।
ଏବେ ଧାମନଗର ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ୧୯୯୦ ରେ ଏଠାରୁ ଜନତାଦଳ ପ୍ରାର୍ଥୀ ଭାବେ ଜିଣିଥିବା ହୃଦାନନ୍ଦ ମଲ୍ଲିକ ନିର୍ବାଚନ ଫଳ ପ୍ରକାଶ ରାତିରେ ମୃତ୍ୟୁବରଣ କରିବାରୁ ତାଙ୍କ ପୁଅ ମାନସ ମଲ୍ଲିକଙ୍କୁ ଜନତାଦଳ ପ୍ରାର୍ଥୀ କରିଥିଲା ଏବଂ ସେତେବେଳେ ମାନସ ତାଙ୍କ ପିତାଙ୍କ ଆସନରୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଧାମନଗର ବିଧାନସଭା ଆସନଟି ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଛି ଏବଂ ଏଠାରୁ ୨୦୧୯ରେ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ ପାଖାପାଖି ସାଢେ ଚାରି ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ନିର୍ବାଚନ ଜିଣି ବିଧାନସଭାରେ ଦଳର ଉପନେତା ହୋଇଥିଲେ ।
ଏବେ ତାଙ୍କ ବିୟୋଗରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ବିଜେପି ସ୍ୱର୍ଗତ ବିଧାୟକଙ୍କ ପୁଅଙ୍କୁ ପ୍ରାର୍ଥୀ କରି ଉଭୟ ଦଳୀୟ ଓ ଅନୁକମ୍ପା ଭୋଟ ନେଇ ଜିଣିବାର ଆଶା ରଖିଥିବାବେଳେ ବିଜେଡି ବାଲେଶ୍ୱର ଭଳି ଧାମନଗର ଦଖଲ କରିବାକୁ ଆଶା ରଖିଛି । ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଇତି ମଧ୍ୟରେ ମୃତ୍ୟୁ ଘଟିଥିବାରୁ ସେଠାରେ ବି ଯେକୌଣସି ସମୟରେ ଉପନିର୍ବାଚନ ହୋଇପାରେ ଏବଂ ଏହା ବି ତିନି ପ୍ରମୁଖ ରାଜନୈତିକ ଦଳଙ୍କ ପାଇଁ ବହ ଆହ୍ୱାନ ଭାବେ ଛିଡା ହେବ । (ତଥ୍ୟ)