ଭୁବନେଶ୍ୱର : ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର, ଓଡ଼ିଶା ଉପକୂଳରେ ରାଜପଥ ଓ ରେଳପଥ ବିକାଶ ପାଇଁ ଦଶନ୍ଧି ଦଶନ୍ଧି ଧରି ଘୋଷଣାମାନ ହେଉଥିଲେ ବି ବାସ୍ତବରେ କିନ୍ତୁ ଏ କ୍ଷେତ୍ରରେ କାମ ଆଗେଇ ପାରୁନାହିଁ । ତେବେ ଏଭଳି ପ୍ରକଳ୍ପ ଘୋଷଣା ଯୋଗୁ ସମ୍ଭାବ୍ୟ ଅଞ୍ଚଳରେ ଜମି ଦର ଖୋଲା ବଜାରରେ ହୁହୁ ହୋଇ ବଢ଼ୁଛି ।
ଭୁବନେଶ୍ୱରରେ ବିମାନ ବନ୍ଦର ଥିଲେ ସୁଦ୍ଧା ପୁରୀ ନିକଟରେ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠା ଲାଗି ପ୍ରାୟ ୭ବର୍ଷ ଧରି ସ୍ୱର ଶୁଣାଯାଉଛି । କିନ୍ତୁ ଏଯାବତ୍ ଏହି ବହୁ ପ୍ରତୀକ୍ଷିତ ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ । କେବେ ସୁଦ୍ଧା ପୁରୀ ଉପକଣ୍ଠରେ ଏହି ବିମାନ ବନ୍ଦର ନିର୍ମିତ ହୋଇ ଦେଶ ବିଦେଶକୁ ଏଠାରୁ ଯାତ୍ରୀବାହୀ ବିମାନ ଯିବା ଆସିବା କରିବ ସେ ସଂକ୍ରାନ୍ତରେ କାହା ପାଖରେ କିଛି ନିର୍ଦ୍ଦିଷ୍ଟ ସୂଚନା ନାହିଁ ।
ସେହିପରି ସାମୁଦ୍ରିକ ଝଡ଼ରୁ ଉପକୂଳ ଅଞ୍ଚଳକୁ ରକ୍ଷା କରିବା ସହିତ ବାଣିଜ୍ୟ ବ୍ୟବସାୟ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ଓଡ଼ିଶା ଉପକୂଳରେ ନୂଆ ସଡ଼କପଥ ନିର୍ମାଣ ଲାଗି ପ୍ରାୟ ୧୦ବର୍ଷ ହେବ ସ୍ୱର ଶୁଣାଯାଉଛି । କିନ୍ତୁ ଏହି ସଡ଼କ ପଥ ନିର୍ମାଣ କେବେ ସରିବ ସେ ସଂକ୍ରାନ୍ତରେ କାହା ପାଖରେ କିଛି ତଥ୍ୟ ନାହିଁ । ଉପକୂଳ ରାଜପଥ ନିର୍ମାଣ ବେଳେ ଚିଲିକା ଉପରେ ସୁଦୀର୍ଘ ସେତୁ କିମ୍ବା ଭସା ପୋଲ ନିର୍ମାଣ ଲାଗି ମଧ୍ୟ ମଝିରେ ମଝିରେ ସ୍ୱର ଉଠୁଛି । ତେବେ ଏ କ୍ଷେତ୍ରରେ ବି ପ୍ରାୟ ୨୦ବର୍ଷ ଧରି କେହି କିଛି ପ୍ରଗତି କରିନାହାନ୍ତି ।
ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ନୂଆ ରେଳପଥ ନିର୍ମାଣ ସହ ଏହାକୁ ସମୁଦ୍ର କୂଳେକୂଳେ ଗୋପାଳପୁରରୁ ଦିଘା ପର୍ଯ୍ୟନ୍ତ ବିସ୍ତାରିତ କରିବା ଲାଗି ମଧ୍ୟ ବାରମ୍ବାର ଅନେକ ଘୋଷଣା ହେଲାଣି । କିନ୍ତୁ ତାହା ପାଣି ଫୋଟକା ଭଳି ମିଳାଇଯାଉଛି । ଉପକୂଳବର୍ତ୍ତୀ ରେଳପଥ ଓ ସଡ଼କପଥ ନିର୍ମିତ ହେଲେ ଗମନାଗମନ, ପରିବହନ ଓ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା କ୍ଷେତ୍ରରେ ଏହା ବଡ଼ ଭୂମିକା ନିଭାଇ ପାରନ୍ତା । ଏଥିଯୋଗୁ ଜଳପଥଗୁଡ଼ିକ ମଧ୍ୟ ବିକଶିତ ହୋଇପାରନ୍ତା ।
୨୦୨୬-୨୭ର କେନ୍ଦ୍ର ବଜେଟ୍ରେ ରାଜ୍ୟର କେତୋଟି ଜଳପଥ ବିକାଶ ପାଇଁ ପ୍ରସ୍ତାବ ରହିଛି । ତେବେ ନଦୀଗୁଡ଼ିକରେ ଯେଭଳି ପ୍ରଦୂଷଣ ବଢ଼ିବା ସହିତ ନଦୀ ଶଯ୍ୟା ପୋତି ହୋଇ ଜଳଧାରଣ କ୍ଷମତା ହ୍ରାସ ପାଉଛି ସେଥିରେ ପ୍ରସ୍ତାବିତ ଜଳପଥ କେତେଦୂର ସଫଳ ହେବ ତାହା ଏକ ବଡ଼ ପ୍ରଶ୍ନବାଚୀ । ଏବେ ନୁହେଁ, ପ୍ରାୟ ୧୦ବର୍ଷ ଧରି ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଆଦି ନଦୀର ଜଳପଥ ସଂକ୍ରାନ୍ତରେ ଅନେକ ବିବୃତିବାଜି ହୋଇଛି ।
ଏଣେ ସୁବର୍ଣ୍ଣରେଖାର ଉପରମୁଣ୍ଡରେ ଝାଡ଼ଖଣ୍ଡ ଓ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ପ୍ରକଳ୍ପମାନ ନିର୍ମାଣ କରିବା ଫଳରେ ଏହି ନଦୀଗୁଡ଼ିକରୁୁ ଓଡ଼ିଶାକୁ ଜଳ ପ୍ରବାହ ଢେର ହ୍ରାସ ପାଇଛି । କିନ୍ତୁ ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ନଦୀରେ ବର୍ଷକୁ ବର୍ଷ ଜଳ ପ୍ରଦୂଷଣ ବଢ଼ିବଢ଼ି ଚାଲୁଛି । ଏମିତିକି ରାଜଧାନୀ ଭୁବନେଶ୍ୱର ନିକଟ ଦେଇ ପ୍ରବାହିତ ହୋଇଥିବା ଗଙ୍ଗୁଆ, ଦୟା, କୁଆଖାଇ ଆଦିର ଜଳ ପ୍ରଦୂଷଣ ମାତ୍ରା ଅତି ସାଙ୍ଘାତିକ ସ୍ତରରେ ରହୁଥିବା କୁହାଯାଉଛି । ଏଥିଯୋଗୁ ଜଳସେଚନ ଓ ପିଇବା ପାଇଁ ପାଣିର ସମସ୍ୟା ଭବିଷ୍ୟତରେ ଉତ୍କଟତର ହେବ ବୋଲି ପରିବେଶ ବିଶେଷଜ୍ଞମାନେ ବାରମ୍ବାର କହୁଛନ୍ତି । ଏବେ ଅଧିକାଂଶ ଅଞ୍ଚଳରେ ଭୂତଳ ଜଳସ୍ତର ଉଦ୍ବେଗଜନକ ଭାବେ ହ୍ରାସ ପାଇବା ସହିତ କେତେକ ସ୍ଥଳରେ ମଧ୍ୟ ଏହା ପ୍ରଦୂଷିତ ଥିବା ଜଣାପଡିଛି । ଏଥିଯୋଗୁ ଅନେକ ଅଞ୍ଚଳରେ ବିଭିନ୍ନ କିସମର ରୋଗ ବି ବଢ଼ୁଛି ।

