ଭୁବନେଶ୍ୱର : ଉପକୂଳର ସୁରକ୍ଷାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଓଡିଶା ତଟକୁ ଜଗିବାପାଇଁ ଥିବା ସାମୁଦ୍ରିକ ଥାନାରେ କିନ୍ତୁ ଆବଶ୍ୟକ ସୁରକ୍ଷାକର୍ମୀ ନାହାନ୍ତି । ଏହିସବୁ ଥାନାପାଇଁ ଯେତିକି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି ତାହାଠାରୁ ଢେର କର୍ମଚାରୀ ଥିବାବେଳେ ମିଳିଥିବା ଯାନବାହାନ ବି ଅଚଳାବସ୍ଥାରେ ।
ରାଜ୍ୟର ୪୮୦ କିଲୋମିଟର ବ୍ୟାପି ସମୁଦ୍ରକୂଳର ସୁରକ୍ଷା ପାଇଁ ଗଠିତ ହୋଇଛି ୧୮ଟି ଉପକୂଳ ଥାନା । ଏହି ଥାନାପାଇଁ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ସାଢେ ୩ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୧କୋଟି ୭୫ଳକ୍ଷ ଟଙ୍କାର ଦେଇଥିଲେ । ଏହାବାଦ୍ ଥାନାଗୁଡିକ ପାଇଁ ୩୬ଟି ଦୁଇ ଚକିଆ, ୧୮ଟି ଚାରିଚକିଆ ଓ ୧୫ଟି ଛୋଟ ଏବଂ ବଡ ବୋଟ୍ ଯୋଗାଇ ଦେଇଥିଲେ । ଏଥି ସହିତ ନାଇଟ୍ ଭିଜନ ଡିଭାଇସ୍, ଡିଜିଟାଲ କ୍ୟାମେରା, ଏଲ୍ଇଡି ସର୍ଚ୍ଚ ଲାଇଟ୍ ସହିତ କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ସାଜ ସରଞ୍ଜାମ ବି ଦେଇଥିଲେ ।
ହେଲେ ଏହିସବୁ ଥାନାରେ କର୍ମଚାରୀ ଅଭାବ ଏବେ ସ୍ଥିତିକୁ ଜଟିଳ କରିଛି । ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତ ଥାନାରେ ଜଣେ କରି ଇନ୍ସପେକ୍ଟର ବି ନଥିଲେ । ୧୮ଟି ଇନ୍ସପେକ୍ଟର ପଦବୀ ମଧ୍ୟରୁ ୩ଟି ଖାଲି ପଡିଥିବାବେଳେ ୫୪ଟି ସବଇନ୍ସପେକ୍ଟର ପଦବୀରେ ୯ଜଣ କାର୍ଯ୍ୟ କରୁଥିଲେ । ସେହିଭଳି ୫୪ଟି ଏଏସ୍ଆଇ ପଦବୀରେ ୨୬ଜଣ ଥିବାବେଳେ ୧୪୪ ହାବିଲଦାର ପଦବୀରେ କାର୍ଯ୍ୟରତ ଥିଲେ ମାତ୍ର ୧୬ଜଣ ।
ଥାନାର ବଳ କୁହାଯାଉଥିବା କନେଷ୍ଟବଳଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଅବସ୍ଥା । ୧୮ଟି ଥାନା ପାଇଁ ୪୩୨ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରେ ରହିଛନ୍ତି ମାତ୍ର ୧୧୩ ଜଣ । ଅର୍ଥାତ୍ ୩ଶହରୁ ଅଧିକ କନେଷ୍ଟବଳ ପଦବୀ ଫାଙ୍କା ପଡିଛି । ୩୬ଟି ଡ୍ରାଇଭ ପଦବୀରେ ମାତ୍ର ୫ଜଣ ରହିଥିବାରୁ ଥାନାକୁ ମିଳିଥିବା ଗାଡି ଚଳାଇବାକୁ ବି ନିୟମିତ ଚାଳକ ନାହାନ୍ତି । ୨୮୦ ବୈଷୟିକ କର୍ମଚାରୀଙ୍କ ସ୍ଥାନରେ କାର୍ଯ୍ୟ କରୁଛନ୍ତି ୯୦ ଜଣ ।
କର୍ମଚାରୀ ସଙ୍କଟ ଯୋଗୁଁ ଥାନାଗୁଡିକ ଏକ ପ୍ରକାର ପଙ୍ଗୁ ପାଲଟିଥିବାବେଳେ ଉପକୂଳରେ ପଇଁତରା ମାରିବା ତ ଦୂରରକଥା ଥାନା ଆଖପାଖକୁ ସୁରକ୍ଷିତ ରଖିବା ଏବେ ବଡ ଚ୍ୟାଲେଞ୍ଜ ହୋଇ ପଡିଛି । ଏଠାକୁ ବଦଳି ହେଉଥିବା ପୁଲିସ୍ କର୍ମଚାରୀମାନେ ସହଜରେ ଯାଉନାହାନ୍ତି । ଫଳରେ ଥାନାଗୁଡିକରେ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି ।
ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୁର ପରେ ଉପକୂଳ ସୁରକ୍ଷା ଉପରେ କେନ୍ଦ୍ର ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଉଗ୍ରପନ୍ଥୀଙ୍କ ସମେତ ନିଶା ବେପାରୀମାନେ ଜଳପଥକୁ ବାଛୁ ଥିବାରୁ ଓଡିଶା ଭଳି ଉପକୂଳ ରାଜ୍ୟ ଉପରେ ନଜର ରଖାଯାଇଛି । ଏଭଳି ସ୍ଥିତିରେ ନୂତନ ଉପକୂଳ ଥାନା ଖୋଲିବା ତ ଦୂରରକଥା ଯେତିକି ବି ଥାନା ରହିଛି ସେଠାରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନରହିବା ଏବେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରବାରେ ଲାଗିଛି ।
ସେହିଭଳି ଓଡିଶା ଉପକୂଳ ବଙ୍ଗଳାଦେବୀ ଅନୁପ୍ରବେଶକାରୀଙ୍କର ଚରାଭୂଇଁ ପାଲଟିଥିବାବେଳେ ସେମାନେ ଜଳପଥର ଦେଇ ବାଲେଶ୍ୱରରୁ ପାରାଦୀପ୍ ପର୍ଯ୍ୟନ୍ତ ପ୍ରବେଶ କରି ଆସ୍ଥାନ ଜମାଉଛନ୍ତି । ବର୍ତ୍ତମାନ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ ହୋଇଥିବାବେଳେ ଉପକୂଳ ଥାନାଗୁଡିକରେ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରି ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ନଜର ରଖିବାକୁ ମତପ୍ରକାଶ ପାଉଛି । (ତଥ୍ୟ)