Home Industry   ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କର

  ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କର

 ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା  ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ତାଙ୍କର  ଦୁଇ  ଦିନିଆ ବଲାଙ୍ଗିର ଗସ୍ତ ପରିପ୍ରେକ୍ଷୀରେ ସେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ  କୃଷି-ବ୍ୟବସାୟିକ, ଅଣୁ. କ୍ଷୁଦ୍ର, ମଧ୍ୟମ ଶିଳ୍ପ କ୍ଷେତ୍ରରେ  ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ବୈଠକରେ  ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଜଳ ରଣାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଆଲୋଚନାରୁ ଜଣାପଡିଛି ଯେ, ଜିଲ୍ଲାରେ  ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗଗୁଡିକ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା), ପି.ଏମ.ଇ.ଜିପି ଓ ପି.ଏମ୍.ଏଫ୍.ଏମ.ଇ ଯୋଜନାରୁ ସହାୟତା ପାଉଛନ୍ତି ।  କୁକୁଡା ଫାର୍ମ, ଲେୟାର ଫାର୍ମ, ଖାଦ୍ୟ ପ୍ରକ୍ରିୟାକରଣ ଓ କଟନ ଗିନିଂ ୟୁନିଟ୍ ଗୁଡିକ ଜିଲ୍ଲାରେ ଭଲ ଅଗ୍ରଗତି କରୁଥିବା ଦେଖାଦେଇଛି ।  ଗୋଟିଏ ବୈଦ୍ୟୁତିକ ଯାନ ନିର୍ମାଣକାରୀ ୟନିଟ୍ ମଧ୍ୟ ନିର୍ମାଣାଧୀନ ସ୍ଥିତିରେ ଅଛି ।

ବୈଠକରେ ଉଦ୍ୟୋଗୀମାନେ ଜମି ଅଧିଗ୍ରହଣ, ଉଦ୍ୟୋଗଗୁଡିକୁ ବିଦ୍ୟୁତ୍ ଯୋଗାଣ, ଶିଳ୍ପାନୁଷ୍ଠାନ ନିକଟରେ ଜଳ ନିଷ୍କାସନ ବ୍ୟବସ୍ଥା, ବ୍ୟାଙ୍କ ଋଣ ପାଇବାରେ ସମସ୍ୟା ଆଦି ସଂପର୍କରେ ଉତଥାପନ କରିଥିଲେ । ଶ୍ରୀ ତ୍ରିପାଠୀ ସଂପୃକ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ଏହିସବୁ ସମସ୍ୟାର ସମାଧାନ ପାଇଁ ସମୟ ନିର୍ଦ୍ଧାରଣ କରିଛନ୍ତି ।

ଶ୍ରୀ ତ୍ରିପାଠୀ  ଜିଲ୍ଲାରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଉଦ୍ୟୋଗୀ  ଏବଂ ଶିଳ୍ପସଂସ୍ଥାମାନଙ୍କ ସହିତ  ନିୟମିତ ଭାବରେ  ବୈଠକରେ  ଆଲୋଚନା କରି ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ମଧ୍ୟ ସ୍ଥାନୀୟ ଯୁବକମାନଙ୍କ ପାଇଁ ଔଦ୍ୟୋଗିକ ପ୍ରଶିକ୍ଷଣ ଶିବିର  ଆୟୋଜନ କରି ସେମାନଙ୍କ ଦ୍ୱାରା ଉଦ୍ୟୋଗ ସ୍ଥାପନର  ଲକ୍ଷ୍ୟହାସଲ ଦିଗରେ ସହାୟତା କରିବାକୁ  ପରାମର୍ଶ ଦେଇଥିଲେ ।  ପ୍ରସ୍ତୁତ ଉତ୍ପାଦର ବଜାରସୃଷ୍ଟି ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇ ଯେପରି ସେମାନଙ୍କର ଉତ୍ପାଦ ଜାତୀୟ ଓ ଅନ୍ତର୍ଜାତୀୟସ୍ତର ସହିତ ସଂଯୁକ୍ତ(ଲିଙ୍କ୍) କରାଯାଇ ବିକ୍ରି ସହଜ ହେବ, ସେ ସମ୍ପର୍କରେ ପରାମର୍ଶ  ଦେଇଛନ୍ତି ।  ବୈଠକରେ ଜିଲ୍ଲାସ୍ତରରେ ଏକ  ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ  ଆୟୋଜନ  ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । 

ଅନ୍ୟମାନଙ୍କ ମଧ୍ୟରେ  ଜିଲ୍ଲା ଗ୍ରାମ ଉନ୍ନୟନ  ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଶିଳ୍ପକେନ୍ଦ୍ର,  ଜିଲ୍ଲା  ପ୍ରାଣୀ ସଂପଦ ଅଧିକାରୀ, ଉପନିର୍ଦ୍ଦେଶକ, କୃଷି, ଜିଲ୍ଲା ମତ୍ସ୍ୟସମ୍ପଦ  ଅଧିକାରୀ,  ନିର୍ବାହୀ ଯନ୍ତ୍ରୀ, କୃଷି( ଆପିକଲ), ଡିଭିଜନାଲ ମୁଖ୍ୟ, ଇଡକୋ , ବଲାଙ୍ଗିର ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।  ବିଭିନ୍ନ କ୍ଷେତ୍ରରୁ ପ୍ରାୟ  20  ଜଣ ଉଦ୍ୟୋଗୀ ଏହି ବୈଠକରେ ଅଂଶଗ୍ରହଣ କରି ପାରସ୍ପରିକ ଆଲୋଚନା ପୂର୍ବକ ଅଭିଜ୍ଞତା ବାଣ୍ଟିବା ସହ  ପରବର୍ତ୍ତୀ ସଫଳ ପଦକ୍ଷେପ ପାଇଁ ଆଲୋଚନା କରିଥିଲେ ।