Home General ଉତ୍ସାହଜନକ ନୁହେଁ ସେନାରେ ନିଯୁକ୍ତି

ଉତ୍ସାହଜନକ ନୁହେଁ ସେନାରେ ନିଯୁକ୍ତି

ଭୁବନେଶ୍ୱର : ଗତ ଆଠ ବର୍ଷ ମଧ୍ୟରେ ସେନା ବାହିନୀରେ ନିଯୁକ୍ତି ଲାଗି ରାଜ୍ୟରେ ଯେଉଁ ନିଯୁକ୍ତି ରାଲି ହୋଇଥିଲା ସେଥିରେ ମାତ୍ର ୫୨୦୨ ଜଣ ଯୁବକଙ୍କୁ ଚୟନ କରାଯାଇଛି । ସେନାବାହିନୀରେ ଓଡିଆଙ୍କ ଏହି ନିଯୁକ୍ତି ସେତେଟା ଉତ୍ସାହଜନକ ନୁହେଁ ବୋଲି ଜଣାଯାଇଛି ।

ସେନା ବାହିନୀରେ ନିଯୁକ୍ତି ଲାଗି ବିଭିନ୍ନ ଜିଲ୍ଲାରେ ସେନା ନିଯୁକ୍ତି ରାଲିର ଆୟୋଜନ ହୋଇଥାଏ । ବିଗତ ୨୦୧୪-୧୫ ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆୟୋଜିତ ଏହି ରାଲି ମାଧ୍ୟମରେ ୫୨୦୨ ଜଣ ନିଯୁକ୍ତି ପାଇଥିବା ଜଣାଯାଇଛି । ଏହା ଅନ୍ୟ ବହୁ ରାଜ୍ୟ ତୁଳନାରେ ଢେର କମ୍‍ ବୋଲି କୁହାଯାଉଛି ।

ସେହିଭଳି ରାଜ୍ୟରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ବିଭିନ୍ନ ନିଯୁକ୍ତିମେଳାର ଆୟୋଜନ କରାଯାଇଛି । ବିଗତ ୧୬ ବର୍ଷ ମଧ୍ୟରେ ରାଜ୍ୟରେ ୩୪୫ଟି ନିଯୁକ୍ତି ମେଳା ଆୟୋଜନ କରାଯାଇଛି । ଏଥିରେ ୧,୬୯,୪୩୧ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ତେବେ ଏହି ନିଯୁକ୍ତି ମେଳାରେ ଯୋଗ ଦେଉଥିବା କମ୍ପାନୀମାନେ ଯେଉଁସବୁ ଯୁବକ ଯୁବତୀଙ୍କୁ ଚୟନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱଳ୍ପ ବେତନ ଓ ଅନ୍ୟାନ୍ୟ କାରଣ ଯୋଗୁଁ କାର୍ଯ୍ୟରେ ଯୋଗଦେଉ ନାହାନ୍ତି କିମ୍ବା ଅଳ୍ପ ଦିନର ନିଯୁକ୍ତି ପରେ ଚାକିରି ଛାଡି ଦେଉଛନ୍ତି ।

ତେବେ ରାଜ୍ୟରେ ଡିପ୍ଲୋମା ଓ ଆଇଟିଆରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ପାଇଁ ଏକ କେନ୍ଦ୍ରୀୟ ନିଯୁକ୍ତି ସେଲ୍‍ ଗଠନ କରାଯାଇଛି । ୨୦୧୮-୧୯ ରୁ ବର୍ତ୍ତମାନ ସୁଦ୍ଧା ଏହି ସେଲ୍‍ ମାଧ୍ୟମରେ ୧୩ହଜାରରୁ ଅଧିକ ବୈଷୟିକ ଛାତ୍ରଛାତ୍ରୀ ନିଯୁକ୍ତି ପାଇଥିବା ଜଣାଯାଇଛି ।

ତେବେ ରାଜ୍ୟର ଯୁବକ ଯୁବତୀମାନେ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ନିଯୁକ୍ତି ପାଇବେ ସେଥିପାଇଁ ଏକ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ (ପିଏଲଟିପି) ୨୦୧୧-୧୨ ବର୍ଷରୁ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି । ଏହା ଜରିଆରେ ବର୍ତ୍ତମାନ ସୁଦ୍ଧା ୧,୧୨,୬୯୪ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୦ହଜାର ଯୁବ ଯୁବତୀ ନିଯୁକ୍ତି ପାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି ।

ସେହିଭଳି ୨୦୦୫-୦୬ ବର୍ଷରୁ ଓଡିଶାରେ ରାଜ୍ୟ ନିଯୁକ୍ତି ମିଶନ ଗଠନ କରାଯାଇଥିଲା । ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଏବଂ ତ୍ୱରାନ୍ୱିତ କରିବାପାଇଁ ରାଜ୍ୟ ୨୦୧୬-୧୭ବର୍ଷରେ ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଗଠନ କରିଛନ୍ତି ଏବଂଏଥି ସହିତ ରାଜ୍ୟ ନିଯୁକ୍ତି ମିଶନର ମିଶ୍ରଣ କରାଯାଇ ଯୁବକ ଯୁବତୀଙ୍କୁ ନିଯୁକ୍ତିକ୍ଷମ ଓ ସ୍ୱାବଲମ୍ବନଶୀଳ କରାଯାଉଛି । (ତଥ୍ୟ)