Home Agriculture ଉତ୍ସାହଜନକ ନୁହେଁ ଜୈବିକ ଚାଷ

ଉତ୍ସାହଜନକ ନୁହେଁ ଜୈବିକ ଚାଷ

ଭୁବନେଶ୍ୱର : ରସାୟନିକ ସାର ଗଣ୍ଡାଏ ପାଇବାପାଇଁ ସାରା ରାଜ୍ୟରେ ଚାଷୀମାନେ ଏବେ ହନ୍ତସନ୍ତ ହେଉଥିବାବେଳେ ଜୈବିକ ଚାଷ ରାଜ୍ୟରେ ସେତେଟା ଉତ୍ସାହଜନକ ହେଉନାହିଁ । ଜୈବିକ ଚାଷପାଇଁ କେନ୍ଦ୍ର ସରକାରଙ୍କ ଏକାଧିକ ଯୋଜନା କାର୍ଯ୍ୟକାରୀ ସହିତ ପ୍ରୋତ୍ସାହନରାଶି ଯୋଗାଇ ଦେଉଥିବାବେଳେ ଚାଷୀମାନେ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଜୈବିକ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟରେ ପରମ୍ପରାଗତ କୃଷି ବିକାଶ ଯୋଜନା (ପିକେଭିୱାଇ) କାର୍ଯ୍ୟକାରୀ ହୋଇଛି । ୨୦୨୧-୨୨ ରୁ ୨୦୨୩-୨୪ ବର୍ଷ ପାଇଁ ୧୦ଟି ଜିଲ୍ଲାରେ ଏଥିପାଇଁ ମାତ୍ର ହଜାରେ ହେକ୍ଟର ଜମି ଚିହ୍ନଟ କରାଯାଇ ପାରିଥିଲା । ଏହାପରେ ରାଜ୍ୟର ୧୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା ଭାରତୀୟ ପ୍ରାକୃତିକ କୃଷି ପଦ୍ଧତି (ବିପିକେପି) କାର୍ଯ୍ୟକ୍ରମ । ଏଥିରେ ପରବର୍ତ୍ତୀ ୨୦୨୨-୨୩ ରୁ ୨୦୨୩-୨୪ ବର୍ଷ ପାଇଁ ୨୪ହଜାର ହେକ୍ଟର ଜମିରେ ଏହି ଚାଷ ହୋଇଥିଲା । ଏହାପରେ ୨୦୨୪-୨୫ ବର୍ଷ ଠାରୁ ପୁର୍ନବାର ପିକେଭିୱାଇ ଯୋଜନାରେ ୪ଟି ଜିଲ୍ଲାରେ ୬୫୦୦ ହେକ୍ଟର ଜମିରେ ଜୈବିକ ଚାଷ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଅଧିନରେ ଚାଷରେ ଗୋବର ଖତ, କମ୍ପୋଷ୍ଟ ଓ ଜିଆ ଖତ ପ୍ରସ୍ତୁତ ସହିତ ତାହାର ବହୁଳ ବ୍ୟବହାର ପାଇଁ ପଦକ୍ଷେପ ନିଆଯାଇଥିଲା । ଏଥିପାଇଁ କୃଷକମାନଙ୍କୁ ପ୍ରଶିକ୍ଷଣ ସହିତ ବ୍ୟାପକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ତେବେ ପ୍ରୋତ୍ସାହନ ରାଶି ପାଇଲା ପରେ ବହୁ ସ୍ଥାନରେ କୃଷକମାନେ ଜୈବିକ ଚାଷରୁ ମୁହଁ ଫେରାଇ ନେଉଥିବାରୁ ଏହି ଯୋଜନା ସେତେଟା ଆଗେଇ ପାରୁନାହିଁ ।

ଜାତୀୟ ଓ ଆର୍ନ୍ତଜାତୀୟ ବଜାରରେ ଜୈବିକ ପଦ୍ଧତିରେ ଉତ୍ପାଦିତ କୃଷିଜାତ ସାମଗ୍ରୀର ଅଧିକ ଚାହିଦା ରହୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ରାଜ୍ୟରେ ଚାଷୀମାନେ ଧାନ ଠାରୁ ଆରମ୍ଭକରି ପନି ପରିବା ପର୍ଯ୍ୟନ୍ତ ଚାଷ କ୍ଷେତ୍ରରେ ରସାୟନିକ ସାର ଓ କୀଟନାଶକ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି ।

ଉଲ୍ଲେଖନୀୟ ଯେ ରସାୟନିକ ସାର ବ୍ୟବହାର କ୍ଷେତ୍ରରେ ଓଡିଶା ଦେଶର ୧୭ତମ ସ୍ଥାନରେ ଥିବାବେଳେ କୀଟନାଶକ ବ୍ୟବହାର କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି । ରାଜ୍ୟରେ ବାର୍ଷିକ ୧୧୪୩ ମେଟ୍ରିକ ଟନ୍‍ କୀଟନାଶକ ବ୍ୟବହାର ହେଉଛି । ଦିନକୁ ଦିନ ଚାଷୀମାନେ ଅଧିକରୁ ଅଧିକ ପରିମାଣରେ ରସାୟନିକ ସାର ଓ କୀଟନାଶକ ଉପରେ ନିର୍ଭରଶୀଳ ହୋଇ ପଡୁଛନ୍ତି । ଯଦିଓ ଜୈବିକ ପଦ୍ଧତିରେ ପ୍ରସ୍ତୁତ କୀଟନାଶକ ବା ବାୟୋ ପେଷ୍ଟିସାଇଡ୍‍ ଖରିଦ ପାଇଁ ଚାଷୀମାନଙ୍କୁ ୫୦ ପ୍ରତିଶତ ରିହାତି ଯୋଗାଇ ଦିଆଯାଉଛି ତଥାପି ସଚେତନତାର ଅଭାବ ସହିତ ଉପଲବ୍ଧତାରେ ସମସ୍ୟା ଯୋଗୁଁ ଅଧିକରୁ ଅଧିକ ଚାଷୀ ଏଥିରେ ସାମିଲ ହୋଇପାରୁ ନାହାନ୍ତି ।

ଓଡିଶା ବର୍ତ୍ତମାନ ଜାତୀୟ ସ୍ତରରେ ଚାଉଳ ଉତ୍ପାଦନ କ୍ଷେତ୍ରରେ ୫ମ ସ୍ଥାନରେ ଥିବାବେଳେ ଛତୁ ଏବଂ କନ୍ଦମୂଳ ଉତ୍ପାଦନ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି । ସେହିଭଳି ପଣସ ଉତ୍ପାଦନରେ ଦ୍ୱିତୀୟ, କାଜୁବାଦାମରେ ତୃତୀୟ, ଲଙ୍କା ଉତ୍ପାଦନରେ ଚତୁର୍ଥ ଓ ପନିପରିବା ଉତ୍ପାଦନରେ ସପ୍ତମ ସ୍ଥାନରେ ରହିଛି । ଆମ୍ବ ଉତ୍ପାଦନରେ ଓଡିଶାର ସ୍ଥାନ ଅଷ୍ଟମ ସ୍ଥାନରେ ରହିଛି । ତେବେ ଏହିସବୁ ଚାଷ ପାଇଁ ଚାଷୀମାନେ ଜୈବିକ ପଦ୍ଧତି ଅପେକ୍ଷା ରସାୟନିକ ସାର ଓ କୀଟନାଶକ ପ୍ରୟୋଗ ଉପରେ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଚାଷ ଋତୁରେ ଏବେ ସାର ପାଇଁ ହଟହଟା ହେଉଥିବା ଦେଖିବାକୁ ମିଳୁଛି । (ତଥ୍ୟ)