ଭୁବନେଶ୍ୱର : ଆସନ୍ତା ୩୧ ତାରିଖକୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଭାବେ ପାଳନ କରିବାପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ସେହିଦିନ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ପାଳନଲାଗି କଂଗ୍ରେସ ପକ୍ଷରୁ ମଧ୍ୟ ଆୟୋଜନ ଚାଲିଛି । ତେବେ ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ଏହି ପ୍ରତିପାଳନ କେତେଦୂର ସଫଳ ହେବ ସେଥିଘେନି ଉଦ୍ୟୋକ୍ତାମାନେ ସନ୍ଦେହରେ ଥିବାବେଳେ ବାତ୍ୟା ହେଉ କି ନହେଉ ଏଥିପାଇଁ ସରକାରଙ୍କ ପକ୍ଷରୁ କିନ୍ତୁ ପ୍ରୟାସ ଜାରି ରହିଛି ।
୧୮୭୫ ଅକ୍ଟୋବର ୩୧ ତାରିଖରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ । ତାଙ୍କୁ ସର୍ଦ୍ଦାର ଉପାଧିରେ ଭୂଷିତ କରିଥିଲେ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀ ୧୯୨୮ ମସିହାରେ । ସେବେଠାରୁ ଏପର୍ଯ୍ୟନ୍ତ ପଟେଲଙ୍କୁ ଦେଶବାସୀ ଶ୍ରଦ୍ଧା ଓ ସମ୍ମାନର ସହ ସର୍ଦ୍ଦାର ଭାବେ ସମ୍ବୋଧନ କରିଆସୁଛନ୍ତି । ଦେଶର ସ୍ୱାଧୀନତା ଆନ୍ଦୋଳନ ସହିତ ବିଭିନ୍ନ କୃଷକ ଓ ଶ୍ରମିକ ଆନ୍ଦୋଳନ ଏବଂ ସତ୍ୟାଗ୍ରହରେ ସର୍ଦ୍ଦାରଙ୍କ ପ୍ରମୁଖ ଭୂମିକା ରହୁଥିଲା ଏବଂ ସ୍ୱାଧୀନତା ସଂଗ୍ରାମରେ ବାରମ୍ବାର କାରାବରଣ କରିବା ସହିତ କଂଗ୍ରେସଦଳକୁ ସେ ନେତୃତ୍ୱ ଦେଉଥିଲେ ।
ଜବାହରଲାଲ ନେହେରୁଙ୍କ ସରକାରରେ ସର୍ଦ୍ଦାର ପଟେଲ ଉପପ୍ରଧାନମନ୍ତ୍ରୀ ଭାବେ ସ୍ୱରାଷ୍ଟ୍ର ଏବଂ ସୂଚନା ଓ ପ୍ରସାରଣ ବିଭାଗ ସହିତ ଗଡଜାତ ମିଶ୍ରଣ ଦାୟିତ୍ୱ ସୂଚାରୁ ରୂପେ ତୁଲାଇଥିଲେ । ତାଙ୍କ ଏକନିଷ୍ଠ ଉଦ୍ୟମ ଯୋଗୁଁ ଦେଶର ୫୬୫ଟି ଗଡଜାତ ଭାରତରେ ମିଶିଥିଲା । ତେବେ ଉପପ୍ରଧାନମନ୍ତ୍ରୀ ଥିବାବେଳେ ୧୯୫୦ ମସିହାରେ ତାଙ୍କର ଦେହାନ୍ତ ହୋଇଯାଇଥିଲେ ମଧ୍ୟ ୧୯୭୫ ମସିହାରେ ସରକାରୀ ସ୍ତରରେ ତାଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇନଥିଲା ।
ଏବେ ବିଜେପି ସାରା ଦେଶରେ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଦଳୀୟ ଭିତ୍ତିରେ ଆୟୋଜନ କରୁଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବି ନିଜ ନିଜ ପକ୍ଷରୁ ପ୍ରତିପାଳନ ଲାଗି ଯୋଜନା ରଖିଛନ୍ତି ।
ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କ ଶେଷ ଗସ୍ତଥିଲା ଓଡିଶାକୁ । ଏହି ଅବସରରେ ସେ୧୯୮୪ ଅକ୍ଟୋବର ୩୦ ତାରିଖରେ ଭୁବନେଶ୍ୱରର ସଚିବାଳୟ ସମ୍ମୁଖସ୍ଥ ସେତେବେଳର ପରେଡ୍ ପଡିଆରେ ତାଙ୍କ ଶେଷ ଭାଷଣ ପ୍ରଦାନ କରିଥିଲେ । ପରଦିନ ସକାଳେ ନୂଆଦିଲ୍ଲୀରେ ତାଙ୍କ ସରକାରୀ ବାସଭବନ ପରିସରରେ ନିଜ ନିରାପତ୍ତାରକ୍ଷୀଙ୍କ ଗୁଳିଚୋଟରେ ଇନ୍ଦିରାଙ୍କ ନିଧନ ହୋଇଥିଲା । ଇନ୍ଦିରାଙ୍କ ସ୍ମାରକୀ ରକ୍ଷା ପାଇଁ ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ପରେଡ୍ ପଡିଆକୁ ଇନ୍ଦିରା ପାର୍କରେ ପରିଣତ କରାଯିବା ସହ ସେଠାରେ ଇନ୍ଦିରାଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।
ଓଡିଶାରେ ଗଡଜାତ ମିଶ୍ରଣ ପର୍ବର ପ୍ରମୁଖ ବିନ୍ଧାଣି ଥିଲେ ସର୍ଦ୍ଦାର ପଟେଲ । ନିଳଗିରିରୁ ଆରମ୍ଭ ହୋଇଥିବା ଏହି ଗଡଜାତ ମିଶ୍ରଣ କାର୍ଯ୍ୟକ୍ରମ ହାଇଦ୍ରାବାଦ ରାଜ୍ୟରେ ଶେଷ ହୋଇଥିଲା । ସେ ନିଜେ ଓଡିଶା ଆସି ଏଠାରେ ରାଜାମାନଙ୍କ ସହ ଆଲୋଚନା କରିବାପରେ ଓଡିଶାରୁ ଯେଉଁ ସକରାତ୍ମକ ବାର୍ତ୍ତା ଯାଇଥିଲା ତାହା ସାରା ଦେଶ ଏକ ପ୍ରକାର ଗ୍ରହଣ କରିଥିଲା । କଟକ ସ୍ଥିତ ପୂର୍ବତନ ରାଜଭବନକୁ ପରବର୍ତ୍ତୀ ସମୟରେ ସ୍ନାତକୋତ୍ତର ଶିଶୁରୋଗ ଶିକ୍ଷା ଓ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯିବା ସହିତ ତାହାର ନାମକରଣ ସର୍ଦ୍ଦାର ପଟେଲଙ୍କ ନାମରେ ହୋଇଛି । ସେହିଭଳି ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ହେବାପରେ ବିଧାନସଭାପାଇଁ ଯେଉଁ ସୌଧ ତିଆରି କରାଯାଇଥିଲା ତାହାର ନାମ ବି ସର୍ଦ୍ଦାର ପଟେଲ ହଲ୍ ଭାବେ ଏବେ ରହିଛି ।
ଜାତୀୟ ସ୍ତରର ଏହି ଦୁଇ ନେତାଙ୍କର ଦେଶ, ଜାତି ଏବଂ ବିଶେଷକରି ଓଡିଶା ସହ ଯେଉଁ ଘନିଷ୍ଠ ସମ୍ବନ୍ଧ ଥିଲା ତାହାର ସ୍ମୃତିଚାରଣ ପାଇଁ ଚଳିତମାସ ୩୧ ତାରିଖରେ ସରକାରୀ, ବେସରକାରୀ ଓ ରାଜନୈତିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ସମ୍ଭାବ୍ୟ ବାତ୍ୟା ଓ ନୂଆପଡା ଉପନିର୍ବାଚନର ଉଷ୍ମତା ଭିତରେ ଏହି ଉତ୍ସବାନୁଷ୍ଠାନଗୁଡିକ କେତେଦୂର ସଫଳ ହେବ ତାହା କହିବା ମୁସ୍କିଲ । (ତଥ୍ୟ)

