ଭୁବନେଶ୍ୱର : ଓଡ଼ିଶାରେ ଆବଶ୍ୟକତା ଠାରୁ ଅଧିକ ଡାଲି ଉତ୍ପାଦିତ ହେଉଥିଲେ ମଧ୍ୟ ସଂରକ୍ଷଣ ଓ ପ୍ରକ୍ରିୟାକରଣ ସମସ୍ୟା ଯୋଗୁ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ଅନ୍ୟ ରାଜ୍ୟ ଉପରେ ଆମକୁ ନିର୍ଭର କରିବାକୁ ପଡୁଛ । ପର୍ଯ୍ୟାପ୍ତ ସଂଖ୍ୟକ ଡାଲି ପ୍ରକ୍ରିୟାକରଣ ଶିଳ୍ପ ନଥିବା ଏବଂ ଡାଲି ଜାତୀୟ ଶସ୍ୟ ପାଇଁ ଏମ୍ଏସ୍ପି ଲାଗୁ କରିବା ସହିତ ଧାନ ଭଳି ଚାଷୀମାନଙ୍କ ଠାରୁ ସିଧାସଳଖ ଭାବେ ସରକାର ଏହା ସଂଗ୍ରହ କରୁନଥିବା ଯୋଗୁ ରାଜ୍ୟରେ ଉତ୍ପାଦିତ ଡାଲିର ସଂହ ଭାଗ ଅନ୍ୟ ରାଜ୍ୟକୁ ଚାଲିଯାଉଛି ।
ସରକାରୀ ହିସାବ ମୁତାବକ ଓଡ଼ିଶା ପାଇଁ ବର୍ଷକୁ ୧୨୮,୬୦,୦୦୦ କ୍ୱିଣ୍ଟାଲ ଡାଲିର ଆବଶ୍ୟକତା ଥିବାବେଳେ ରାଜ୍ୟରେ ୧,୩୦,୯୪,୯୦୦ କ୍ୱିଣ୍ଟାଲ ଡାଲି ୨୦୨୩-୨୪ ବର୍ଷରେ ଉତ୍ପାଦିତ ହୋଇଥିଲା । ୨୦୨୪-୨୫ ବର୍ଷରେ ଏହାର ପରିମାଣ ଅଧିକ ହେବ ବୋଲି କୁହାଯାଉଛି । ଆବଶ୍ୟକତା ଠାରୁ ଅନ୍ୟୁନ ୨ଲକ୍ଷ କ୍ୱିଣ୍ଟାଲ ଅଧିକ ଡାଲି ଓଡ଼ିଶାର ଚାଷୀମାନେ ଫଳାଉଛନ୍ତି । ତେବେ ଡାଲି ଉତ୍ପାଦନ ପରେ ଏହା ସଂଗ୍ରହ କରିବା ଲାଗି ବିଶେଷ ସରକାରୀ ବ୍ୟବସ୍ଥା ନଥିବାରୁ ଢେର କମ୍ ଦାମ୍ରେ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଏଜେଣ୍ଟ ଲଗାଇ ଓଡ଼ିଶାରୁ ବିପୁଳ ପରିମାଣର ଡାଲି କିଣି ନେଉଛନ୍ତି ।
ପରବର୍ତ୍ତୀ ସମୟରେ ସେମାନେ ଏହି ଡାଲିର ପ୍ରକ୍ରିୟାକରଣ କରି ଓଡ଼ିଶା ବଜାରରେ ଚଢ଼ା ଦରରେ ବିକିବା ସହିତ ଅନ୍ୟ ରାଜ୍ୟକୁ ମଧ୍ୟ ପଠାଉଛନ୍ତି । ଫଳରେ ଡାଲି ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟରେ ପରିଣତ ହୋଇଥିଲେ ମଧ୍ୟ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି ।
ସରକାରୀ ତଥ୍ୟ ମୁତାବକ ଓଡ଼ିଶାରେ ପାଖାପାଖି ୨୧ଲକ୍ଷ ହେକ୍ଟର ଜମିରେ ଡାଲି ଚାଷ ହେଉଛି । ଡାଲି ଚାଷ ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ ହେଉଛି । ଧାନ କଟା ପରେ ପଡ଼ିଆ ଜମିରେ କିଭଳି ଅନ୍ୟୁନ ୬ ପ୍ରକାରର ଡାଲି ଜାତୀୟ ଫସଲ ଉତ୍ପାଦିତ ହୋଇପାରିବ ସେ ଦିଗରେ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିଲାଗି ପୂର୍ବରୁ ରାଜ୍ୟ ସରକାର ହେକ୍ଟର ପିଛା ୯ ହଜାର ଟଙ୍କା କରି ସହାୟତା ରାଶି ଚାଷୀଙ୍କୁ ଦେଇ ଆସୁଛନ୍ତି । କେବଳ ସେତିକି ନୁହେଁ, ଡାଲି ଚାଷ ପାଇଁ ଆଗ୍ରହ ସୃଷ୍ଟି କରିବା ଲାଗି ଡାଲି କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ମଧ୍ୟ ବହୁ ସଂଖ୍ୟକ କୃଷକଙ୍କୁ ସାମିଲ କରାଯାଉଛି ।
ଜାତୀୟ ଖାଦ୍ୟ ନିରପାତ୍ତା ମିଶନ ମାଧ୍ୟମରେ ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି । ୨୦୦୮ ମସିହାରୁ ଲଗାତାର ଭାବେ ଏହି କାର୍ଯ୍ୟକ୍ରମ ଚାଲିଛି । ଏଥିପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ସହାୟତା ଯୋଗାଉଛନ୍ତି । ଡାଲି ଜାତୀୟ ଫସଲର ଉତ୍ପାଦନ ସହ ଜମିର ଉତ୍ପାଦିତ ଶକ୍ତି ବୃଦ୍ଧି ଲାଗି ଶତକଡ଼ା ୫୦ ଭାଗ ରିହାତିରେ କୀଟନାଶକ, ଜୈବିକ ସାର, ଅଣୁ ସାର, ଘାସ ମରା ଔଷଧ, କୀଟନାଶକ ସିଞ୍ଚନ ଯନ୍ତ୍ର, ପାଣିମଡ଼ା ଯନ୍ତ୍ର ଓ ପାଇପ୍ ଆଦି ଯୋଗାଇ ଦିଆଯାଉଛି ।
ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଡାଳି ଚାଷର ଉନ୍ନତି ଲାଗି ଓଡ଼ିଶା ସରକାର ଅଗ୍ରଣୀ ଚାଷୀମାନଙ୍କୁ ହରଡ଼ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ମାଧ୍ୟମରେ ମାଗଣାରେ ବିହନ ଓ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ଯୋଗାଇ ଦେଉଛନ୍ତି । ଏହାଛଡ଼ା ଉନ୍ନତମାନର ହରଡ଼ ବିହନ ଉତ୍ପାଦନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱାରୋପ କରାଯାଉଛି । ଓଡ଼ିଶାରେ ଡାଲି ଚାଷ ପାଇଁ ଅନୁକୂଳ ପରିବେଶ ରହିଥିବା ଦୃଷ୍ଟିରୁ ଏହାର ପୂର୍ଣ୍ଣ ଉପଯୋଗ କରାଯାଇପାରିଲେ ଉତ୍ପାଦିତ ଡାଲିର ପରିମାଣ ୫ଗୁଣା ବୃଦ୍ଧି ପାଇପାରେ ବୋଲି କୃଷି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)